/odisha-reporter/media/post_attachments/uploadimage/library/16_9/16_9_0/Digital__1732718726.jpg)
Digital
ସାଇବର ଠକେଇର ନୂଆ ଫର୍ମୁଲା ଏବେ ଡିଜିଟାଲ ଆରେଷ୍ଟ। ଅନେକ ଲୋକ ସାଇବର ଠକମାନଙ୍କ ଏହି ନୂଆ ଫର୍ମୁଲାରେ ପଡ଼ି ସର୍ବସ୍ୱ ହରାଇବାରେ ଲାଗିଛନ୍ତି। ବିଭିନ୍ନ ଫୋରମରେ ଏନେଇ ଲୋକଙ୍କୁ ସଚେତନ କରାଯାଉଛି। ତଥାପି ଲୋକମାନେ ସାଇବର ଠକଙ୍କ କଥାରେ ପ୍ରଭାବିତ ହୋଇଚାଲିଛନ୍ତି।
ଏହିକ୍ରମରେ ହରିୟାଣାର ଫରିଦାବାଦରେ ରହୁଥିବା ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
ସାଇବର ଠକାମୀର ଶିକାର ହୋଇଥିବା ଅବସରପ୍ରାପ୍ତ ସେନା ଅଧିକାରୀ ଆଦିତ୍ୟ ଝାଙ୍କୁ ୫୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟ କରିବା ସହ ତାଙ୍କୁ ବିହାରର ମଧୁବାଣୀକୁ ମଧ୍ୟ ଟଙ୍କା ଟ୍ରାନ୍ସଫର ପାଇଁ ଆସିବାକୁ ବାଧ୍ୟ କରିଥିଲେ। ସାଇବର ଠକାମୀର ଶିକାର ହେବା ପରେ ଝା ଏନେଇ ପୁଲିସ୍ରେ ଅଭିଯୋଗ କରିଛନ୍ତି। ଏବେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଅଭିଯୋଗ ଅନୁଯାୟୀ, ସାଇବର ଠକମାନେ ନଭେମ୍ବର ୬ ତାରିଖ ସକାଳ ୯.୫୫ରେ ଆଦିତ୍ୟ ଝାଙ୍କୁ ଫୋନ କରିଥିଲେ। ସେନା ବାହିନୀରୁ ଅବସର ନେବା ପରେ ଆଦିତ୍ୟ ଝା ଫରିଦାବାଦରେ ଥିବା ପଞ୍ଜାକ ନ୍ୟାଶନାଲ ବ୍ୟାଙ୍କରେ କ୍ଲର୍କ ଭାବେ କାମ କରନ୍ତି।
ଠକମାନେ ତାଙ୍କୁ ପ୍ରଥମେ ଟେଲିକମ ରେଗୁଲଟୋରୀ ଅଥୋରିଟୀ ଅଫ ଇଣ୍ଡିଆ(ଟ୍ରାଇ)ର ଅଧିକାରୀ ଭାବେ ପରିଚୟ ଦେଇଥିଲେ। ତାଙ୍କ ଆଧାର କାର୍ଡ ନମ୍ବରରେ ଆଉ ଗୋଟିଏ ସିମ ଇସ୍ୟୁ ହୋଇଛି ଓ ସେ ବ୍ୟବହାର କରୁଥିବା ନମ୍ବରଟି ୨ ଘଣ୍ଟା ମଧ୍ୟରେ ବନ୍ଦ ହୋଇଯିବ ବୋଲି ତାଙ୍କୁ କୁହାଯାଇଥିଲା।
ଫୋନ ଆସିବା ବେଳେ ଆଦିତ୍ୟ ଝା ଦିଲ୍ଲୀରେ ରହିଥିଲେ। ତାଙ୍କ ମୋବାଇଲ ନମ୍ବରରେ ବେଆଇନ ଜୁଆ ଖେଳ ଚାଲିଛି ଓ ଆପତ୍ତିଜନକ ମେସେଜ ପଠା ଯାଇଛି। ଏଥିପାଇଁ ତାଙ୍କ ନାଁରେ ଏଫଆଇଆର ହୋଇଥିବା ସାଇବର ଠକ ଜଣକ କହିଥିଲା। ଏକଥା ଶୁଣି ଆଦିତ୍ୟ ଝା ପୂରା ଡରି ଯାଇଥିଲେ।
ଏହାର କିଛି ସମୟ ପରେ ଆଉ ଜଣେ ବ୍ୟକ୍ତିର ଫୋନ ଆସିଥିଲା। ଫୋନ କରିଥିବା ଲୋକ ନିଜକୁ ସିବିଆଇ ଅଫିସର ଭାବେ ପରିଚୟ ଦେଇଥିଲା। ଗିରଫ ପରୱାନା ଜାରି ହୋଇଥିବା କଥା ତା’ ଠାରୁ ଶୁଣିବା ପରେ ଆଦିତ୍ୟ ପୂରା ବିଚଳିତ ହୋଇପଡ଼ିଥିଲେ। ଏତିକି କହି ତଥାକଥିତ ସିବିଆଇ ଅଧିକାରୀ ଜଣକ ଫୋନ କାଟି ଦେଇଥିଲା। ହେଲେ ଆଦିତ୍ୟ ପୁଣି ତା’କୁ ଫୋନ କରିଥିଲେ।
ତଥାକଥିତ ସିବିଆଇ ଅଧିକାରୀ ଜଣକ ତାଙ୍କୁ କହିଥିଲା ଯେ ତାଙ୍କ ନାଁରେ ୬.୬୮ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି। ଏନସିପି (ଅଜିତ ପାୱାର) ନେତା ନୱାବ ମଲିକଙ୍କ ସହ ତାଙ୍କର ଲିଙ୍କ ଥିବା ମଧ୍ୟ ଜଣାପଡ଼ିଛି। ମୁମ୍ବାଇରେ ନୱାବ ମଲିକଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଚାଲିଛି।
ଏକଥା ଶୁଣି ଆଦିତ୍ୟ କିଛି ଭୁଲ କରି ନାହାନ୍ତି ଓ ନୱାବ ମଲିକଙ୍କୁ ଜାଣି ନଥିବା କହିଥିଲେ। ହେଲେ ସାଇବର ଠକ କିଛି ଶୁଣି ନଥିଲା ଓ ତାଙ୍କୁ ତଦନ୍ତରେ ସହଯୋଗ ନ କଲେ ଗିରଫ ହେବାର ଧମକ ଦେଇଥିଲା। ତାଙ୍କୁ ୩ରୁ ୭ ବର୍ଷ ଯାଏ ଜେଲ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିପାରେ ବୋଲି ସେ କହିଥିଲା।
ପରବର୍ତ୍ତୀ ଅବସ୍ଥାରେ ସାଇବର ଠକ ତାଙ୍କୁ ଭିଡିଓ କଲ କରିଥିଲା। ଏଥିସହ ଘର ଛାଡ଼ି ଗୋଟିଏ ହୋଟେଲରେ ରହିବାକୁ କହିଥିଲା। ଆଦିତ୍ୟ ମଧ୍ୟ ସବୁ କାମ କରିଥିଲେ। ସେ ଗୋଟିଏ ହୋଟେଲରେ ପହଞ୍ଚିବା ପରେ ନିଜର ବ୍ୟାଙ୍କ ତଥ୍ୟ ସାଇବର ଠକକୁ ଦେଇଥିଲେ।
ସୁରକ୍ଷା ଆଳରେ ଆଦିତ୍ୟଙ୍କୁ ପରିବାର ଲୋକଙ୍କୁ ଫୋନ ନ କରିବା ପାଇଁ ମଧ୍ୟ କୁହାଯାଇଥିଲା। ପରିବାର ଲୋକଙ୍କୁ ମଧ୍ୟ ଦରକାର ପଡ଼ିଲେ ଗିରଫ କରାଯିବ ବୋଲି ସେ କହିଥିଲା। ଏଥିରେ ଡରି ଯାଇ ଆଦିତ୍ୟ କାହାକୁ ଯୋଗାଯୋଗ କରି ନଥିଲେ।
ଡିଜିଟାଲ ଆରେଷ୍ଟରେ ରହିଥିବା ଆଦିତ୍ୟଙ୍କୁ ସାଇବର ଠକମାନେ ଦେଇଥିବା ବ୍ୟାଙ୍କ ଆକାଉଣ୍ଟକୁ ୫.୦୩ ଲକ୍ଷ ଟଙ୍କା ପଠାଇବାକୁ କୁହାଯାଇଥିଲା। ଆଦିତ୍ୟ ଟଙ୍କା ପଠାଇବାକୁ ସ୍ଥାନୀୟ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ପହଞ୍ଚିଥିଲେ। କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ଟଙ୍କା ଟ୍ରାନ୍ସଫର ହୋଇପାରି ନଥିଲା।
ଟଙ୍କା ନ ଯିବାରୁ ସାଇବର ଠକମାନେ ତାଙ୍କୁ ମଧୁବାଣୀରେ ଥିବା ମୁଖ୍ୟ ବ୍ରାଞ୍ଚକୁ ଯିବାକୁ କହିଥିଲେ। ଆଦିତ୍ୟ ମଧ୍ୟ ମଧୁବାଣୀରେ ପହଞ୍ଚି ଟଙ୍କା ଟ୍ରାନ୍ସଫର କରିଥିଲେ। ଏସବୁ ଭିତରେ ମଧୁବାଣୀରେ ଥିବା ଆଦିତ୍ୟଙ୍କ ଜଣେ ସମ୍ପର୍କୀୟ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେ ଆଦିତ୍ୟଙ୍କ ଠିକଣାରେ ପହଞ୍ଚି ଭିଡିଓ କଲକୁ କାଟି ଦେଇଥିଲେ। ସେହିଦିନ ରାତିରେ ତାଙ୍କ ପୁଅ ସେଠାରେ ପହଞ୍ଚିବା ସହ ବାପାଙ୍କୁ ଧରି ଘରକୁ ଫେରିଥିଲେ।
ଫରିଦାବାଦକୁ ଫେରିବା ପରେ ସ୍ଥାନୀୟ ପୁଲିସ୍ରେ ଆଦିତ୍ୟ ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ୍ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
