କର୍ଣ୍ଣାଟକାରେ ବିଜେପିର ଖେଳ ବିଗାଡ଼ି ଦେବେ ବିଦ୍ରୋହୀ!

ଟିକେଟ ପାଇନଥିବା ବିଜେପି ନେତାମାନେ ଅନ୍ୟ ଦଳରୁ କିମ୍ବା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିପାରନ୍ତି।

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ (ଫାଇଲ ଫଟୋ)

  • Published: Friday, 14 April 2023
  • , Updated: 14 April 2023, 04:18 PM IST

କର୍ଣ୍ଣାଟକାରେ କ୍ଷମତାସୀନ ବିଜେପିରେ ଏବେ ବିଦ୍ରୋହ ଚରମସୀମାରେ ପହଞ୍ଚିଛି। ଏହି ବିଦ୍ରୋହ ରାଜ୍ୟରେ ପୁଣି କ୍ଷମତା ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବିଜେପିର ସବୁ ଖେଳ ବିଗାଡ଼ି ଦେବାର ଆଶଙ୍କା ପାଇଛି। ଯେଉଁ ସବୁ ନିର୍ବାଚନ ମଣ୍ଡଳରେ ବିଜେପି ବିରୋଧୀ ହାୱାର ସମ୍ମୁଖୀନ ହେଉଛି, ସେଠାରେ ଦଳୀୟ ନେତାଙ୍କ ବିଦ୍ରୋହ ସ୍ଥିତିକୁ ଆହୁରି ସାଂଘାତିକ କରିଛି।

ବିଦ୍ରୋହ ଯୋଗୁ ବିଜେପି ଏଯାଏ କର୍ଣ୍ଣାଟକା ବିଧାନସଭାର ୨୨୪ଟି ଆସନରୁ ୨୧୨ଟି ସ୍ଥାନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହା ମଧ୍ୟରୁ ୨୦ରୁ ୩୦ଟି ସ୍ଥାନରେ ବିଦ୍ରୋହ ଦେଖିବାକୁ ମିଳିଛି। ଟିକେଟ ପାଇଁ ଆଶା କରିଥିବା ବିଜେପି ନେତାମାନେ ନିରାଶ ହେବାରୁ ସେମାନେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏଥିସହ ଅନ୍ୟ ଦଳ ମୁହାଁ ମଧ୍ୟ ହୋଇଛନ୍ତି। ତେଣୁ ବିଦ୍ରୋହ ଦେଖିବାକୁ ମିଳିଥିବା ଆସନଗୁଡ଼ିକରେ ବିଜେପିକୁ ଜିତିବା ଆଦୌ ସହଜ ହେବନି। ତେବେ ଦଳୀୟ ସୂତ୍ରରେ କୁହାଯାଇଛି ଯେ କେବଳ ୭ରୁ୮ଟି ଆସନରେ ବିଦ୍ରୋହୀମାନେ ଦଳର ବିଜୟ ପ୍ରତିଶତକୁ ପ୍ରଭାବିତ କରିପାରନ୍ତି।

ସେ ଯାହା ବି ହେଉ, ବିଜେପି ପାଇଁ ବିଦ୍ରୋହୀ ଆଦୌ ଶୁଭଙ୍କର ନୁହନ୍ତି। ବିଜେପି ଆଜି ଯାଏ କେବେ ହେଲେ ବି କର୍ଣ୍ଣାଟକାରେ ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୧୧୩କୁ ଏକାକୀ ହାସଲ କରିପାରି ନାହିଁ। ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ଦଳ ସରକାର ଗଠନ କରିବାକୁ ସକ୍ଷମ ହୋଇଛି। 

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ବିଜେପି ବିଦ୍ରୋହର ସମ୍ମୁଖୀନ ହୋଇଥିଲା। ୬୮ଟି ଆସନରୁ ୨୧ଟି ସ୍ଥାନରେ ବିଜେପି ବିଦ୍ରୋହୀମାନେ ନିର୍ବାଚନ ଲଢ଼ିଥିଲେ। ଫଳସ୍ୱରୂପ ବିଜେପି କ୍ଷମତାଚ୍ୟୁତ ହୋଇଥିଲା।

ଟିକେଟ ଆଶାୟୀମାନେ ନିରାଶ ହେବା ପରେ ବିକ୍ଷୋଭ ଓ ବିଦ୍ରୋହ କରିବା ଏକ ସ୍ୱାଭାବିକ ଘଟଣା। କିନ୍ତୁ କର୍ଣ୍ଣାଟକା ବିଜେପି ପ୍ରଥମଥର ପାଇଁ ଏପରି ଏକ ବଡ଼ଧରଣର ବିଦ୍ରୋହର ସମ୍ମୁଖୀନ ହେଉଛି। ଦଳ ଏଥର ୧୮ ଜଣ ବିଧାୟକ, ୨ ଜଣ ବିଧାନ ପରିଷଦ ସଦସ୍ୟ ଓ ୧୨ ଜଣ ପୂର୍ବତନ ବିଧାୟକଙ୍କୁ ଟିକେଟ ଦେଇନାହିଁ।

ଏମାନେ ସମସ୍ତେ ଟିକେଟ ପାଇଁ ଅପେକ୍ଷା କରି ରହିଥିଲେ। ଲକ୍ଷ୍ମଣ ସାବାଡି, କେଏସ ଈଶ୍ୱରପ୍ପା, ଏମପି କୁମାରାସ୍ୱାମୀ, ଏସ୍‌ଏ ରବୀନ୍ଦ୍ରନାଥ, ଆର ଶଙ୍କର ଓ ନେହରୁ ଓଲେକକର ଟିକେଟ ନପାଇ ନିରାଶ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ନେତା ଦଳ ବଦଳ କରିବେ ବୋଲି ଧମକ ମଧ୍ୟ ଦେଇଛନ୍ତି। ଈଶ୍ୱରପ୍ପାଙ୍କ ପୁଅଙ୍କୁ ବିଜେପି ଟିକେଟ ଦେଇପାରେ। ଏଥିପାଇଁ ଈଶ୍ୱରପ୍ପା ବେଶ ଚତୁର ଭାବେ ନିର୍ବାଚନ ରାଜନୀତିକୁ ସନ୍ନ୍ୟାସ ନେଉଥିବା କଥା ଘୋଷଣା କରିଥିଲେ। କିନ୍ତୁ ଏହା ପଛରେ ଟିକେଟ ରାଜନୀତି ହିଁ ଥିଲା।

ଟିକେଟ ପାଇନଥିବା ବିଜେପି ନେତାମାନେ ଅନ୍ୟ ଦଳରୁ କିମ୍ବା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିପାରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଂଗ୍ରେସ ଓ ଜେଡିଏସ୍‌ ସରକାର ଭାଙ୍ଗିବା ବେଳେ ଅନେକ ବିଧାୟକ ବିଜେପିରେ ମିଶିଥିଲେ। ସେମାନଙ୍କୁ ଦଳ ଏଥର ଅଧିକ ଗୁରୁତ୍ୱ ଦେଇଛି। ତେଣୁ ଏହା ଦଳୀୟ ନେତାଙ୍କୁ ମର୍ମାହତ ମଧ୍ୟ କରିଛି।

ତେବେ କଂଗ୍ରେସ ଓ ଜେଡିଏସ କେମିତି ବିଜେପିରେ ଦେଖାଯାଇଥିବା ବିଦ୍ରୋହରୁ ଫାଇଦା ଉଠାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Related story