/odisha-reporter/media/media_files/2025/11/11/car-2025-11-11-13-29-26.jpg)
ବିସ୍ଫୋରଣରେ ବ୍ୟବହାର ହୋଇଥିବା କାର୍
ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ(Blast in Delhi) ପାଇଁ ବ୍ୟବହୃତ ହୋଇଥିବା ହୁଣ୍ଡାଇ ଆଇ ୨୦ କାରକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆତ୍ମଘାତୀ କାର ବିସ୍ଫୋରଣରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପୂର୍ବରୁ ୩ ଘଣ୍ଟା ଧରି ଐତିହାସିକ ସୁନେହରି ମସଜିଦ ନିକଟରେ ଗାଡ଼ିଟି ପାର୍କିଂ ହୋଇଥିଲା। ଏହି ସ୍ଥାନଟି ବିସ୍ଫୋରଣ ସ୍ଥଳରୁ ମାତ୍ର କିଛି ମିନିଟ ଦୂରତାରେ ରହିଛି।
ସିସିଟିଭିରୁ ଜଣାପଡ଼ିଛି ଯେ ସିଲଭର ଆଇ ୨୦ ମସଜିଦକୁ ଲାଗି ରହିଥିବା ପାର୍କିଂ ସ୍ଥଳକୁ ଦିନ ୩.୧୯ରେ ପ୍ରବେଶ କରିଥିଲା ଓ ସେଠାରେ ସନ୍ଧ୍ୟା ୬.୨୨ ଯାଏ ରହିଥିଲା। ଏହାପରେ ରେଡ ଫୋର୍ଟ ମେଟ୍ରୋ ଷ୍ଟେସନ ପାଖ ଟ୍ରାଫିକ ନିକଟରେ ପହଞ୍ଚି ବିସ୍ଫୋରଣ କରିଥିଲା।
ସିସିଟିଭି ଫୁଟେଜ ଓ ଟୋଲ ବୁଥ ରେକର୍ଡରୁ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ ନଭେମ୍ବର ୧୦ରେ କାର କେଉଁ ସବୁ ସ୍ଥାନକୁ ଯାଇଥିଲା, ତା’ର ତଥ୍ୟ ହାସଲ କରିଛି। ଦିଲ୍ଲୀରେ ପ୍ରବେଶ ଠାରୁ ଆରମ୍ଭ କରି ବିସ୍ଫୋରଣ ହେବା ଯାଏ ସବୁ ତଥ୍ୟ ଏବେ ପୁଲିସ୍ ହାତରେ ଲାଗିଛି।
ସକାଳ ୮.୦୪: ବଦାରପୁର ଟୋଲ ବୁଥ ଦେଇ କାରଟି ଦିଲ୍ଲୀରେ ପ୍ରବେଶ କରିଥିଲା। ଫରିଦାବାଦ ପଟୁ ଏହା ଆସିଥିଲା
ସକାଳ ୮.୨୦: ଓଖଲା ଶିଳ୍ପାଞ୍ଚଳରେ ଥିବା ଗୋଟିଏ ପେଟ୍ରୋଲ ପମ୍ପରେ ଗାଡ଼ିକୁ ଦେଖିବାକୁ ମିଳିଥିଲା। ସେଠାରେ ଗାଡ଼ିଟି କିଛି ସମୟ ରହିଥିଲା।
ଦିନ ବେଳା: ପେଟ୍ରୋଲ ପମ୍ପରୁ ବାହାରି ଗାଡ଼ିଟି ଦରିୟା ଗଞ୍ଜ, କଶ୍ମିରୀ ଗେଟ ଅଞ୍ଚଳକୁ ଯାଇଥିଲା। କେନ୍ଦ୍ରୀୟ ଓ ପୁରୁଣା ଦିଲ୍ଲୀ ଅଞ୍ଚଳରେ ଦିନତମାମ ବୁଲିବା ପରେ ଅପରାହ୍ନ ସମୟରେ ସୁନେହରି ମସଜିଦ ନିକଟରେ ପହଞ୍ଚିଥିଲା
ଅପରାହ୍ନ ୩.୧୯: ହୁଣ୍ଡାଇ ଆଇ ୨୦ ରେଡ ଫୋର୍ଟ ନିକଟ ପାର୍କିଂ ସ୍ଥଳରେ ପ୍ରବେଶ କରିଥିଲା। ଏହି ସ୍ଥାନଟି ଐତିହାସିକ ସୁନେହରି ମସଜିଦ ନିକଟରେ ରହିଛି।
ସନ୍ଧ୍ୟା ୬.୨୨: କାରଟି ପାର୍କିଂ ସ୍ଥଳରୁ ବାହାରିଥିଲା।
ସନ୍ଧ୍ୟା ୬.୨୮: ପାର୍କିଂରୁ ବାହାରି କାରଟି ଚାନ୍ଦନୀ ଚୌକ ଯିବା ସହ ଲାଲକିଲ୍ଲା ନିକଟରେ ୟୁ-ଟର୍ଣ୍ଣ ନେଇଥିଲା। ଶେଷରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟ ସୁଭାଷ ନଗର ମାର୍ଗରେ ଅଟକିଥିଲା। ଟ୍ରାଫିକ ସିଗ୍ନାଲ ରେଡ ହେବା କ୍ଷଣି ୬.୫୨ରେ କାରରେ ବିସ୍ଫୋରଣ ହୋଇଥିଲା।
କାରଟି ଦୀର୍ଘ ସମୟ ଧରି ସୁନେହରି ମସଜିଦ ନିକଟରେ ଅଟକିବା ଓ ଦିନ ତମାମ ବିଭିନ୍ନ ସ୍ଥାନରେ ବୁଲିବାର ଅର୍ଥ ଆତଙ୍କବାଦୀମାନେ ବିସ୍ଫୋରଣ ପୂର୍ବରୁ ରେକି କରିଥିଲେ। ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ ସହ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ଗୁଡ଼ିକ କାରରୁ ପୂରା ଯାତ୍ରାମାର୍ଗକୁ ତନତ୍ନ କରି ଛାନଭିନ କରୁଛନ୍ତି।
କାର ଯେଉଁ ସବୁ ସ୍ଥାନରେ ଅଟକି ଥିଲା, ସେଠାରେ ମଧ୍ୟ ପଚରାଉଚରା କରାଯାଉଛି। ୩ ଘଣ୍ଟା ଧରି ପାର୍କିଂ ସ୍ଥଳରେ ଗାଡ଼ି ରହିଥିବା ବେଳେ ଏହାର ଚାଳକ ଡାକ୍ତର ମହମ୍ମଦ ଉମର କ’ଣ କୌଣସି ହ୍ୟାଣ୍ଡେଲର ସହ କଥା ହୋଇଥିଲା କି ବୋଲି ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି।
ଦିଲ୍ଲୀ ବିସ୍ଫୋରଣ( Delhi Blast)ର ପରିଧି କଶ୍ମୀର ଯାଏ ଲମ୍ବିଛି। ବିସ୍ଫୋରଣ ପରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ରେଡ କରାଯାଇଛି। ଶୋପିଆନ ପୁଲିସ୍ ନନ୍ଦିଗାମରେ ଥିବା ଇମ୍ରାନ ଓରଫ ମୌଲବୀଙ୍କ ଘରେ ରେଡ କରି ତାଙ୍କୁ ଉଠାଇ ନେଇଛି। ପୁଲୱାମାରେ ୩୮ ବର୍ଷୀୟ ଟିପ୍ପର ଡ୍ରାଇଭର ତାରିକ ଅହମଦ ଦାରକୁ ମଧ୍ୟ ଅଟକ ରଖାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
