କୁସ୍ତି ମହାସଂଘ ସଭାପତିଙ୍କ ଅସଲ ମୁଖା ଖୋଲିଲେ ରେଫରୀ, କହିଦେଲେ ସବୁ କଥା

ଏବେ ଅନ୍ତର୍ଜାତୀୟ କୁସ୍ତିର ରେଫରୀ ଜଗବୀର ସିଂହ ମଧ୍ୟ ବ୍ରିଜ ଭୂଷଣଙ୍କ ସମ୍ପର୍କରେ ସାଂଘାତିକ କଥା କହିଛନ୍ତି। ଗତବର୍ଷ ମାର୍ଚ୍ଚ ମାସରେ ବ୍ରିଜ ଭୂଷଣ ଜଣେ ମହିଳା ରେସଲରଙ୍କ ଏମିତି ଏକ ସ୍ଥାନକୁ ଜାବୁଡ଼ି ଧରିଥିଲେ ଯେ ଯାହାକୁ କେହି କୌଣସି ଭଦ୍ର ଲୋକ କେବେ ହେଲେ ସ୍ପର୍ଶ କରିବାକୁ ଚିନ୍ତା ମଧ୍ୟ କରନ୍ତି ନାହିଁ ବୋଲି ଜଗବୀର କହିଛନ୍ତି।

ଦେଶର ୩ ଷ୍ଟାର ରେସଲର

  • Published: Saturday, 10 June 2023
  • , Updated: 10 June 2023, 04:21 PM IST

କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଅସଲ ମୁଖା ଖୋଲି ଦେଇଛନ୍ତି ଜଣେ ଅନ୍ତର୍ଜାତୀୟ ସ୍ତରର ରେଫରୀ। ଦେଶର ଷ୍ଟାର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ହେଁ ଏହାକୁ ସେ ଖଣ୍ଡନ କରି ଚାଲିଛନ୍ତି।

ହେଲେ ଏବେ ଅନ୍ତର୍ଜାତୀୟ କୁସ୍ତିର ରେଫରୀ ଜଗବୀର ସିଂହ ମଧ୍ୟ ବ୍ରିଜ ଭୂଷଣଙ୍କ ସମ୍ପର୍କରେ ସାଂଘାତିକ କଥା କହିଛନ୍ତି। ଗତବର୍ଷ ମାର୍ଚ୍ଚ ମାସରେ ବ୍ରିଜ ଭୂଷଣ ଜଣେ ମହିଳା ରେସଲରଙ୍କ ଏମିତି ଏକ ସ୍ଥାନକୁ ଜାବୁଡ଼ି ଧରିଥିଲେ ଯେ ଯାହାକୁ କେହି କୌଣସି ଭଦ୍ର ଲୋକ କେବେ ହେଲେ ସ୍ପର୍ଶ କରିବାକୁ ଚିନ୍ତା ମଧ୍ୟ କରନ୍ତି ନାହିଁ ବୋଲି ଜଗବୀର କହିଛନ୍ତି। ତାଙ୍କ କହିବା କଥା ଏହି ଘଟଣା ଲକ୍ଷ୍ନୌରେ ଘଟିଥିଲା।

ବ୍ରିଜ ଭୂଷଣଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ପ୍ରାୟ ୨୦୦ ଜଣଙ୍କ ବୟାନ ରେକର୍ଡ କରିଛି। ଏମାନଙ୍କ ମଧ୍ୟରେ ଜଗବୀର ମଧ୍ୟ ରହିଥିଲେ। ତାଙ୍କ ବୟାନକୁ ପୁଲିସ ୨୦୨୩ ମସିହା ମେ’ ୨୦ରେ ପଟିଆଲାରେ ରେକର୍ଡ କରିଥିଲା।

୭ ଜଣ ମହିଳା ରେସଲର ଦିଲ୍ଲୀର କନ୍ନୌଟ ପ୍ୟାଲେସ ପୁଲିସ ଷ୍ଟେସନରେ ବ୍ରିଜ ଭୂଷଣଙ୍କ ବିରୋଧରେ ଏଫଆଇଆର ଦେଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ରେସଲର କହିଥିଲେ ଯେ ୨୦୨୨ ମସିହା ମାର୍ଚ୍ଚ ୨୫ରେ ଲକ୍ଷ୍ନୌରେ ଏସିଆନ ଚାମ୍ପିୟନଶିପ ପାଇଁ ଟ୍ରାଏଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ସମସ୍ତେ ଏକାଠି ଫଟୋ ଉଠାଇଥିଲେ। ଏହି ସମୟରେ ବ୍ରିଜ ଭୂଷଣ ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଜଗବୀର ମଧ୍ୟ ଉପସ୍ଥିତ ଥିଲେ। ସେ ମଧ୍ୟ ଏହି ଅଭିଯୋଗରେ ସତ୍ୟତା ଥିବା କହିଛନ୍ତି। ବ୍ରିଜ ଭୂଷଣ ଉକ୍ତ ମହିଳା ରେସଲରଙ୍କୁ ଅତ୍ୟନ୍ତ ଆପତ୍ତିଜନକ ଭାବେ ଓ ବିନା ଅନୁମତି ସ୍ପର୍ଶ କରିଥିଲେ। ଏହାପରେ ମହିଳା ଜଣଙ୍କ ରାଗି ଯାଇ ବ୍ରିଜ ଭୂଷଣଙ୍କୁ କିଛି କହିଥିଲେ।

ଏଥିସହ ତୁରନ୍ତ ଉକ୍ତ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ସେ କୁସ୍ତି ମହାସଂଘର ସଭାପତି ଓ ମୁଖ୍ୟ କୋଚ୍‌ ସହ ଖେଳାଳିମାନେ ଉଠାଇଥିବା ଗ୍ରୁପ୍‌ ଫଟୋରେ ସାମିଲ ହୋଇ ନଥିଲେ ବୋଲି ଜଗବୀର କହିଛନ୍ତି।

ଜଗବୀର ଆହୁରି କହିଛନ୍ତି, “ଆପତ୍ତିଜନକ ସ୍ପର୍ଶ ପରେ ମହିଳା ରେସଲର ଜଣଙ୍କ ତାଙ୍କ ପାଖରୁ ଦୂରେଇ ଯିବାକୁ ଚେଷ୍ଟା କରିଥିଲେ। ହେଲେ ବ୍ରିଜ ଭୂଷଣ ତାଙ୍କ କାନ୍ଧକୁ ଧରି ନିଜ ପାଖକୁ ଟାଣିଥିଲେ। ଆମେ ସମସ୍ତେ ଫଟୋ ଉଠାଇବା ପାଇଁ ଛିଡ଼ା ହୋଇଥିଲା। କିନ୍ତୁ ଉକ୍ତ ଘଟଣା ପାଇଁ ଫଟୋ ଉଠାଇବା ବିଳମ୍ବ ହୋଇଥିଲେ। ତେଣୁ ପୂରା ଘଟଣାକୁ ସମସ୍ତେ ନୋଟିସ କରିଥିଲେ। ଘଟଣା ପରେ ମହିଳା ରେସଲରଙ୍କ ଜଣଙ୍କ ଅପମାନବୋଧ କରିଥିଲେ ଓ ରାଗି ଯାଇ ସେଠାରୁ ଚାଲି ଯାଇଥିଲେ।”

ଦିଲ୍ଲୀ ପୁଲିସ୍‌ ଜଗବୀରଙ୍କୁ କେବଳ ଲକ୍ଷ୍ନୌ ଘଟଣା ସମ୍ପର୍କରେ ପଚାରି ବୟାନ ରେକର୍ଡ କରିଥିଲେ। ହେଲେ ଆଜି ସେ ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବ୍ରିଜ ଭୂଷଣଙ୍କ କଳା ଚିଠା ଖୋଲିଛନ୍ତି। ୨୦୧୩ରେ ବ୍ରିଜ ଭୂଷଣ କେମିତି ସାଂଘାତିକ କାମ କରିଥିଲେ, ସେକଥାର ମଧ୍ୟ ସେ ଖୁଲାସା କରିଛନ୍ତି।

ଜଗବୀରଙ୍କ କହିଛନ୍ତି, “ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହୋଇଥିବା ଗୋଟିଏ ପ୍ରତିଯୋଗିତା ପରେ ଡିନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବ୍ରିଜ ଭୂଷଣ ପ୍ରଚୁର ମଦ ପିଇ ମହିଳା ରେସଲରମାନଙ୍କୁ ଅସଦାଚରଣ କରିଥିଲେ। ସେଦିନ ବ୍ରିଜ ଭୂଷଣଙ୍କ ସହ ତାଙ୍କ ସହଯୋଗୀମାନେ ମଧ୍ୟ ମଦ ପିଇଥିଲେ।

ସେମାନେ ମହିଳା ରେସଲରମାନଙ୍କୁ ଅତ୍ୟନ୍ତ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ବଳପୂର୍ବକ ସେମାନଙ୍କୁ କଣ୍ଢାଇବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ଟ୍ରେନିଂ ଗିୟର ମଧ୍ୟ ଅଫର କରିଥିଲେ। ଏଥିପାଇଁ କିଛି ମହିଳା ରେସଲର ଡିନର ନ କରି ସେଠାରୁ ଚାଲି ଯାଇଥିଲେ। ଆମେ ଜଣେ ରାକ୍ଷାସଙ୍କୁ ମହାସଂଘର ସଭାପତି ପଦ ଦେଇ ଦେଇଛୁ ବୋଲି ଭାବିଥିଲୁ।”

ତେବେ ଏତେ ଦିନ ଯାଏ ସେ କାହିଁକୁ ଚୁପ ରହିଥିଲେ ବୋଲି ପ୍ରଶ୍ନର ଉତ୍ତରରେ ଜଗବୀର କହିଛନ୍ତି, “ଯେତେବେଳେ ଜଣେ ରକ୍ଷକ ହିଁ ଭକ୍ଷକ ହୋଇଯିବ ସେତେବେଳେ କୁଆଡ଼େ ଯିବାର ଆବଶ୍ୟକ ପଡ଼ିବନି। ବ୍ରିଜ ଭୂଷଣ ଶୀର୍ଷ ପଦରେ ରହିଥିବା ବେଳେ ତାଙ୍କର ଦବଦବା ମଧ୍ୟ ରହିଥିଲା। ତେଣୁ ମହିଳା ରେସଲର ଓ ମୁଁ ନିଜେ ଆମକ କ୍ୟାରିୟରକୁ ନେଇ ଭୟଭୀତ ହୋଇଥିଲୁ। ତେଣୁ ଚୁପ ରହିବାକୁ ବାଧ୍ୟ ହୋଇଥିଲୁ।”

ବ୍ରିଜ ଭୂଷଣ ମହିଳା ରେସଲରମାନଙ୍କୁ ସବୁବେଳେ ଅସଦାଚରଣ କରୁଥିଲେ, ସେମାନଙ୍କୁ ଆପତ୍ତିଜନକ ଭାବେ ବ୍ୟକ୍ତିଗତ ପ୍ରଶ୍ନ କରୁଥିଲେ, ସେମାନଙ୍କୁ ଯୌନ ସମ୍ପର୍କ ରଖିବାକୁ ପ୍ରସ୍ତାବ ଦେଉଥିଲେ। ଏଥିସହ ସେ ଜଣେ ନାବାଳିକା ରେସଲରଙ୍କ ବ୍ରେଷ୍ଟକୁ ଅଭଦ୍ରଙ୍କ ଭଳି ସ୍ପର୍ଶ କରିବା ସହ ତାଙ୍କୁ ପିଛା କରୁଥିବା ଦିଲ୍ଲୀ ପୁଲିସ୍‌ ରୁଜୁ କରିଥିବା ଏଫଆଇଆର୍‌ରେ ଉଲ୍ଲେଖ କରାଯାଇଛି।

Related story