Advertisment

କଥା ରଖିଲେ ରେବନ୍ଥ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରୁ ହଟିଲା ବ୍ୟାରିକେଡ୍

ଆଜି ରେବନ୍ଥ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଭଟ୍ଟି ବିକ୍ରମାର୍କା ମଲ୍ଲୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଅଦ୍ୟତନ ହୋଇଛି
Revanth Reddy

Revanth Reddy

Advertisment

କଥା ରଖିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ କାର୍ଯ୍ୟ ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ହୋଇଥିବା ଲୁହାର ବ୍ୟାରିକେଡ୍‌କୁ ଭାଙ୍ଗି ଦେଇଛନ୍ତି। ନିର୍ବାଚନ ପ୍ରଚାର ବେଳେ ରେବନ୍ଥ କହିଥିଲେ ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତା’ହେଲେ ହାଇଦ୍ରାବାଦ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ‘ପ୍ରଗତି ଭବନ’ ସମ୍ମୁଖରେ ହୋଇଥିବା ଲୁହାର ବ୍ୟାରିକେଡ୍‌କୁ ଭାଙ୍ଗି ଦିଆଯିବ। 

Advertisment

ରେବନ୍ଥ ରେଡ୍ଡୀ କହିଥିଲେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତା’ହେଲେ ସାଧାରଣ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଓ ସଚିବାଳୟ ଖୋଲା ରହିବ। ସେମାନେ ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ କହିପାରିବେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନର ନାଁ ମଧ୍ୟ ବଦଳାଇ ଦିଆଯିବ ବୋଲି ସେ କହିଥିଲେ। 

ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନର ନାଁ ‘ପ୍ରଗତି ଭବନ’ ହୋଇଥିବା ବେଳେ କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ‘ଆମ୍ବେଦକର ପ୍ରଜା ଭବନ’ କରାଯିବ ବୋଲି ରେବନ୍ଥ କହିଥିଲେ। 

Advertisment

ରେବନ୍ଥ ରେଡ୍ଡୀ ଆଜି ଶପଥ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନ ଚଳଚଞ୍ଚଳ ହୋଇଉଠିଥିଲା। ଅନେକ ବୁଲ୍‌ଡୋଜର, ଟ୍ରାକ୍ଟର ସହିତ ଶ୍ରମିକ, ଅଧିକାରୀ ଓ ପୁଲିସ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଜମା ହୋଇଥିଲେ। ସେମାନେ ଲୁହାର ବ୍ୟାରିକେଡ୍ ଭାଙ୍ଗିବାକୁ ଆସିଥିଲେ, ଯାହା ୧୦ ବର୍ଷ ହେଲାଣି ସେଠାରେ ଥିଲା। 

ତେଲଙ୍ଗାନା ରାଜ୍ୟ ଗଠନ ହେବା ପରେ ୨୦୧୪ରୁ ଏଠାରେ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତିର ସରକାର ଥିଲା। ତେବେ ଏଥର ତାଙ୍କ ଦଳ ହାରିଗଲା। ଆଜି ରେବନ୍ଥ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଭଟ୍ଟି ବିକ୍ରମାର୍କା ମଲ୍ଲୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିଭଳି ଆଉ ୧୦ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। 

Congress Revanth Reddy Telangana CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe