Advertisment

୧୨ ହଜାର କୋଟିର ନିଶାଦ୍ରବ୍ୟ ଜବତ, ୧୨ ଗିରଫଙ୍କ ମଧ୍ୟରେ ଆଇଟି ବିଶେଷଜ୍ଞ

ରେଡ ବେଳେ ପୁଲିସ ୫.୭୯ କେଜି ଏମଡି, ୩୫,୫୦୦ ଲିଟର କେମିକାଲ, ୯୫୦ କେଜି ପାଉଡର ଓ ଡ୍ରଗ ଉତ୍ପାଦନରେ ଆବଶ୍ୟକ ସରଞ୍ଜାମ ଜବତ କରିଛି।

author-image
Hemant Lenka
Racket

Racket

ଗୋଟିଏ ବଡ଼ଧରଣର ଡ୍ରଗ ଉତ୍ପାଦନ ଓ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ତେଲଙ୍ଗାନାରେ ଚାଲିଥିବା ରାକେଟକୁ ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଥିବା ମୀରା ରୋଡ ପୁଲିସ୍‌ ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଛି। ପୁଲିସ୍‌ ଅଧିକାରୀମାନେ ୧୨ ହଜାର କୋଟି ଟଙ୍କାର ଏମଡି(ମେଫେଡ୍ରୋନ) ଡ୍ରଗ୍ସ ଜବତ କରିଛନ୍ତି। ମେଫେଡ୍ରୋନ ଏକ ନିଶା ଜାତୀୟ ଦ୍ରବ୍ୟ।

Advertisment

ତେଲଙ୍ଗାନାର ଚେରାମାଲ୍ଲି ଅଞ୍ଚଳରେ ଥିବା ଏହି କାରଖାନାରୁ ପୁଲିସ୍‌ ଅଧିକାରୀମାନେ ନିଶା ଔଷଧ ତିଆରି ପାଇଁ ବ୍ୟବହାର କରାଯାଉଥିବା ୩୫ ହଜାର ଲିଟର କେମିକାଲ ମଧ୍ୟ ଜବତ କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ କେମିକାଲ ଫ୍ୟାକ୍ଟ୍ରୀ ନାଁରେ ଏହା ଚାଲୁଥିଲା। କିନ୍ତୁ ବାସ୍ତବରେ କାରଖାନାରେ ନିଶା ଦ୍ରବ୍ୟର ଉତ୍ପାଦନ କରାଯାଉଥିଲା। ଏହାପରେ ସ୍ଥାନୀୟ ଅପରାଧୀ ଓ ଏଜେଣ୍ଟଙ୍କ ଦ୍ୱାରା ଏହାକୁ ମୁମ୍ବାଇକୁ ଚାଲାଣ କରାଯାଉଥିଲା। ବେଶ ସତର୍କତାର ସହ ବେଶ କିଛି ବର୍ଷ ଧରି ଏହି ରାକେଟ କାମ କରୁଥିବା ପୁଲିସ୍‌ କହିଛି।

ଅଧିକାରୀମାନେ ଆକଳନ କରିଛନ୍ତି ଯେ ଶତାଧିକ କେଜିର ମେଫେଡ୍ରୋନ ଡ୍ରଗ ଏଠାରେ ଉତ୍ପାଦନ କରାଯାଇଛି ଓ ଏହାକୁ ବିଭିନ୍ନ ମାର୍କେଟକୁ ପଠାଯାଇଥିଲା। ବିଭିନ୍ନ ସୂତ୍ରରୁ ଖବର ପାଇବା ପରେ ମୀରା- ଭାୟାନ୍ଦର, ବସାଇ-ବୀରାର ପୁଲିସ୍‌ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ୬୦ଟି ଠିକଣାରେ ରେଡ କରିଥିଲେ। ପାଖାପାଖି ମାସେ ହେଲା ଅପରେସନ ପରେ ଏପରି କାରଖାନାକୁ ଠାବ କରାଯାଇଛି।

Advertisment

ପୁଲିସ ଏହି ଘଟଣାରେ ମୋଟ ୧୨ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ବାଂଲାଦେଶୀ ମହିଳା ରହିଛନ୍ତି। ଅଗଷ୍ଟ ୮ରେ ପୁଲିସ୍‌ ୨୩ ବର୍ଷୀୟ ବାଂଲାଦେଶୀ ମହିଳା ଫାତିମା ମୁରାଦ ଶେଖଙ୍କୁ ମୀରା ରୋଡ ଇଷ୍ଟର କଶ୍ମୀରା ବସ୍‌ ଷ୍ଟାଣ୍ଡ ନିକଟରୁ ଧରିଥିଲା। ତାଙ୍କ ପାଖରୁ ୧୦୫ ଗ୍ରାମ ଓଜନର ଏମଡି ଜବତ ହୋଇଥିଲା। ତାଙ୍କୁ ଜେରା କରିବାରୁ ସେ ବିରାଟକାୟ ଡ୍ରଗ ରାକେଟର ଅଂଶବିଶେଷ ବୋଲି ପୁଲିସ୍‌ ଜାଣିବାକୁ ପାଇଥିଲା।

ପରବର୍ତ୍ତୀ ଅବସ୍ଥାରେ ଆଉ ୧୭୮ ଗ୍ରାମ ଏମଡି ଓ ନଗଦ ୨୩.୯୭ ଲକ୍ଷ ଟଙ୍କା ଏକାଧିକ ସନ୍ଦିଗ୍ଧଙ୍କ ଠାରୁ ଠାବ କରାଯାଇଥିଲା। ଏହି ସମୟରେ ତେଲଙ୍ଗାନାରୁ ହେଉଥିବା ଡ୍ରଗ ଚାଲାଣ ସମ୍ପର୍କରେ ପୁଲିସ୍‌ ଜାଣିବାକୁ ପାଇଥିଲା। ବିଭିନ୍ନ ସୂତ୍ରକୁ ଆଧାର କରି ଇନସପେକ୍ଟର ପ୍ରମୋଦ ଓ ତାଙ୍କ ଟିମ ଚେରାପାଲ୍ଲିରେ ଥିବା କାରଖାନାରେ ରେଡ କରିଥିଲେ। ସେପ୍ଟେମ୍ବର ୫ରେ ଏହି ରେଡ ହୋଇଥିଲା।

ରେଡ ବେଳେ ପୁଲିସ ୫.୭୯ କେଜି ଏମଡି, ୩୫,୫୦୦ ଲିଟର କେମିକାଲ, ୯୫୦ କେଜି ପାଉଡର ଓ ଡ୍ରଗ ଉତ୍ପାଦନରେ ଆବଶ୍ୟକ ସରଞ୍ଜାମ ଜବତ କରିଛି। ଏବେ ପୁଲିସ୍ ୧୨ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

ପୂରା ରାକେଟର ମୁଖ୍ୟ ଅଭିଯୁକ୍ତ ଜଣେ ଆଇଟି ବିଶେଷଜ୍ଞ। ସେ ନିଜର ଦକ୍ଷତାର ଅପବ୍ୟହାର କରି ଅପରାଧ କରୁଥିଲେ ବୋଲି ପୁଲିସ୍‌ କହିଛି।

Mumbai Police Telengana