ରେପୋ ରେଟ୍ ବା ସୁଧ ହାରକୁ ପୁଣିଥରେ ୬.୫%ରେ ଅପରିବର୍ତ୍ତିତ ରଖିଛି ଆରବିଆଇ। ଗୁରୁବାର ମାସିକ ମନିଟାରୀ ନୀତି ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମନିଟାରୀ ପଲିସି କମିଟି ସର୍ବସମ୍ମତିକ୍ରମେ ରେପୋ ରେଟକୁ ଅପରବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ରେପୋ ରେଟ ପୂର୍ବଭଳି ୬.୫% ରହିବ।
ଆର୍ଥିକ ବର୍ଷ ୨୦୨୩-୨୪ରେ ମୁଦ୍ରାସ୍ଫୀତି ୪%ରୁ ଅଧିକ ରହିବ। ଆର୍ଥିକ ବର୍ଷ ୨୦୨୪ରେ ସିପିଆଇ ବା ଗ୍ରାହକ ଦର ସୂଚକାଙ୍କ ୫.୨%ରୁ କମି ୫.୧% ରହିପାରେ। ସେହିପରି ୨୦୨୪ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୬.୫% ରହିବାର ସମ୍ଭାବନା ରହିଛି।
ଆର୍ଥିକ ବର୍ଷ ୨୦୨୪ର ପ୍ରଥମ କ୍ୱାର୍ଟର୍ରେ ପ୍ରକୃତ ଜିଡିପି ବା ଅଭିବୃଦ୍ଧି ୮% ରହିବାର ଆଶା ରହିଛି। ୪ର୍ଥ କ୍ୱାର୍ଟର୍ରେ ଏହା ୫.୭%କୁ ଖସିବାର ଆଶଙ୍କା ରହିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।
ଆରବିଆଇ ଗଭର୍ଣ୍ଣର ଶ୍ରୀ ଦାସ ଆହୁରି କହିଛନ୍ତି ଯେ ନିବେଶରେ ଏବେ ସୁଧାର ଆସିଛି। ମୌସୁମୀ ମଧ୍ୟ ସ୍ୱାଭାବିକ ରହିବ ବୋଲି ଆକଳନ କରାଯାଇଛି। ଆରବିଆଇ ଦରବୃଦ୍ଧି ଉପରେ ନଜର ରଖିଛି। ଗତ ମାସରେ ଆମଦାନୀ ହ୍ରାସ ପାଇବାରୁ ବ୍ୟବସାୟରେ ହେଉଥିବା କ୍ଷତିରେ ସୁଧାର ଆସିଛି। ଦେଶର ବିଦେଶ ମୁଦ୍ରା ପାଣ୍ଠି ମଧ୍ୟ ଭଲ ସ୍ଥିତିରେ ରହିଛି ବୋଲି ସେ କହିଛନ୍ତି।
ଏପ୍ରିଲ ମାସରେ ଦେଶର ମୁଦ୍ରାସ୍ଫୀତି ୮ ବର୍ଷର ରେକର୍ଡ ଭାଙ୍ଗି ୭.୭୯% ରହିଥିବା ମୁଦ୍ରା ନୀତି ବୈଠକରେ ଆଲୋଚନା ହୋଇଛି। ଏଥିରେ ସୁଧାର ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ବୈଠକରେ ମତ ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ, ଭାରତରେ ବ୍ୟାଙ୍କଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓ ଆଉ ବାକି ଯେତେ ସବୁ ବ୍ୟାଙ୍କ ରହିଲେ ତାହା ବାଣିଜ୍ୟିକ ବ୍ୟାଙ୍କ ବା କମର୍ସିଆଲ୍ ବ୍ୟାଙ୍କ। ସାଧାରଣ ଲୋକଙ୍କର ଆରବିଆଇ ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ କହିଲେ ଚଳେ।
ଆମର ଜରୁରୀ ସମୟରେ ଆମେ ଯେମିତି କମର୍ସିଆଲ୍ ବ୍ୟାଙ୍କରୁ ଋଣ କରୁଛେ, ଆଉ ସୁଧ ଦେଉଛେ ଠିକ୍ ସେମିତି କମର୍ସିଆଲ୍ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ଉପୁଜିଲେ ଆରବିଆଇ ଠାରୁ ଋଣ ଆଣନ୍ତି। ଏହା ବଦଳରେ ଆରବିଆଇ ଯେଉଁ ସୁଧ ନିଏ ତାହାକୁ ରେପୋ ରେଟ୍ ବା ରିପ୍ରଡକ୍ଟିଭ୍ ରେଟ୍ ବୋଲି କୁହାଯାଏ।
ଆରବିଆଇ ଟଙ୍କା ଛାପୁଥିବାରୁ ତାହାର ଏକ ବୈଶିଷ୍ଟ୍ୟ ରହିଛି ଯାହାକୁ ଇଂରାଜୀରେ “ମନୋପଲି ଅଫ୍ ନୋଟ୍ ଇସୁ” ବୋଲି କୁହାଯାଏ। କିନ୍ତୁ ଜରୁରୀ ସମୟରେ ଆରବିଆଇ ମଧ୍ୟ କମର୍ସିଆଲ୍ ବ୍ୟାଙ୍କଗୁଡ଼ିକଠାରୁ ଋଣ କରେ। ଆଉ ସେଥିପାଇଁ ଆରବିଆଇ ସେମାନଙ୍କୁ ସୁଧ ମଧ୍ୟ ଦିଏ। ଯେଉଁ ହାରରେ ଆରବିଆଇ ସୁଧ ଦିଏ ତାହାକୁ ରିଭର୍ସ ରେପୋ ରେଟ କୁହାଯାଏ।