Rekha Gupta
ପ୍ରତୀକ୍ଷା ସମାପ୍ତ ହେଲା। କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିଜେପି ଘୋଷଣା କଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ। ରେଖା ଗୁପ୍ତା ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସନ୍ଧ୍ୟାରେ ଦିଲ୍ଲୀ ବିଜେପି ବିଧାୟକ ଦଳ ବୈଠକରେ କରାଯାଇଛି ଏହି ଘୋଷଣା। ସେ ଆସନ୍ତାକାଲି ଐତିହାସିକ ରାମଲୀଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ସହିତ ସେ ହେବେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ରେସ୍ରେ ଥିବା ପରବେଶ ସାହିବ ସିଂହ ବର୍ମା ହେବେ ଉପମୁଖ୍ୟମନ୍ତ୍ରୀ। ସେ ନୂଆଦିଲ୍ଲୀ ଆସନରେ ଅରବିନ୍ଦ କେଜ୍ରିୱାଲଙ୍କୁ ୪ ହଜାରରୁ ଅଧିକ ଭୋଟ୍ରେ ହରାଇଥିଲେ। ଏହା ପରେ ସେ ମୁଖ୍ୟମନ୍ତ୍ରୀ ରେସ୍ରେ ସର୍ବାଗ୍ରେ ଥିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲା। ତେବେ ସମୟ ଗଡ଼ିବା ସହିତ ଜଣେ ମହିଳାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା ଓ ରେଖା ଗୁପ୍ତାଙ୍କ ନାଁ ସାମ୍ନାକୁ ଆସିଥିଲା। ଆଉ ଶେଷରେ ଆଜି ତାଙ୍କ ନାଁ ଉପରେ ବାଜିଲା ମୋହର।
ଦଳର ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିବା ସହିତ ତିନିଥର ମ୍ୟୁନିସିପାଲିଟି କାଉନସିଲର ହୋଇଥିବା ରେଖା ଗୁପ୍ତା ଏଥର ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ସେ ଶାଲିମାର ବାଗରୁ ନିର୍ବାଚନ ଜିତିଛନ୍ତି।
ଶାଲିମାର ବାଗ ବିଧାନସଭା ଆସନରେ ରେଖା ଗୁପ୍ତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପ୍ର ବନ୍ଦନା କୁମାରୀଙ୍କୁ ୨୯ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରିଥିଲେ। ରେଖା ଗୁପ୍ତାଙ୍କୁ ୬୮,୨୦୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବନ୍ଦନା କୁମାରୀଙ୍କୁ ୩୮,୬୦୫ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରବୀଣ ଜୈନଙ୍କୁ ମାତ୍ର ୪,୮୯୨ ଖଣ୍ଡ ଭୋଟ୍ ମିଳିଥିଲା।
୧୯୭୪ ମସିହାରେ ଜନ୍ମ ହୋଇଥିବା ରେଖା ଗୁପ୍ତା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସାଧାରଣ ସଂପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ରହିଥିଲେ। ୨୦୦୭ରେ ସେ ଉତ୍ତର ପୀତମପୁରାରୁ ଦିଲ୍ଲୀ କାଉନସିଲର ନିର୍ବାଚନ ଜିତିଥିଲେ। ୨୦୧୨ରେ ସେ ପୁଣି ଥରେ ସେଠାରୁ ଦିଲ୍ଲୀ କାଉନସିଲ ନିର୍ବାଚନ ଜିତିଥିଲେ। ସେ ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ (ଏସ୍ଡିଏମ୍ସି)ର ମେୟର ମଧ୍ୟ ରହିଥିଲେ। ୨୦୨୨ରେ ଦଳ ତାଙ୍କୁ ଆପ୍ର ଶେଲୀ ଓବରାଇଙ୍କ ବିରୋଧରେ ମେୟର ପ୍ରାର୍ଥୀ କରିଥିଲା। ରେଖା ଗୁପ୍ତା ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷ ଅଛନ୍ତି। ସେ ପୂର୍ବରୁ ଦଳର ଦିଲ୍ଲୀ ଶାଖାର ମହାସଚିବ ମଧ୍ୟ ଥିଲେ।
ରେଖା ଗୁପ୍ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିବା ପାଇଁ ଚୟନ କରିବା ପରେ ସେ ଦଳୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଦେବା ସହିତ ନିଷ୍ଠା ଓ ସଚ୍ଚୋଟତାର ସହିତ ଦିଲ୍ଲୀବାସୀଙ୍କ ସେବା କରିବେ ବୋଲି ପ୍ରତିଜ୍ଞା ନେଉଛନ୍ତି ବୋଲି କହିଛନ୍ତି।
ବିଜେପି ୨୭ ବର୍ଷ ପରେ ଦିଲ୍ଲୀରେ ଶାସନ କରିବାକୁ ଯାଉଛି। ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ୭୦ଟି ଆସନରୁ ବିଜେପି ୪୮ଟିରେ ବିଜୟୀ ହୋଇଥିବା ବେଳେ ଆପ୍ ମାତ୍ର ୨୨ଟି ଆସନ ପାଇଛି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦଳର ଆଗଧାଡ଼ିର ଅନେକ ନେତା ଏଥର ପରାସ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମନୀଷ ସିସୋଦିଆ ମଧ୍ୟ ରହିଛନ୍ତି। ତେବେ କିଛି ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ଆତିଶୀ ବିଜୟୀ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1739976206.jpg)