Train Accident
ଦୀର୍ଘ ୧୫ ଘଣ୍ଟାରୁ ଅଧିକ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସମାପ୍ତ ହେଲା। ଏବେ ପୁନରୁଦ୍ଧାର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରେଳ ବିଭାଗର ମୁଖପାତ୍ର ଅମିତାଭ ଶର୍ମା ।
ଏନେଇ ସୂଚନା ଦେଇ ସେ କହିଛନ୍ତି, ୩ଟି ଟ୍ରେନ୍ ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣା ଯୋଗୁ ବହୁ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ବହୁ ବଗି ଓଲଟି ପଡ଼ିଥିଲା। ଏନଡିଆରଏଫ, ଆର୍ମି, ଓଡ୍ରାଫ ଟିମ୍, ଅଗ୍ନିଶମ ବିଭାଗ, ସ୍ଥାନୀୟ ପୁଲିସ୍ ତଥା ରେଳବାଇ ପୁଲିସ୍ର ମିଳିତ ଉଦ୍ୟମରେ ଦୀର୍ଘ ୧୫ ଘଣ୍ଟା ପରେ ପ୍ରାୟ ଏହି ଅପରେସନ ଶେଷ ହୋଇଛି।
ଉଦ୍ଧାର କାର୍ଯ୍ୟ ଶେଷ ହୋଇ ଯାଇଥିବା ବେଳେ ଏବେ ପୁନରୁଦ୍ଧାରକୁ ଗୁରୁତ୍ୱ ଦିଆଯାଉଛି। ଫଳରେ ଉକ୍ତ ରୁଟ୍ ଦେଇ କିପରି ପୁଣି ଥରେ ସ୍ୱାଭାବିକ ଟ୍ରେନ୍ ଚଳାଚଳ ହୋଇ ପାରିବ ସେଥିନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲୁଥିବା କହିଛନ୍ତି ରେଳ ବିଭାଗର ମୁଖପାତ୍ର ଅମିତାଭ ଶର୍ମା ।
ସମଗ୍ର ଦେଶରେ ଏହା ଏକ ଭୟଙ୍କର ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ପାଖାପାଖି ୩ଶହ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ୯ଶହରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ପାଇଁ ବାଲେଶ୍ୱର ଦେଇ ଚଳାଚଳ କରିବାକୁ ଥିବା ବହୁ ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ବହୁ ଟ୍ରେନ୍ର ଗତିପଥକୁ ବଦଳାଇ ଦିଆଯାଇଛି। ଏଯାବତ ୪୮ଟି ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ୩୯ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି ।
ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସାରିଛନ୍ତି। ଏହାବାଦ ଆଜି ପ୍ରଧାନମନ୍ତ୍ରୀ ଏହି ଦୁର୍ଘଟଣା ସମ୍ପର୍କରେ ସବିଶେଷ ଆଲୋଚନା ନିମନ୍ତେ ଏବ ହାଇ ପ୍ରୋଫାଇଲ ମିଟିଂ ଡାକିଥିଲେ। ଏହାପରେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ପହଞ୍ଚି ଦୁର୍ଘଟଣାସ୍ଥଳ ଯିବା ସହ ଏସସିବି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତଥା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ବି ଆଜି ଓଡ଼ିଶା ଆସୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us