Advertisment

ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣା: ଶେଷରେ ଆତ୍ମସମର୍ପଣ କଲେ ଓରେଭା ଗ୍ରୁପ ଅଧ୍ୟକ୍ଷ

ଗତବର୍ଷ ପୋଲ ଭୁଶୁଡ଼ି ପଡ଼ିବାରୁ ୧୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ପୂରା ଦେଶ ଏହି ଖବରରେ ସ୍ତବ୍ଧ ହୋଇଯାଇଥିବା ବେଳେ ଓରେଭା ଗ୍ରୁପ୍‌ର ମୁଖ୍ୟ ଜୟସୁଖ ଫେରାର ହୋଇଯାଇଥିଲେ।

author-image
Hemant Lenka
Oreva Group

Oreva Group

ଗୁଜରାଟର ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାର ଅଭିଯୁକ୍ତ ତଥା ଓରେଭା ଗ୍ରୁପ୍‌ର ଅଧ୍ୟକ୍ଷ ଜୟସୁଖ ପଟେଲ ଆଜି କୋର୍ଟରେ ଆତ୍ମସର୍ପଣ କରିଛନ୍ତି। ଝୁଲା ପୋଲ ମରାମତି ଦାୟିତ୍ୱ ଓରେଭା ଗ୍ରୁପ ନେଇଥିଲା। ତେବେ ଗତବର୍ଷ ଏହା ଭୁଶୁଡ଼ି ପଡ଼ିବାରୁ ୧୩୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

Advertisment

ପୂରା ଦେଶ ଏହି ଖବରରେ ସ୍ତବ୍ଧ ହୋଇଯାଇଥିବା ବେଳେ ଓରେଭା ଗ୍ରୁପ୍‌ର ଜୟସୁଖ ଫେରାର ହୋଇଯାଇଥିଲେ। ତାଙ୍କୁ ପୁଲିସ୍‌ ଏହି ଘଟଣାର ଅଭିଯୁକ୍ତ ଭାବେ ଦର୍ଶାଇ ଖୋଜୁଥିଲା। ଆଜି ସେ କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ଆସନ୍ତାକାଲି ତାଙ୍କ ଜାମିନ ଆବେଦନର ଶୁଣାଣି ହେବ।

ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ପୁଲିସ୍‌ ୧୨ଶହ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଛି। ଏଥିରେ କୁହାଯାଇଛି ଯେ ପୋଲରେ ଲାଗିଥିବା ୪୯ଟି କେବୁଲରୁ ୨୨ଟି ଜଙ୍କ ଖାଇଯାଇଥିଲା। ରାଜ୍ୟ ସରକାର ଓରେଭାକୁ ବ୍ରିଜ୍‌ର ମରାମତି କାମ ଦେଇଥିଲେ। କମ୍ପାନୀ ନିଜ ଇଚ୍ଛାରେ ମରାମତି କରିବା ସହ ବିନା ପ୍ରମାଣପତ୍ରରେ ଲୋକଙ୍କ ବ୍ୟବହାର ପାଇଁ ଏହାକୁ ଖୋଲି ଦେଇଥିଲା। ବ୍ରିଟିଶ ଅମଳର ଏହି ପୋଲର ମରାମତି ୧୨ ମାସ ଯାଏ ଚାଲିବାର ଥିଲା। କିନ୍ତୁ ୬ ମାସ ପରେ ଏହାକୁ ଖୋଲି ଦିଆଯାଇଥିଲା। ଯେଉଁଥି ପାଇଁ ଅକ୍ଟୋବର ୩୦ରେ ଏହା ଭୁଶୁଡ଼ି ପଡ଼ିଥିଲା।

Advertisment

ଓରେଭା ଗ୍ରୁପ କାନ୍ଥ ଘଣ୍ଟା ତିଆରି ପାଇଁ ଜଣାଶୁଣା। ଏହା ସତ୍ତ୍ୱେ ଉକ୍ତ କମ୍ପାନୀକୁ ୧୦୦ ବର୍ଷ ପୁରୁଣା ଝୁଲା ପୋଲର ମରାମତି ଓ ରକ୍ଷାଣବେକ୍ଷଣ ଦାୟିତ୍ୱ ଦିଆଯାଇଥିଲା। ଏହାକୁ ନେଇ ବିରୋଧୀ ଗୁଜରାଟ ସରକାରଙ୍କୁ ଦାୟୀ କରି ବେଶ ହଙ୍ଗାମା କରିଥିଲେ। ଏଥିସହ ଗୁଜରାଟ ନିର୍ବାଚନରେ ଏହାକୁ ପ୍ରସଙ୍ଗ କରି କ୍ଷମତାସୀନ ବିଜେପିକୁ ଗାଦିଚ୍ୟୁତ କରିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ବିଜେପି ଐତିହାସିକ ବିଜୟ ହାସଲ କରି ଗୁଜରାଟରେ ପୁଣି ସରକାର ଗଠନ କରିଛି।

Gujarat Morbi