/odisha-reporter/media/media_files/2026/03/03/ship-2026-03-03-19-13-48.jpg)
ଜାହାଜ
Middle East War Updates: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତର ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି ପ୍ରତି ସୃଷ୍ଟି ହୋଇଛି ବିପଦ। ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀକୁ ଇରାନ ବନ୍ଦ କରି ଦେଇଥିବାରୁ ଜାହାଜ ଚଳାଚଳ ଠପ ହୋଇ ଯାଇଛି। ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ ନିର୍ଦ୍ଦେଶ ଦେବା ସହ ଏହି ରାସ୍ତାରେ ଆସିଲେ ଜାହାଜଗୁଡ଼ିକରେ ନିଆଁ ଲଗାଇ ଦେବାର ଧମକ ଦେଇଛି।
ପ୍ରାୟ ୬ଟି ଜାହାଜକୁ ମଧ୍ୟ ଇରାନୀ ସେନା ଆକ୍ରମଣ କରି ସାରିଲାଣି। ଇରାନର ଏପରି ଆଭିମୁଖ୍ୟ ପରେ ଭାରତୀୟ ଜାହାଜ ମାଲିକମାନଙ୍କ ଚିନ୍ତା ବଢ଼ି ଯାଇଛି। ସେମାନେ ନିଜ ସମ୍ପତ୍ତି ଫେରାଇ ଆଣିବାକୁ କେନ୍ଦ୍ର ବନ୍ଦର, ଶିପିଂ ଓ ଜଳମାର୍ଗ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ହର୍ମୁଜ ପ୍ରଣାଳୀ ଯୋଗୁ ଅଟକି ରହିଥିବା ସେମାନଙ୍କ ଜାହାଜଗୁଡ଼ିକୁ ସୁରକ୍ଷିତ ଫେରାଇ ଆଣିବାକୁ ସେମାନେ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି।
ବିଶ୍ୱର ପ୍ରାୟ ୨୦% ତୈଳ ଓ ଗ୍ୟାସ୍ ଓମାନ ଏବଂ ଇରାନ ମଧ୍ୟରେ ଥିବା ଏହି ପତଳା ଜଳମାର୍ଗରେ ରପ୍ତାନୀ ହୋଇଥାଏ। ଭାରତ ପାଇଁ ଏହି ଜଳପଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଦେଶକୁ ଆସୁଥିବା ପ୍ରାୟ ୪୦% ତେଳ ଓ ୫୦%ରୁ ଅଧିକ ଏଲଏନଜି ଏହି ମାର୍ଗ ଦେଇ ଆସିଥାଏ। କିନ୍ତୁ ଆମେରିକା-ଇସ୍ରାଏଲର ମିଳିତ ଏୟାର ଷ୍ଟ୍ରାଇକରେ ଇରାନର ସୁପ୍ରିମ ଲିଡର ଖାମେନେଇ ପ୍ରାଣ ହରାଇବା ପରେ ତେହରାନ ପକ୍ଷରୁ ହର୍ମୁଜ ପ୍ରଣାଳୀକୁ ବନ୍ଦ କରି ଦିଆଯାଇଛି।
ଏବେ ଏହାକୁ ନେଇ ଭାରତୀୟ ଜାତୀୟ ଜାହାଜ ମାଲିକ ଆସୋସିଏସନ(ଆଇଏନଏସଏ) ଚିନ୍ତା ପ୍ରକଟ କରିଛି। ସଂଗଠନ ପକ୍ଷରୁ ସରକାରଙ୍କୁ ଲେଖା ଯାଇଥିବା ଚିଠିରେ କୁହାଯାଇଛି ଯେ ଉକ୍ତ ଅଞ୍ଚଳରେ ୨୭ଟି ଭାରତୀୟ ପତାକାଧାରୀ ଜାହାଜ ଫସି ରହିଛି। ତେଣୁ ୧୦ ହଜାର କୋଟି ଟଙ୍କାର ଶିପିଂ ସମ୍ପତ୍ତି ପ୍ରତି ବିପଦ ସୃଷ୍ଟି ହୋଇଛି। ସେଗୁଡ଼ିକୁ ତୁରନ୍ତ ହର୍ମୁଜ ପ୍ରଣାଳୀ ଦ୍ୱାରା ସୁରକ୍ଷିତ ଭାରତକୁ ଆଣିବା ପାଇଁ ସେମାନେ ନିବେଦନ କରିଛନ୍ତି।
ସୋମବାର ଇରାନର ଗଣମାଧ୍ୟମ ଦାବି କରିଥିଲା ଯେ ହର୍ମୁଜ ପ୍ରଣାଳୀରେ ୬ଷ୍ଠ ଜାହାଜକୁ ଟାର୍ଗେଟକୁ କରାଯାଇଛି। ଇରାନ ଏମିତି ଏକ ଟ୍ୟାଙ୍କରକୁ ଟାର୍ଗେଟ କରିଥିଲା ଯେଉଁଥିରେ ୧୫ ଜଣ ଭାରତୀୟ ମଧ୍ୟ ରହିଥିଲେ।
ଏ ସମ୍ପର୍କରେ ଆଇଏନଏସ୍ଏ କହିଛି ଯେ ଅନୁବନ୍ଧିତ ସଂସ୍ଥାର ମାଲିକାନାରେ ଥିବା ଗୋଟିଏ ଜାହାଜ ଅଳ୍ପକେ ରକ୍ଷା ପାଇଯାଇଛି। ଗୋଟିଏ ମିସାଇଲ ମାଡ଼ରୁ ମାତ୍ର ଅଳ୍ପ ବ୍ୟବଧାନରେ ଜାହାଜଟି ରକ୍ଷା ପାଇଯାଇଛି। କିଛି ଭାରତୀୟ ଜାହାଜ ପ୍ରଣାଳୀର ବାମ ପାର୍ଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଶକ୍ତି କାର୍ଗୋ ଲୋଡ କରିବା ଅପେକ୍ଷାରେ ରହିଥିବା ମଧ୍ୟ ଚିଠିରେ କୁହାଯାଇଛି।
ଜାହାଜ ମାଲିକ ସଂସ୍ଥା ବୀମା ଦାମ ବୃଦ୍ଧି ଓ ଜିନିଷ ସହ ଜଡ଼ିତ ମୂଲ୍ୟ ବୃଦ୍ଧିର ଉଦାହାରଣ ଦେଇ ଇରାନ ଓ ଇସ୍ରାଏଲ ସହ କୂଟନୀତିକ ସ୍ତରରେ ଆଲୋଚନା କରି ଭାରତୀୟ ଜାହାଜଗୁଡ଼ିକୁ କେମିତି ଉକ୍ତ ମାର୍ଗରେ ସୁରକ୍ଷିତ ଅଣାଯାଇ ପାରିବ, ତା’ର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
