Advertisment

ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ, ସୋମବାର ଦଣ୍ଡ ଶୁଣାଣି

ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟରେ ଉପସ୍ଥିତ ସଞ୍ଜୟ ରୟ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Sanjay Roy

Sanjay Roy

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ ହୋଇଛି। ସିଆଲଦାହର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ସୋମବାର ତାର ଦଣ୍ଡ ଶୁଣାଣି କରିବେ କୋର୍ଟ।

Advertisment

କୋର୍ଟଙ୍କ ଏହି ରାୟ ଆସିବା ବେଳେ ମୃତ ଟ୍ରେନି ଡାକ୍ତରଙ୍କ ବାପା ସେଠାରେ ଉପସ୍ଥିତ ଥିଲେ। ସେ କାନ୍ଦି ଥିଲେ ଓ ବିଚାରପତିଙ୍କୁ କହିଥିଲେ, ଆପଣଙ୍କ ଉପରେ ମୋର ସଂପୂର୍ଣ୍ଣ ବିଶ୍ୱାସ ଥିଲା। ଆମ ବିଶ୍ୱାସକୁ ସମ୍ମାନ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।

ଅନ୍ୟପକ୍ଷରେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟରେ ଉପସ୍ଥିତ ସଞ୍ଜୟ ରୟ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲା। ସେ କହିଥିଲା, ମୁଁ ମୋ ବେକରେ ସବୁବେଳେ ରୁଦ୍ରାକ୍ଷର ଏକ ମାଳ ପିନ୍ଧେ। ଯଦି ମୁଁ ଅପରାଧ କରିଥିଲି, ତା’ହେଲେ ଘଟଣାସ୍ଥଳରେ ମୋର ସେହି ରୁଦ୍ରାକ୍ଷ ମାଳ ଛିଣ୍ଡି ପଡ଼ିଥିବା କଥା। ମୁଁ ଏହି ଅପରାଧ କରି ନାହିଁ। ମୋତେ ଫସାଇ ଦିଆଯାଇଛି। ଯେଉଁମାନେ ମୋତେ ଫସାଇ ଦେଇଛନ୍ତି, ସେମାନଙ୍କୁ ଜାମିନ୍ ମିଳିଛି। ସେମାନଙ୍କୁ କାହିଁକି ଛଡ଼ାଗଲା ବୋଲି ସେ ପ୍ରଶ୍ନ କରିଥିଲା।

Advertisment

ଏହା ଶୁଣି ଜଜ୍‌ କହିଥିଲେ ଯେ କୋର୍ଟ ସୋମବାର ତୁମ ଯୁକ୍ତି ଶୁଣିବେ। ବର୍ତ୍ତମାନ ତୁମକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଉଛି।

ସଞ୍ଜୟ ରୟଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ (ଦୁଷ୍କର୍ମ), ଧାରା ୬୬ (ମାରିଦେବା ପାଇଁ ଦଣ୍ଡ) ଓ ଧାରା ୧୦୩-୧(ହତ୍ୟା)ରେ ମାମଲା ରୁଜୁ ହୋଇଥିଲା। ଧାରା ୬୪ ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ଧାରା ୬୬ ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ଏବଂ ୧୦୩ (୧) ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ରହିଛି। ତେଣୁ ସୋମବାର କୋର୍ଟ ସଞ୍ଜୟ ରୟକୁ କି ଦଣ୍ଡ ଶୁଣାଇବେ, ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।

ଆଜି କୋର୍ଟଙ୍କ ରାୟ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, କୋର୍ଟ ତାଙ୍କୁ (ସଞ୍ଜୟ ରୟ) ଦୋଷୀ ସାବ୍ୟସ୍ତ କରିଛନ୍ତି। କିନ୍ତୁ ପଶ୍ଚିମବଙ୍ଗବାସୀ ବିଶ୍ୱାସ କରୁଛନ୍ତି ଯେ ଏହି ମାମଲାରେ ଏକାଧିକ ଲୋକଙ୍କ ସଂପୃକ୍ତି ରହିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଥମ ୫ ଦିନ କୋଲାକାତା ପୁଲିସ ଏହାର ତଦନ୍ତ କରୁଥିଲେ। ଆଉ ସେହି ୫ ଦିନରେ ପ୍ରମାଣ ନଷ୍ଟ କରାଯାଇଛି। ଆମେ ଚାହୁଁ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ। ଆରଜି କର ହସ୍‌ପିଟାଲରେ ଘଟିଥିବା ଘଟଣା ପଶ୍ଚିମବଙ୍ଗର ଦୁର୍ବଳ ଆଇନ ଶୃଙ୍ଖଳା ବ୍ୟବସ୍ଥାର ପର୍ଦ୍ଦାଫାସ କରି ଦେଇଥିଲା।

ସେହିପରି ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ଜଣେ ଜୁନିୟର ଡାକ୍ତର କହିଛନ୍ତି, ଆମେ ପ୍ରଥମ ଦିନରୁ କହି ଆସୁଛୁ ଯେ ତା’ (ସଞ୍ଜୟ ରୟ) ଭଳି ଜଣେ ସିଭିକ ପୁଲିସ ସ୍ୱେଚ୍ଛାସେବୀ କିଭଳି ମେଡିକାଲ କଲେଜ ଭିତରକୁ ପ୍ରବେଶ କରିବାକୁ ଅନୁମତି ପାଇଲା ଓ ଏମିତି ଏକ ଅପରାଧ ଘଟାଇଲା। ପ୍ରମାଣକୁ ନଷ୍ଟ କରାଯାଇଛି। ସିବିଆଇ ଚାର୍ଜଶିଟ୍‌ରେ ମଧ୍ୟ ଏହା ଉଲ୍ଲେଖ ଅଛି। ଆମେ ଏବେ ବି ବିଶ୍ୱାସ କରୁ ଯେ ଏହି ଘଟଣା ପଛରେ ଏକାଧିକ ଅପରାଧୀଙ୍କ ହାତ ରହିଛି, ଯେଉଁମାନେ ଏବେ ନିର୍ଭୟରେ ବୁଲୁଛନ୍ତି। ତେଣୁ ସେମାନଙ୍କୁ ଗିରଫ କରାଯାଉ ଓ ଦଣ୍ଡ ଦିଆଯାଉ। ଆମର ଲଢ଼େଇ ଜାରି ରହିବ। କାରଣ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ। ଏହା କେବଳ ପ୍ରଥମ ସୋପାନ। ଏହି ଅପରାଧରେ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଦଣ୍ଡ ଦିଆନଯିବା ପର୍ଯ୍ୟନ୍ତ ଆମେ ଲଢ଼େଇ ଜାରି ରଖିବୁ।

ଅଗଷ୍ଟ ମାସରେ ଘଟିଥିଲେ ଏହି ଦୁଃଖଦ ଘଟଣା, ଯାହା ସାରା ଦେଶରେ ଚହଳ ପକାଇ ଦେଇଥିଲା। ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ସେମିନାର ହଲ୍‌ରୁ ମିଳିଥିଲା ଟ୍ରେନି ଡାକ୍ତରଙ୍କ ମୃତଦେହ। ତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଉଠିଥିଲା ସ୍ୱର। ବିଶେଷ କରି ସେହି ମେଡିକାଲ କଲେଜ ଓ ହସ୍‌ପିଟାଲର ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ପଶ୍ଚିମବଙ୍ଗ ସରକାରଙ୍କୁ ଦୋହଲାଇ ଦେଇଥିଲା। ସେଠାକାର ସରକାର ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ।

ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଥିଲା। ତାଙ୍କ ସହିତ ସ୍ଥାନୀୟ ଥାନା ଅଧିକାରୀଙ୍କୁ ସିବିଆଇ ଗିରଫ କରିଥିଲା। ସେମାନେ ପ୍ରମାଣ ନଷ୍ଟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ସେମାନେ ଜାମିନ ପାଇଥିଲେ। କିନ୍ତୁ ମେଡିକାଲ କଲେଜରେ ହୋଇଥିବା ଆର୍ଥିକ ଅନିୟମିତତା ନେଇ ଅନ୍ୟ ଏକ ମାମଲାରେ ସନ୍ଦୀପ ଘୋଷ ଜେଲରେ ଅଛନ୍ତି।

RG Kar Rape-Murder Case