Advertisment

ହ୍ୱାଟସଆପ୍‌ ଗ୍ରୁପରୁ କାଢ଼ି ଦେବାରୁ ଆଡମିନଙ୍କୁ ପିଟିଲେ, ଗୁଳି କଲେ

ଜଣେ ଟେନିସ କୋଚ, ଜଣେ ଜାଭେଲିନ ଫିଙ୍ଗାଳି ଓ ଜଣେ ଟୋଲ ପ୍ଲାଜା କର୍ମଚାରୀ ମିଳିତ ଭାବେ ଆଡମିନଙ୍କୁ ମାଡ଼ ମାରିବା ସହ ତାଙ୍କ ଉପରକୁ ଗୁଳି ଚଳାଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Whatsapp

Whatsapp

ଗୋଟିଏ ହ୍ୱାଟସଆପ୍‌ ଗ୍ରୁପର ଆଡମିନଙ୍କ ଉପରେ ହୋଇଛି ଗୁଳିମାଡ଼। ଜଣେ ଟେନିସ କୋଚ, ଜଣେ ଜାଭେଲିନ ଫିଙ୍ଗାଳି ଓ ଜଣେ ଟୋଲ ପ୍ଲାଜା କର୍ମଚାରୀ ମିଳିତ ଭାବେ ଆଡମିନଙ୍କୁ ମାଡ଼ ମାରିବା ସହ ତାଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ୩ ଅଭିଯୁକ୍ତ ହ୍ୱାଟସଆପ୍‌ ଗ୍ରୁପରେ ଅଭଦ୍ର ବୟାନ ଦେଇଥିବାରୁ ଆଡମିନ ଜଣଙ୍କ ସେମାନଙ୍କୁ ସେଠାରୁ କାଢ଼ି ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ୩ ଜଣ ଯାକ ହ୍ୱାଟସଆପ୍‌ ଗ୍ରୁପର ଆଡମିନଙ୍କୁ ଆକ୍ରମଣ କରିଛନ୍ତି। ଗୁରୁଗ୍ରାମର ପତୌଦି ଏପରି ଏକ ଘଟଣା ଘଟିଛି।

Advertisment

ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ଲୋକ ଏନେଇ ଅଭିଯୋଗ କରିବା ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ କହିଛି ଯେ ରାଜକମଲ କିଛି ମାସ ତଳେ ଗୋଟିଏ ହ୍ୱାଟସଆପ୍‌ ଗ୍ରୁପ ଖୋଲିବା ସହ ୧୦୦ ଜଣ ପେଟ୍‌ ଓନରଙ୍କୁ ସଦସ୍ୟ ଭାବେ ଏଥିରେ ଯୋଡ଼ିଥିଲେ। ପୋଶା ପଶୁମାନଙ୍କୁ କେମିତି ଉପଯୁକ୍ତ ଖାଦ୍ୟ ଦିଆଯିବ ଓ ସେମାନଙ୍କ ସୁରକ୍ଷା କେମିତି କରାଯିବ, ସେ ବିଷୟରେ ଏହି ଗ୍ରୁପ୍‌ରେ ତଥ୍ୟ ଆଦାନ ପ୍ରଦାନ ହୋଇଥାଏ। ଏଥିସହ ବେଆଇନ କୁକୁ ଲଢ଼େଇ ସମ୍ପର୍କରେ ମଧ୍ୟ ଗ୍ରୁପ୍‌ରେ କଥାବାର୍ତ୍ତା ହୋଇଥାଏ। 

ତେବେ ଗ୍ରୁପରେ ୩ ଅଭିଯୁକ୍ତ ଅଭଦ୍ର ‌ଓ ଅପମାନସୂଚକ ପୋଷ୍ଟ ବାରମ୍ବାର କରିବାରୁ ରାଜକମଲ ସେମାନଙ୍କୁ କାଢ଼ି ଦେଇଥିଲେ। ଏହାକୁ ନେଇ ସେମାନେ ରାଜକମଲଙ୍କୁ ଆକ୍ରମଣ କରିଛନ୍ତି।

Advertisment

ଏପସିପି(କ୍ରାଇମ) ପ୍ରୀତ ପଲ ସାଙ୍ଗୱାନ କହିଛନ୍ତି, ୩ ଗିରଫ ଅଭିଯୁକ୍ତ ହେଲେ ଆନନ୍ଦ କୁମାର, ହିତେଶ ଓ ଭୂପେନ୍ଦ୍ର। ଆନନ୍ଦ କୁମାର ନୋଏଡାରେ ଥିବା ଗୋଟିଏ ଏକାଡେମୀରେ ଟେନିସ ତାଲିମ ଦିଅନ୍ତି। ହିତେଶ ହେଉଛନ୍ତି ଜଣେ ଜାଭେଲିନ ଥ୍ରୋଏର। ସେହିପରି ଭୂପେନ୍ଦ୍ର ଟୋଲ ପ୍ଲାଜାରେ କାମ କରନ୍ତି।

କିଛି ଦିନ ତଳେ ଆନନ୍ଦଙ୍କ କୁକୁର ବେଆଇନ କୁକୁର ଲଢ଼େଇ ବେଳେ ପ୍ରାଣ ହରାଇଥିଲା। ଏହାକୁ ନେଇ ଜଣେ ସଦସ୍ୟ ଗ୍ରୁପ୍‌ରେ ଗୋଟିଏ କମେଣ୍ଟ କରିଥିଲେ। ଉକ୍ତ କମେଣ୍ଟ ଆନନ୍ଦଙ୍କୁ କଷ୍ଟ ଦେବାରୁ ସେ ରାଗି ଯାଇଥିଲେ। କମେଣ୍ଟ କରିଥିବା ସଦସ୍ୟଙ୍କୁ ଆନନ୍ଦ, ଭୂପେଶ ଓ ହିତେଶ ଗ୍ରୁପରେ ହିଁ ଗାଳି ଗୁଲଜ କରିଥିଲେ। ସେମାନେ ଅଭଦ୍ର ଓ ଅପମାନସୂଚକ ଶବ୍ଦ ପ୍ରୟୋଗ କରିବାରୁ ରାଜକମଲ ୩ ଜଣଙ୍କୁ ଗ୍ରୁପରୁ ବାହାର କରି ଦେଇଥିଲେ।

ଏହି ଘଟଣା ସେମାନଙ୍କୁ ବାଧି ଥିଲା। ତେଣୁ ସେମାନେ ପ୍ରତିଶୋଧ ନେବାକୁ ପଣ କରିଥିଲେ। ରବିବାର ରାଜକମଲ ପତୌଦିରେ ଥିବା ବାସପାଡାମକା ଗାଁକୁ ଯାଉଥିବା ବେଳେ ୩ ଜଣ ଯାକ ମିଳିତ ଭାବେ ତାଙ୍କ ପାଖରେ ପହଞ୍ଚିଥିଲେ। କାହିଁକି ଗ୍ରୁପରୁ କାଢ଼ିଲ ବୋଲି ପ୍ରଶ୍ନ କରି ସେମାନେ ତାଙ୍କୁ ମାଡ଼ ମାରିଥିଲେ। ଆନନ୍ଦ ପଛପଟୁ ରାଜକମଲଙ୍କୁ ଧରିଥିଲେ ଓ ଭୂପେନ୍ଦ୍ର ତାଙ୍କ ମାଡ଼ ମାରି ଚାଲିଥିଲେ। ଏତିକି ବେଳେ ହିତେଶ ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ରାଜକମଲଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଗୁଳିଟି ତାଙ୍କ ପେଟ ପାଖରେ ଘଷି ହୋଇ ଚାଲି ଯାଇଥିଲା। ଭୂପେନ୍ଦ୍ରଙ୍କ ହାତରେ ମଧ୍ୟ ଗୁଳିର କିଛି ଅଂଶ ମାଡ଼ ହୋଇଛି ବୋଲି ଶ୍ରୀ ସାଙ୍ଗୱାନ କହିଛନ୍ତି।

ଘଟଣା ପରେ ରାଜକମଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଭୂପେନ୍ଦ୍ର ଘରେ ରହିଛନ୍ତି। ପୁଲିସ ଆଇପିସିର ୩୦୭ ଦଙ୍ଗେ ମାଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିଛି।

Whatsapp