Advertisment

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା

ଗୋଗାମେଡି ଓ ଅନ୍ୟ ଦୁଇ ଆହତଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ଗୋଗାମେଡିଙ୍କର ମୃତ୍ୟୁ ଘଟିଥିଲା।

ଅଦ୍ୟତନ ହୋଇଛି
Karni Sena chief Sukhdev Singh Gogamedi

Karni Sena chief Sukhdev Singh Gogamedi

Advertisment

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଆଜି ରାଜସ୍ଥାନର ରାଜଧାନୀ ଜୟପୁରରେ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିମାଡ଼ ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି।

Advertisment

ଅପରାହ୍ନ ପ୍ରାୟ ୧.୪୫ ମିନିଟରେ ସୁଖଦେବ ସିଂହ ଗୋଗାମେଡିଙ୍କ ଘରେ ଏହି ଘଟଣା ଘଟିଥିଲା। ଏହି ହତ୍ୟାକାଣ୍ଡର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ସିସିଟିଭିରେ କଏଦ ଦୃଶ୍ୟରୁ ଦେଖିବାକୁ ମିଳିଛି ଯେ ସୁଖଦେବ ସିଂହ ଗୋଗାମେଡି ଓ ଆଉ ଚାରି ଜଣ ବ୍ୟକ୍ତି ଗୋଟିଏ ରୁମ୍‌ରେ ବସିଛନ୍ତି। ଗୋଗାମେଡି ସୋଫାରେ ବସି ମୋବାଇଲ ଫୋନ୍ ଦେଖୁଥିବା ବେଳେ ଆଉ ତିନି ଜଣ ସୋଫାରେ ବସିଥିଲେ। ଜଣେ ବ୍ୟକ୍ତି ଉକ୍ତ କଠୋରୀର ଦ୍ୱାର ପାଖରେ ଛିଡ଼ା ହୋଇଥିଲେ। 

Advertisment

ଗୋଗାମେଡିଙ୍କ ସାମ୍ନାରେ ସୋଫାରେ ବସିଥିବା ଦୁଇ ଯୁବକ ହଠାତ୍ ଉଠିପଡ଼ି ତାଙ୍କ ଉପରକୁ ଗୁଳି କରିଥିଲେ। ତା’ସହିତ ସେଠାରେ ଉପସ୍ଥିତ ଗୋଗାମେଡିଙ୍କ ଦୁଇ ସହଯୋଗୀଙ୍କ ଉପରକୁ ଗୁଳି କରିଥିଲେ। ସେମାନେ ଗୋଗାମେଡିଙ୍କ ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ଗୋଗାମେଡି ତଳେ ପଡ଼ି ଯାଇଥିଲେ। ସେ ତଳେ ପଡ଼ିଯିବା ପରେ ମଧ୍ୟ ତାଙ୍କ ଉପରକୁ ଗୁଳି କରାଯାଇଥିଲା। 

ଗୋଗାମେଡି ଓ ତାଙ୍କର ଦୁଇ ସହଯୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଗୋଗାମେଡିଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କର ଦୁଇ ସହଯୋଗୀଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।  

ଏହି ହତ୍ୟାକାଣ୍ଡ ପାଇଁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ରୋହିତ ଗୋଦାରା ନିଜକୁ ଦାୟୀ କରିଛି। ଏନେଇ ସେ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଛି। ସୁଖଦେବ ସିଂହ ଗୋଗାମେଡିଙ୍କ ହତ୍ୟାର ପ୍ରାୟ ୧ ଘଣ୍ଟା ପରେ ସେ ଏହି ଦାବି କରିଛି। 

ସେ ଫେସ୍‌ବୁକ୍‌ରେ ଲେଖିଛି, ଏ ହତ୍ୟା ମୁଁ କରେଇଛି। ସେ (ସୁଖଦେବ ସିଂହ ଗୋଗାମେଡି) ଆମ ଶତ୍ରୁମାନଙ୍କ ସହିତ ମିଶିଥିଲା। ସେ ସେମାନଙ୍କୁ ସହଯୋଗ କରୁଥିଲା। ସେମାନଙ୍କ ସଂଗଠନକୁ ଦୃଢ଼ କରିବାକୁ ସେ କାମ କରୁଥିଲା। ଆମ ଶତ୍ରୁମାନେ ନିଜ ନିଜ ଘର ବାହାରେ କୋକେଇ ସଜାଡ଼ି ପ୍ରସ୍ତୁତ ରୁହନ୍ତି। ଖୁବ୍‌ଶୀଘ୍ର ଭେଟ ହେବ।  

ଗୋଗାମେଡି ପ୍ରଥମେ କରଣୀ ସେନାରେ ଥିଲେ। ବଲିଉଡ୍ ଫିଲ୍ମ ପଦ୍ମାବତୀକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲା କରଣୀ ସେନା। ୨୦୧୫ରେ ସୁଖଦେବ ସିଂହ ଗୋଗାମେଡି କରଣୀ ସେନାରୁ ବାହାରି ଆସିଥିଲେ। ଲୋକେନ୍ଦ୍ର ସିଂହ କଲବିଙ୍କ ନେତୃତ୍ୱରେ ସେ ଓ ଆଉ କିଛି ସଦସ୍ୟ ବାହାରି ଆସିଥିଲେ। ପରେ ଗୋଗାମେଡି ନିଜର ସଂଗଠନ ତିଆରି କଲେ ଓ ତା’ର ନାଁ ଦେଇଥିଲେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା।

Rashtriya Rajput Karni Sena Sukhdev Singh Gogamedi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe