Advertisment

ବଢ଼ୁଛି ଶ୍ୱାସକ୍ରିୟା ସଂକ୍ରମଣ, ୭ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ରାଜ୍ୟରେ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ଆକ୍ରାନ୍ତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଡାକ୍ତରଖାନା ଓ ସ୍ୱାସ୍ଥ୍ୟସେବା କର୍ମଚାରୀ ପ୍ରସ୍ତୁତ ରଖିବାକୁ ଉକ୍ତ ନିର୍ଦ୍ଦଶନାମାରେ କୁହାଯାଇଛି।

author-image
Madhupriya Mistry
Respiratory Illness

Respiratory Illness

ବଢ଼ୁଛି ଶ୍ୱାସକ୍ରିୟା ସଂକ୍ରମଣ। ପିଲା ଓ ଅଧକାଂଶ ଯୁବପିଢ଼ିକୁ ଶିକାର କରୁଛି ଏହି ରହସ୍ୟମୟୀ ଜ୍ୱର ଓ ନିମୋନିଆ। ଚୀନ୍‌ରେ ହୁ ହୁ ବଢ଼ି ଚାଲିଛି ଶ୍ୱାସକ୍ରିୟାରେ ସଂକ୍ରମଣ ହୋଇଥିବା ରୋଗୀଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଆଲର୍ଟ ମୁଡ୍‌କୁ ଆସିଛନ୍ତି କେନ୍ଦ୍ର ସରକାର। ଦେଶର ୬ଟି ରାଜ୍ୟକୁ ସତର୍କ ରହିବାକୁ କେନ୍ଦ୍ର ସରକାର କହିଛନ୍ତି। ଏଥିସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ, ଗୁଜରାଟ, ଉତ୍ତରାଖଣ୍ଡ, ହରିୟାଣା ଓ ତାମିଲନାଡୁକୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର। ରାଜ୍ୟରେ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ଆକ୍ରାନ୍ତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଡାକ୍ତରଖାନା ଓ ସ୍ୱାସ୍ଥ୍ୟସେବା କର୍ମଚାରୀ ପ୍ରସ୍ତୁତ ରଖିବାକୁ ଉକ୍ତ ନିର୍ଦ୍ଦଶନାମାରେ କୁହାଯାଇଛି।

କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଜାରି ହେବା ପରେ ମହାରାଷ୍ଟ୍ର ସରକାର ପୁଣି ଥରେ ରାଜ୍ୟରେ କୋଭିଡ ପ୍ରଟୋକଲ ଲାଗୁ କରିବାକୁ ଯୋଜନା ଚଳାଇଛନ୍ତି। କରୋନା ବେଳେ ଯେପରି ନିୟମ ପାଳନ କରାଯାଉଥିଲା ସେହିଭଳି ନିୟମ ପାଳନ କରିବାକୁ ସରକାର ଲୋକଙ୍କୁ କହିଛନ୍ତି।

Advertisment

ସେପଟେ ଋତୁକାଳୀନ ଥଣ୍ଡା ପ୍ରତି ସତର୍କତା ଅବଲମ୍ବନ କରିବା ଲାଗି କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ କହିଛି। ଏଥିପାଇଁ କ’ଣ କରିବାକୁ ଓ ନ କରିବାକୁ ହେବ, ସେସବୁ ଉଲ୍ଲେଖ କରାଯାଇ ଗାଇଡ୍‌ଲାନ୍‌ ମଧ୍ୟ ଜାରି କରାଯାଇଛି। କାଶିବା ତଥା ଛିଙ୍କିବା ବେଳେ ମୁହଁ ଘୋଡ଼ାଇ ରଖିବା, ବାରମ୍ବାର ହାତ ଧୋଇବା, ମୁହଁରେ ହାତ ନ ମାରିବା, ଜନଗହଳି ସ୍ଥାନରେ ମାସ୍କ୍‌ ବ୍ୟବହାର କରିବାକୁ କୁହାଯାଇଛି।

ପରିସ୍ଥିତି ଉଦ୍‌ବେଗଜନକ ନ ଥିଲେ ବି ଡାକ୍ତରୀ କର୍ମଚାରୀମାନେ ଏହି ସଂକ୍ରାମକ ରୋଗ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ କହିଛି। ପେଡିଆଟ୍ରିକ୍‌ (ଶିଶୁ ରୋଗ ବିଭାଗ) ଓ ମେଡିସିନ୍‌ ବିଭାଗରେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯିବା ଉଚିତ ବୋଲି କୁହାଯାଇଛି।

ସେହିପରି, ଗୁଜରାଟ, ଉତ୍ତରାଖଣ୍ଡ, ତାମିଲନାଡୁ ଓ ହରିୟାଣା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ରାଜ୍ୟବାସୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଶ୍ୱାସ ସମ୍ବନ୍ଧୀୟ ରୋଗରେ ଯଦି କୌଣସି ଆକ୍ରାନ୍ତ ହୋଇଥାନ୍ତି ତେବେ ତୁରନ୍ତ ତାଙ୍କ ବିଷୟରେ ସମସ୍ତ ତଥ୍ୟ ଦେବାକୁ କୁହାଯାଇଛି। ଇନ୍‌ଫ୍ଲୁଏଞ୍ଜା ଓ ଶ୍ୱାସ ସମ୍ବନ୍ଧୀୟ ରୋଗ ମାମଲା ଉପରେ ଅତ୍ୟଧିକ ନଜର ରଖିବାକୁ ପାଇଁ ଏ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

China India Govt Pneumonia Outbreak Respiratory Illness