Advertisment

ସଞ୍ଜୟ ରୟକୁ ଫାଶୀ ବଦଳରେ କାହିଁକି ମିଳିଲା ଆଜୀବନ ଜେଲ୍‌?

ଦୀର୍ଘ ଦିନ ଧରି ଘଟଣାକୁ ନେଇ ପୂରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ସୁପ୍ରିମକୋର୍ଟଙ୍କ ଠାରୁ ଆରମ୍ଭ କରି ହାଇକୋର୍ଟ ମଧ୍ୟ ଭୟଙ୍କର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

RG Kar

RG Kar

Advertisment

ସାରା ଦେଶକୁ ଦୋହଲାଇ ଦେଇଥିଲା ପଶ୍ଚିମବଙ୍ଗ ଆରଜି କର ମେଡିକାଲ କଲେଜର ଦୁଷ୍କର୍ମ ଓ ହତ୍ୟା ଘଟଣା। ହସ୍ପିଟାଲ ବାହାରେ ସ୍ୱେଚ୍ଛାସେବୀ ପୁଲିସ ଭାବେ କାମ କରୁଥିବା ସଞ୍ଜୟ ରୟ ନାମକ ଜଣେ ବ୍ୟକ୍ତି ଜଣେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଭୟଙ୍କର ଢଙ୍ଗରେ ହତ୍ୟା କରିଥିଲା।

Advertisment

ଦୀର୍ଘ ଦିନ ଧରି ଘଟଣାକୁ ନେଇ ପୂରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ସୁପ୍ରିମକୋର୍ଟଙ୍କ ଠାରୁ ଆରମ୍ଭ କରି ହାଇକୋର୍ଟ ମଧ୍ୟ ଭୟଙ୍କର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ସମସ୍ତେ ନିର୍ଦ୍ଦୟ ସଞ୍ଜୟ ରୟକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଥିଲେ। ସିବିଆଇ ମଧ୍ୟ ଘଟଣାକୁ ବିରଳରୁ ଅତି ବରିଳ ବୋଲି କହି ସଞ୍ଜୟ ପାଇଁ ଫାଶୀ ଦଣ୍ଡ ମାଗିଥିଲା। ସେହି ଅନୁସାରେ ଦଫା ମଧ୍ୟ ଲଗାଇଥିଲା। 

କିନ୍ତୁ ସିଆଲଦା କୋର୍ଟ ସଞ୍ଜୟ ରୟକୁ ଫାଶୀ ବଦଳରେ ଆଜୀବନ ଜେଲ ଦଣ୍ତରେ ଦଣ୍ଡିତ କରିଛନ୍ତି। ଏଥିସହ ତା’ ଉପରେ ୫୦ ହଜାର ଟଙ୍କାର ଫାଇନ ଲଗାଇଛନ୍ତି। ସେହିପରି କୋର୍ଟ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ୧୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୧୮ରେ ସିଆଲଦାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସିଆଲଦାହର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ।

Advertisment

ସଞ୍ଜୟ ଏବେ ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟ ଓ ଦରକାର ପଡ଼ିଲେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ। ସେହିପରି ସିବିଆଇ ମଧ୍ୟ ସଞ୍ଜୟକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଉପରକୁ କୋର୍ଟକୁ ଯାଇପାରେ।

ଆଜି ଦଣ୍ଡ ବିଧାନର ଶୁଣାଣି ବେଳେ ସିବିଆଇ ସଞ୍ଜୟକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଥିଲା। ହେଲେ ସିଆଲଦା କୋର୍ଟର ବିଚାରପତି ଜଷ୍ଟିସ ଅନର୍ବାଣ ଦାସ ଏହାକୁ ଗ୍ରହଣ କରି ନାହାନ୍ତି। ସିବିଆଇ ଆରଜି କର କାଣ୍ଡକୁ ବିରଳରୁ ଅତି ବିରଳ ମାମଲା ଭାବେ ଦର୍ଶାଇଥିଲା। କିନ୍ତୁ ଜଷ୍ଟିସ ଦାସ କହିଛନ୍ତି, “ଏହା ଆଦୌ ବିରଳରୁ ଅତି ବିରଳ ଘଟଣା ନୁହେଁ। ଏଥିପାଇଁ ମୁଁ ତୁମକୁ ମୃତ୍ୟୁ ଯାଏ କେବଳ ଜେଲଦଣ୍ଡରେ ଦଣ୍ଡିତ କରୁଛି।” କୋର୍ଟ ମାମଲାରୁ ବିରଳରୁ ଅତି ବିରଳ ମାମଲା ଭାବେ ବିବେଚନା ନ କରିବାରୁ ସଞ୍ଜୟକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇ ନାହିଁ। 

ଶନିବାର ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରୟ ଆଜି ପୁଣିଥରେ ନିଜକୁ ନିର୍ଦ୍ଦୋଷ ବୋଲି କୋର୍ଟଙ୍କୁ କହିଥିଲା। ସଞ୍ଜୟ ନିଜର ପକ୍ଷ ରଖି କହିଥିଲା ଯେ “କୌଣସି କାରଣ ନଥାଇ ମୋତେ ଫସାଇ ଦିଆଯାଉଛି। ମୁଁ ଆପଣଙ୍କୁ ପୂର୍ବରୁ ମଧ୍ୟ କହି ସାରିଛି ଯେ ମୁଁ ସବୁବେଳେ ରୁଦ୍ରାକ୍ଷ ପିନ୍ଧିଥାଏ। ମୁଁ ଯଦି ଅପରାଧ କରିଥାଆନ୍ତି, ତା’ହେଲେ ଏହା ସେଠାରେ ଛିଣ୍ଡି ପଡ଼ିଥାଆନ୍ତା। ମୋତେ ମୋର ପକ୍ଷ ରଖିବାକୁ ଦିଆଗଲା ନାହିଁ। ସେମାନେ ବଳପୂର୍ବକ ଏକାଧିକ ଦସ୍ତାବିଜରେ ମୋ ଦସ୍ତଖତ ନେଇଛନ୍ତି। ସାର୍‌ ଆପଣ ସବୁ ଦେଖିଛନ୍ତି। ପୂର୍ବରୁ ମଧ୍ୟ ମୁଁ ଏହା କରି ସାରିଛି।” ସଞ୍ଜୟର ଏପରି ଯୁକ୍ତି କୋର୍ଟଙ୍କ ଉପରେ ଏହାର କୌଣସି ପ୍ରଭାବ ପକାଇ ପାରି ନଥିଲା।

ସଞ୍ଜୟ ରୟ ନାଁରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ (ଦୁଷ୍କର୍ମ), ଧାରା ୬୬ (ମାରିଦେବା ପାଇଁ ଦଣ୍ଡ) ଓ ଧାରା ୧୦୩-୧(ହତ୍ୟା)ରେ ମାମଲା ରୁଜୁ ହୋଇଥିଲା। ଧାରା ୬୪ ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ଧାରା ୬୬ ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ଏବଂ ୧୦୩ (୧) ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ରହିଛି। ତଥାପି କୋର୍ଟ ତା’କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୨୪ ଅଗଷ୍ଟ ମାସରେ ଘଟିଥିଲା ଏହି ଦୁଃଖଦ ଘଟଣା। ଯାହା ସାରା ଦେଶରେ ଚହଳ ପକାଇ ଦେଇଥିଲା। ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ସେମିନାର ହଲ୍‌ରୁ ମିଳିଥିଲା ଟ୍ରେନି ଡାକ୍ତରଙ୍କ ମୃତଦେହ। ତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଉଠିଥିଲା ସ୍ୱର। ବିଶେଷ କରି ସେହି ମେଡିକାଲ କଲେଜ ଓ ହସ୍‌ପିଟାଲର ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ପଶ୍ଚିମବଙ୍ଗ ସରକାରଙ୍କୁ ଦୋହଲାଇ ଦେଇଥିଲା। ସେଠାକାର ସରକାର ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ।

ତଦନ୍ତ ବେଳେ ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଥିଲା। ତାଙ୍କ ସହିତ ସ୍ଥାନୀୟ ଥାନା ଅଧିକାରୀଙ୍କୁ ସିବିଆଇ ଗିରଫ କରିଥିଲା। ସେମାନେ ପ୍ରମାଣ ନଷ୍ଟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ସେମାନେ ପରବର୍ତ୍ତୀ ଅବସ୍ଥାରେ ଜାମିନ ପାଇଥିଲେ। କିନ୍ତୁ ମେଡିକାଲ କଲେଜରେ ହୋଇଥିବା ଆର୍ଥିକ ଅନିୟମିତତା ନେଇ ଅନ୍ୟ ଏକ ମାମଲାରେ ସନ୍ଦୀପ ଘୋଷ ଜେଲରେ ଅଛନ୍ତି।

RG Kar Medical College RG Kar Rape Case RG Kar Horror RG Kar Rape-Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe