/odisha-reporter/media/post_attachments/uploadimage/library/16_9/16_9_0/RCB_1749127469.jpg)
RCB
ଜୁନ ୩ ଆଇପିଏଲ ଫାଇନାଲ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ମ୍ୟାନେଜମେଣ୍ଟ ବେଙ୍ଗାଲୁରୁ ସିଟି ପୁଲିସ୍ ପାଖକୁ ଯାଇଥିଲା। ଯଦି ଆରସିବି ଫାଇନାଲ ଜିତିବ, ତା’ହେଲେ ଚିନ୍ନାସ୍ୱାମୀରୁ ବିଜୟ ଯାତ୍ରା ବାହାରିବ ବୋଲି ଅନୁମତି ମାଗିଥିଲା। ପୁଲିସ୍ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ନଥିଲା। କିନ୍ତୁ ବିଜୟ ପରେ ପୁଲିସ୍ ସହ କୌଣସି ପ୍ରକାରର ଆଲୋଚନା ନ କରି ଆରସିବି ପକ୍ଷରୁ ବିଜୟ ଶୋଭାଯାତ୍ରା ସମ୍ପର୍କରେ ଏକ୍ସରେ ଗୋଟିଏ ପୋଷ୍ଟ କରାଯାଇଥିଲା।
ଏହା ଭାଇରାଲ ହେବାରୁ ଏହାକୁ ଲକ୍ଷାଧିକ ଲୋକ ଦେଖିଥିଲେ। ବିଜୟ ଉତ୍ସବରେ ସାମିଲ ହେବା ପାଇଁ କୌଣସି ଟିକେଟ ବ୍ୟବସ୍ଥା ହୋଇ ନଥିଲା। ଆରସିବି ଫ୍ରି ଏଣ୍ଟ୍ରୀ ବା ମାଗଣା ପ୍ରବେଶ ବ୍ୟବସ୍ଥା କରିଥିବାରୁ କ୍ରିକେଟ ପ୍ରେମୀଙ୍କ ଅସମ୍ଭାଳ ଭିଡ଼ ଦେଖାଯାଇଥିଲା।
ହଜାର ହଜାର ଲୋକ ଚିନ୍ନାସ୍ୱାମୀରେ ପ୍ରବେଶ କରିଥିବା ବେଳେ ବିଧାନ ସୌଧରୁ ଚିନ୍ନାସ୍ୱାମୀ ଷ୍ଟାଡିମୟର ଆରମ୍ଭ ଓ ଶେଷ ପଏଣ୍ଟରେ ଫ୍ୟାନ୍ସମାନେ ଏକାଠି ହୋଇଥିଲେ। ବେଙ୍ଗାଲୁରୁ ପୁଲିସ୍ ଆରସିବି ମ୍ୟାନେଜମେଣ୍ଟକୁ ବିଜୟ ଉତ୍ସବ ଯାତ୍ରା ପାଇଁ ଅନୁମତି ନଥିବା ସୂଚିତ କରିଥିଲା। ଜୁନ ୪ ବଦଳରେ ଅନ୍ୟ ଗୋଟିଏ ଦିନ ଏହାକୁ କରିବାକୁ ପୁଲିସ ପରାମର୍ଶ ଦେଇଥିଲା। କିନ୍ତୁ ଜୁନ ୪ରେ ଆରସିବିର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରୁ ବିଜୟ ଶୋଭାଯାତ୍ରାର ସ୍ଥାନ ଓ ଭେନ୍ୟୁ ସମ୍ପର୍କରେ ପୁଲିସ ସହ ଆଲୋଚନା ନ କରି ଘୋଷଣା କରି ଦିଆଯାଇଥିଲା।
ସୂତ୍ର ଅନୁସାରେ, ବିନା ଆଲୋଚନାରେ ବିଜୟ ଶୋଭାଯାତ୍ରା ଘୋଷଣା ଠାରୁ ଆହୁରି ଏକ ଭୟଙ୍କର କାମ କରିଥିଲା ଆରସିବି। ଆରସିବି ପକ୍ଷରୁ ଫ୍ରି ଏଣ୍ଟ୍ରୀ ବ୍ୟବସ୍ଥା କରାଯାଇଥିଲା। ପୁଲିସ୍ ଅତି କମରେ ପଞ୍ଜୀକରଣ ବ୍ୟବସ୍ଥା କରିବାକୁ କହିଥିଲେ ହେଁ ଆରସିବି ଶୁଣି ନଥିଲା। କେବଳ ସୀମିତ ଏଣ୍ଟ୍ରୀ ଉଲ୍ଲେଖ କରି ଆରସିବି ଗୋଟିଏ ୱେବସାଇଟର ଲିଙ୍କ ଦେଇଥିଲା।
ଆରସିବି ମ୍ୟାନେଜମେଣ୍ଟକୁ ବୁଧବାର କୌଣସି ବିଜୟ ଉତ୍ସବ ପାଳନ ନ କରିବାକୁ ଅନୁରୋଧ କରାଯାଇଥିଲା। ରବିବାର ଯାଏ ଅପେକ୍ଷା କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପରାମର୍ଶକୁ ପ୍ରାଞ୍ଚାଇଜ ବିରୋଧ କରିଥିଲା। ପ୍ରାଞ୍ଚାଇଜ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ରବିବାର ବେଳକୁ ଦଳରେ ଥିବା ବିଦେଶୀ ଖେଳାଳିମାନେ ନିଜ ଦେଶକୁ ଚାଲି ଯାଇଥିବେ। ସେମାନେ ବିଜୟ ଉତ୍ସବରେ ସାମିଲ ହୋଇପାରିବେନି। ତେଣୁ ପ୍ରାଞ୍ଚାଇଜ ବୁଧବାର ବିଜୟ ଉତ୍ସବ ପାଳିବା ସପକ୍ଷରେ ରହିଥିଲା।
ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ଯେ ସେମାନେ ଉଭୟ ରାଜ୍ୟ ସରକାର ଓ ଆରସିବି ପ୍ରାଞ୍ଚାଇଜକୁ ବୁଧବାର ବଦଳରେ ରବିବାର ବିଜୟ ଉତ୍ସବ ପାଳିବାକୁ କହିଥିଲେ। ସେତେବେଳକୁ ଭିଡ଼ ସାମନ୍ୟ କମ ରହିବ ବୋଲି ପୁଲିସ୍ ପ୍ରଶାସନ ଆଶା କରିଥିଲା। ହେଲେ ସେମାନଙ୍କ ଯୁକ୍ତି ଥିଲା ଯେ ଟିମରେ ଥିବା ଅନେକ ବିଦେଶ ଖେଳାଳି ବୁଧବାର କିମ୍ବା ଗୁରୁବାର ସ୍ୱଦେଶ ଫେରିଯିବେ।
ପ୍ରଶାସନର ପରାମର୍ଶ ସତ୍ତ୍ୱେ ବିଜୟ ଉତ୍ସବ ଚିନ୍ନାସ୍ୱାମୀରେ ଆୟୋଜନ କରାଯାଇଥିଲା। ଷ୍ଟାଡିୟମ ଭିତରେ ବିଜୟ ଉତ୍ସବ ଚାଲି ଥିବା ବେଳେ ବାହାରେ ଅସମ୍ଭାଳ ଭିଡ଼ ଦେଖାଯାଇଥିଲା। ପ୍ରବେଶ ପାଇଁ କୌଣସି ଟିକେଟର ବ୍ୟବସ୍ଥା ହୋଇ ନଥିବାରୁ ଲକ୍ଷାଧିକ ଲୋକ ଷ୍ଟାଡିମୟ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ।
ଜୁନ ୩ ତାରିଖରେ ପୁଲିସ୍ କର୍ମଚାରୀମାନେ ବିଳମ୍ବିତ ରାତି ଯାଏ କମ କରିଥିଲେ। ଜୁନ ୪ ତାରିଖ ଭୋର ୪ଟା ଯାଏ ସେମାନଙ୍କୁ ଡ୍ୟୁଟି କରିବାକୁ ପଡ଼ିଥିଲା। କାରଣ ଜୁନ ୩ରେ ଆରସିବି ତା’ର ପ୍ରଥମ ଆଇପିଏଲ ଟ୍ରଫି ଜିତିବାରୁ ଫ୍ୟାନ୍ସମାନେ ବେଙ୍ଗାଲୁରୁ ରାସ୍ତାରେ ଉତ୍ସବ ମନାଇ ଥିଲେ। ଫଳରେ ପୁଲିସକୁ ରାତି ୪ଟା ଯାଏ ସେବା ଯୋଗାଇବାକୁ ପଡ଼ିଥିଲା।
ପୁଲିସ୍ କର୍ମଚାରୀମାନେ ଭୋର ଯାଏ କାମ କରିଥିବାରୁ ବୁଧବାର ସକାଳୁ ପୁଣି ଭିଡ଼ ନିୟନ୍ତ୍ରଣ କାମରେ ନିୟୋଜିତ ହେବା ସମ୍ଭବ ନୁହେଁ ବୋଲି ଆରସିବି ମ୍ୟାନେଜମେଣ୍ଟକୁ କହିଥିଲେ। ତଥାପି ଆରସିବି ପକ୍ଷରୁ ବିଜୟ ଉତ୍ସବ ବୁଧବାର ଅପରାହ୍ନ ୫ଟାରେ ହେବ ଓ ଫ୍ୟାନ୍ସମାନେ ଯଥାଶୀଘ୍ର ମାଗଣା ପାସ ପାଇଁ ଲିଙ୍କରେ ଦିଆଯାଇଥିବା ୱେବସାଇଟକୁ ଯିବାକୁ କୁହାଯାଇଥିଲା।
ବାସ୍ ଏହାପରେ ଚିନ୍ନାସ୍ୱାମୀରେ ଅସମ୍ଭାଳ ଭିଡ଼ ହୋଇଥିଲା। ଶେଷରେ ଦଳାଚକଟା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଆରସିବି ପକ୍ଷରୁ ମୃତକଙ୍କ ପରିବାର ପ୍ରତି ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
