Advertisment

ସମୀର ୱାଙ୍ଖେଡେଙ୍କ ନାଁରେ ସିବିଆଇ ଏଫଆଇଆର, ଶାହରୁଖଙ୍କ ପରିବାରକୁ ମଗାଯାଇଥିଲା ୨୫ କୋଟି

୨୦୨୧ ଅକ୍ଟୋବର ମାସରେ ମୁମ୍ବାଇର କ୍ରୁଜରେ ରେଡ୍‌ କରି ସମୀର ୱାଙ୍ଖେଡେ ଓ ତାଙ୍କ ଟିମ ଆର୍ଯ୍ୟନଙ୍କ ସମେତ ଆଉ କିଛି ଯୁବକଙ୍କୁ ଗିରଫ କରିଥିଲେ।

author-image
Hemant Lenka
CBI

CBI

ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପରିବାର ଲୋକଙ୍କୁ ୨୫ କୋଟି ଟଙ୍କା ମଗାଯାଇଥିଲା। ଯଦି ୨୫ କୋଟି ଟଙ୍କା ନ ମିଳିବ, ତା’ହେଲେ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ କେସ୍‌ରେ ଫସାଇ ଦିଆଯିବ। ତେଣୁ ତୁରନ୍ତ ଟଙ୍କା ଦେବାକୁ ଶାହରୁଖଙ୍କ ପରିବାକୁ ଧମକ ମିଳିଥିଲା। ମୁମ୍ବାଇ ଏନସିବିର ପୂର୍ବତନ ମୁଖ୍ୟ ସମୀର ୱାଙ୍ଖେଡେଙ୍କ ନାଁରେ ସିବିଆଇ ରୁଜୁ କରିଥିବା ଏଫଆଇଆରରେ ଏକଥା ଉଲ୍ଲେଖ କରାଯାଇଛି।

Advertisment

୨୦୨୧ ଅକ୍ଟୋବର ମାସରେ ମୁମ୍ବାଇର କ୍ରୁଜରେ ରେଡ୍‌ କରି ସମୀର ୱାଙ୍ଖେଡେ ଓ ତାଙ୍କ ଟିମ ଆର୍ଯ୍ୟନଙ୍କ ସମେତ ଆଉ କିଛି ଯୁବକଙ୍କୁ ଗିରଫ କରିଥିଲେ। ଏହାକୁ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏବେ ତାଙ୍କ ନାଁରେ ଦୁର୍ନୀତି ଓ ଅପରାଧିକ ଆଚରଣ ମାମଲା ସିବିଆଇ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସିବିଆଇ ରୁଜୁ କରିଥିବା ଏଫଆଇଆରରେ ୨୫ କୋଟି ଟଙ୍କା କଥା ଉଲ୍ଲେଖ କରିବା ସହ ସମୀର ୱାଙ୍ଖେଡେଙ୍କ ବିଦେଶ ଯାତ୍ରା ଓ ଦାମୀ ହାତ ଘଣ୍ଟା କିଣାବିକାର ତଥ୍ୟ ରହିଛି। ସମୀର ୱାଙ୍ଖେଡେ ଓ ଏନସିବିର ତତ୍କାଳୀନ ଗୁଇନ୍ଦା ଅଧିକାରୀ ଆଶିଷ ରଞ୍ଜନ ସେମାନଙ୍କ ଆୟ ଅନୁସାରେ ଖର୍ଚ୍ଚକୁ ଯର୍ଥାଥ ଦର୍ଶାଇ ପାରି ନାହାନ୍ତି।

Advertisment

ଏହାର ତଦନ୍ତ କରାଯାଉଛି। ସମୀର ୱାଙ୍ଖେଡେ ଠିକ୍‌ ଭାବେ ତାଙ୍କ ବିଦେଶ ଗସ୍ତର ତଥ୍ୟ ଉପସ୍ଥାପନ କରି ପାରିନାହାନ୍ତି। ସେଠାରେ କରିଥିବା ଖର୍ଚ୍ଚର ତଥ୍ୟ ମଧ୍ୟ ଭୁଲ ଦେଇଛନ୍ତି ବୋଲି ଏଫଆଇଆରରେ କୁହାଯାଇଛି।

ସମୀର ୱାଙ୍ଖେଡେଙ୍କ ବ୍ୟତୀତ ଆଉ ୪ ଜଣଙ୍କୁ ମଧ୍ୟ ଏଫଆଇଆରରେ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସେମାନେ ହେଲେ ବିଶ୍ୱ ବିଜୟ ସିଂହ, ଆଶିଷ ରଞ୍ଜନ, କେପି ଗୋସାଭି ଓ ତାଙ୍କ ସହଯୋଗୀ ସାନଭିଲେ ଡିସୁଜା। କ୍ରୁଜରୁ ଡ୍ରଗ୍ସ ମିଳିବା

ଘଟଣାର ସାକ୍ଷୀ ଭାବେ ସାମ୍ନାକୁ ଆସିଥିବା ଗୋସାଭି ଗିରଫ ଆର୍ଯ୍ୟନ ଖାନଙ୍କ ସେଲଫି ନେଇଥିଲେ। ସେ ଏନସିବିରେ କାମ କରୁ ନଥିବା ବେଳେ କେମିତି ଡ୍ରଗ୍ସ ମାମଲାରେ ଗିରଫ ଆର୍ଯ୍ୟନ ଓ ଅନ୍ୟମାନଙ୍କ ପାଖରେ ପହଁଞ୍ଚିଲେ ବୋଲି ସେତେବେଳେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସିବିଆଇ ଏଫଆଇଆରରେ କୁହାଯାଇଛି ଯେ ଗୋସାଭିଙ୍କୁ ଅଭିଯୁକ୍ତମାନଙ୍କ ପାଖରେ ରହିବାକୁ ଅନୁମତି ଦିଆଯାଇଥିଲା। ସେହିପରି ରେଡ୍‌ ପରେ ତାଙ୍କୁ ଏନସିବି ଅଫିସକୁ ଆସିବା ପାଇଁ ମଧ୍ୟ କୁହାଯାଇଥିଲା। ଏହା ଜଣେ ସ୍ୱାଧୀନ ସାକ୍ଷୀଙ୍କ ପାଇଁ ଥିବା ନିୟମର ଉଲ୍ଲଙ୍ଘନ। ଏହାର ସୁଯୋଗ ନେଇ ଗୋସାଭି ଅଭିଯୁକ୍ତଙ୍କ ସହ ସେଲଫି ନେଇଥିଲେ ଓ ଜଣେ ଅଭିଯୁକ୍ତର କଥାକୁ ମଧ୍ୟ ରେକର୍ଡ କରିଥିଲେ।

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ପରିବାର ଲୋକଙ୍କ ଠାରୁ ୨୫ କୋଟି ଟଙ୍କା ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ସେମାନେ ଆର୍ଯ୍ୟନଙ୍କ ପାଖରୁ ବିପୁଳ ପରିମାଣର ଡ୍ରଗ୍ସ ମିଳିଛି ବୋଲି ପ୍ରମାଣ କରି ଦେଖାଇବେ ବୋଲି ତାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲେ।

ଶେଷରେ ଏହି ଡିଲ୍‌ ୧୮ କୋଟିରେ ଫାଇନାଲ ହୋଇଥିଲା। ପ୍ରାଥମିକ ଭାବେ ୫୦ ଲକ୍ଷର ଲାଞ୍ଚ ଗୋସାଭି ଓ ତାଙ୍କ ସହଯୋଗୀର ସାନଭିଲେ ଡିସୁଜା ଆଣିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଲାଞ୍ଚ ବାବଦ ୫୦ ଲକ୍ଷ ଟଙ୍କା ସେମାନେ ଫେରାଇ ଦେଇଥିଲେ।

ଅଭିଯୁକ୍ତମାନଙ୍କୁ ହ୍ୟାଣ୍ଡେଲ କରିବା ପାଇଁ ଗୋସାଭିଙ୍କୁ ଛଡ଼ା ଯାଉ ବୋଲି ସମୀର ୱାଙ୍ଖେଡେ ଏନସିବିର ଏସ୍‌ପି ବିଶ୍ୱ ବିଜୟ ବିଜୟ ସିଂହଙ୍କୁ କହିଥିଲେ। ଗୋସାଭି ଅଭିଯୁକ୍ତମାନଙ୍କୁ ନିଜ ହେପାଜତରେ ରଖିଛନ୍ତି ଓ ସେମାନଙ୍କୁ ଏନସିବିର ମୁମ୍ବାଇ ଅଫିସକୁ ଆଣିଛନ୍ତି ବୋଲି ଗୋଟିଏ ଧାରଣା ସୃଷ୍ଟି କରିବା ପାଇଁ ଏପରି କରାଯାଇଥିଲା ବୋଲି ସିବିଆଇ ଏଫଆଇଆରରେ କହିଛି।

ସିବିଆଇ ଏବେ ଯାହା ସବୁ କହିଛି, ସେକଥା ଗୁଡ଼ିକ ପୂର୍ବରୁ ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିକ ମଧ୍ୟ ଅଭିଯୋଗ କରିଥିଲେ। ଏବେ ସେ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି। ସେହିପରି ଡ୍ରଗ୍ସ ମାମଲାର ଅନ୍ୟତମ ସାକ୍ଷୀ ପ୍ରଭାକର ସାଇଲ ମଧ୍ୟ ସମାନ କଥା କହିଥିଲେ। ତେବେ ଗତବର୍ଷ ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ଘଟିଥିଲା।

୨୦୨୧ ମସିହା ଅକ୍ଟୋବର ମାସରେ ସମୀରଙ୍କ ନେତୃତ୍ୱାଧୀନ ଗୋଟିଏ ଟିମ ମୁମ୍ବାଇ ଇଣ୍ଟରନ୍ୟାଶନାଲ କ୍ରୁଜ ଟର୍ମିନାଲରେ ଥିବା କୋରଡେଲିଆ କ୍ରୁଜରେ ରେଡ କରିଥିଲେ। ଏହି ସମୟରେ ଆର୍ଯ୍ୟନ ଓ ଅନ୍ୟମାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲେ। ପ୍ରାଥମିକ ଭାବେ ଡ୍ରଗ୍ସ ରଖିବା, ସେବନ କରିବା ଓ ଏହାର ଚାଲାଣ କରିବା ମାମଲା ରୁଜୁ ହୋଇଥିଲା।

ଆର୍ଯ୍ୟନ ଖାନଙ୍କୁ ୨୨ଦିନ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା। କିନ୍ତୁ ୨୦୨୨ ମେ’ ମାସରେ ପୂରା ମାମଲାରେ ଏନସିବି ଆର୍ଯ୍ୟନଙ୍କୁ କ୍ଲିନଚିଟ୍‌ ଦେଇଥିଲା। ତାଙ୍କ ବିରୋଧରେ ସମୀର ୱାଙ୍ଖେଡେ ଯେଉଁସବୁ ଦାବି କରିଥିଲେ, ତା’ର ପ୍ରମାଣ ତଦନ୍ତ ବେଳେ ମିଳି ନଥିଲା।

ଏସବୁ ଭିତରେ ସମୀର ୱାଙ୍ଖେଡେଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା। ସେ ଆର୍ଯ୍ୟନଙ୍କ ବିରୋଧରେ ଚାର୍ଜ ଫ୍ରେମ ନ କରିବାକୁ ୨୫ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ତାଙ୍କୁ ଚେନ୍ନାଇ ସ୍ଥିତ ଡିଜି ଟ୍ୟାକ୍ସପେୟର ସର୍ଭିସ ଡିରେକ୍ଟୋରେଟକୁ ବଦଳି କରାଯାଇଥିଲା।

NCB Shah Rukh Khan Sameer Wankhede