ବିଦାୟୀ ଭାଷଣରେ RSSକୁ କୃତଜ୍ଞତା ଜଣାଇଛନ୍ତି କଲିକତା ହାଇକୋର୍ଟ ବିଚାରପତି ତଥା ଓଡ଼ିଆ ପୁଅ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ(RSS) ତାଙ୍କୁ ତାଙ୍କ ବ୍ୟକ୍ତିତ୍ୱର ରୂପ ଦେବାରେ ଏବଂ ତାଙ୍କ ଭିତରେ ସାହସ ଏବଂ ଦେଶପ୍ରେମ ସୃଷ୍ଟି କରିବାରେ ସାହାଯ୍ୟ କରିଥିବା କହିଛନ୍ତି।
ବିଦାୟୀ ଭାଷଣରେ ଜଷ୍ଟିସ ଦାଶ କହିଛନ୍ତି, "ଆଜି ମୁଁ କିଛି ମୋର କିଛି ଅକୁହା କଥା କହିବି। ମୁଁ ଏକ ସଂଗଠନ ପ୍ରତି ବହୁତ କୃତଜ୍ଞ। ମୋ ପିଲାଦିନରୁ ଯୁବାବସ୍ଥା ପର୍ଯ୍ୟନ୍ତ ସେ ସଂଗଠନ ସହ ଜଡିତ ରହିଛି। ମୁଁ ସେ ସଂଗଠନରୁ ସାହସୀ, ସଚ୍ଚୋଟତା ଏବଂ ସମସ୍ତଙ୍କ ପ୍ରତି ସମଭାବ, ଯେଉଁଠି ବି କାମ କର ସେ କାମ ପ୍ରତି ପ୍ରତିବଦ୍ଧତା ସର୍ବୋପରି ଦେଶପ୍ରେମ ଭାବ ଶିଖିଛି। ସ୍ୱୀକାର କରୁଛି ଯେ ମୁଁ ଆରଏସଏସର ସଦସ୍ୟ ଥିଲି ଆଉ ଏବେ ବି ଅଛି।
ଜଷ୍ଟିସ ଦାଶ ଆହୁରି କହିଛନ୍ତି, ସେ ବିଚାରପତି ହେବା ପରେ ନିଜକୁ ସଂଗଠନଠାରୁ ଦୂରେଇ ରଖିଥିଲେ ଏବଂ ସମସ୍ତ ପ୍ରକାର ମକଦ୍ଦମାର ନିରପେକ୍ଷ ଭାବରେ ବିଚାର କରିଛନ୍ତି।
"ମୁଁ ମୋ କାମ ପାଇଁ ପ୍ରାୟ 37 ବର୍ଷ ଧରି ସଂଗଠନ (RSS)ଠାରୁ ନିଜକୁ ଦୂରେଇ ରଖିଛି। ମୋର କ୍ୟାରିୟରର କୌଣସି ଅଗ୍ରଗତି ପାଇଁ ମୁଁ ମୋ ସଂଗଠନର ସଦସ୍ୟତାକୁ ବିନିଯୋଗ କରି ନାହିଁ, କାରଣ ଏହା ଆମର ନୀତି ବିରୁଦ୍ଧ ଅଟେ। ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିଛି, ସେ କମ୍ୟୁନିଷ୍ଟ ହୁଅନ୍ତୁ କି ବିଜେପି କିମ୍ବା କଂଗ୍ରେସ ହେଉ କି ଟିଏମସି ବ୍ୟକ୍ତି। ମୋର କୌଣସି ରାଜନୈତିକ ବ୍ୟକ୍ତିତ୍ୱଙ୍କ ବିରୁଦ୍ଧରେ ପକ୍ଷପାତିତା ନାହିଁ। ସମସ୍ତେ ମୋ ସାମ୍ନାରେ ସମାନ ଥିଲେ।"
ଜଷ୍ଟିସ ଦାଶ କହିଛନ୍ତି, "ମୁଁ ଦୁଇଟି ନୀତି ଉପରେ ନ୍ୟାୟ ଦେବାକୁ ଚେଷ୍ଟା କରିଥିଲି, ଗୋଟିଏ ହେଉଛି ସହାନୁଭୂତି ଏବଂ ଦ୍ୱିତୀୟଟି ହେଉଛି ନ୍ୟାୟ ପାଇଁ ଆଇନକୁ ନଇଁବାକୁ ପଡ଼ିପାରେ, କିନ୍ତୁ ଆଇନ ପାଇଁ ନ୍ୟାୟକୁ ନୁହେଁ।"
ଜଷ୍ଟିସ ଦାଶ 1986ରେ ଆଡଭୋକେଟ୍ ଭାବରେ ନାମ ଲେଖାଇଥିଲେ। 1999ରେ ଓଡିଶା ନ୍ୟାୟିକ ସେବାରେ ପ୍ରବେଶ କରିଥିଲେ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଅତିରିକ୍ତ ଜିଲ୍ଲା ତଥା ସେସନ ଜଜ୍ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର (ପ୍ରଶାସନ) ଭାବରେ ନିଯୁକ୍ତ ହୋଇଥିଲେ।
ସେ ଅକ୍ଟୋବର 10, 2009ରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ। ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ କରିବା ପରେ 20 ଜୁନ 2022ରେ କଲିକତା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।