Advertisment

ଅଚଳ ହୋଇଯିବ କି ୫୦୦ ଟଙ୍କିଆ ନୋଟ?

ବର୍ତ୍ତମାନ ପ୍ରଚଳିତ ଥିବା ୫୦୦ ଟଙ୍କିଆ ନୋଟ ୨୦୧୬ ବିମୁଦ୍ରାକରଣ ପରେ ବଜାରକୁ ଆସିଥିଲା। ଷ୍ଟୋନ ଗ୍ରେ ରଙ୍ଗର ଏହି ୫୦୦ ଟଙ୍କିଆ ନୋଟରେ ଭାରତୀୟ ଐତିହ୍ୟ ସ୍ଥଳ-ଲାଲକିଲ୍ଲା ରହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
RS 500

RS 500

ବର୍ତ୍ତମାନ ଦେଶରେ ୨୦୧୬ରୁ ନୂଆ ୫୦୦ ଟଙ୍କିଆ ନୋଟ ପ୍ରଚଳିତ ରହିଛି। ୨୦୧୬ ବିମୁଦ୍ରାକରଣ ପରେ ଦେଶରେ ନୂଆ ୫୦୦ ଟଙ୍କିଆ ଓ ୨ ହଜାର ଟଙ୍କିଆ ନୋଟ ପ୍ରଚଳିତ ହୋଇଥିଲା। ପୂର୍ବରୁ ପ୍ରଚଳିତ ୫୦୦ ଟଙ୍କିଆ ଓ ୧ ହଜାର ଟଙ୍କିଆ ନୋଟ ଅଚଳ ହୋଇ ଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ ୨୦୨୩ ମେ’ ମାସରୁ କେନ୍ଦ୍ର ସରକାର ନୂଆ ୨୦୦୦ ଟଙ୍କିଆ ନୋଟକୁ ଫେରାଇ ନେଇଛନ୍ତି।

Advertisment

ଏବେ ଚର୍ଚ୍ଚା ହେଉଛି ଯେ ବଜାରରେ ଥିବା ୫୦୦ ଟଙ୍କିଆ ନୋଟ ୨୦୨୬ ସୁଦ୍ଧା ଅଚଳ ହୋଇଯିବ। ଏ ସଂକ୍ରାନ୍ତ ଏକ ଭିଡିଓ ମଧ୍ୟ ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଆତଙ୍କ ସୃଷ୍ଟି ହୋଇଛି।

ଭିଡିଓ ଭାଇରାଲ ହେବାର ପରେ ସରକାରଙ୍କ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ରଖାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ ପକ୍ଷରୁ ଏପରି ଘୋଷଣା କରାଯାଇ ନଥିବା ସରକାର ସ୍ପଷ୍ଟ କରିଛନ୍ତି।

Advertisment

ଜୁନ ୨ରେ କ୍ୟାପିଟାଲ ଟିଭି ନାମକ ୟୁଟ୍ୟୁବ ଚ୍ୟାନେଲରେ ଗୋଟିଏ ଭିଡିଓ ପୋଷ୍ଟ କରାଯାଇଥିଲା। ଏଥିରେ ଦାବି କରାଯାଇଥିଲା ଯେ ଆସନ୍ତା ବର୍ଷ ମାର୍ଚ୍ଚ ମାସରୁ ୫୦୦ ଟଙ୍କିଆ ନୋଟ ବଜାରରୁ ପ୍ରତ୍ୟାହାର ହେବ। ପ୍ରାୟ ୧୨ ମିନିଟର ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିଥିଲେ।

ଭିଡିଓକୁ ପିଆଇବି ଫ୍ୟାକ୍ଟଚେକ ୟୁନିଟ ପକ୍ଷରୁ ଫେକ ବୋଲି କୁହାଯିବା ସହ ୫୦୦ ଟଙ୍କିଆ ନୋଟର ପ୍ରଚଳନ ଜାରି ରହିଛି ଓ ଏହା ବୈଧ ବୋଲି ସ୍ପଷ୍ଟ କରାଯାଇଛି। ଏଥିସହ ଲୋକଙ୍କୁ ବିଭ୍ରାନ୍ତୀକର ସୂଚନା ଜାଲରେ ନ ଫସିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଲୋକମାନେ ସବୁବେଳେ ଅଫିସିଆଲ ସୂତ୍ରରୁ କୌଣସି ଖବରର ସତ୍ୟାସତ୍ୟକୁ ଜାଣିବାକୁ ଚେଷ୍ଟା କରନ୍ତୁ। ସରକାରୀ ତଥ୍ୟକୁ ବିଶ୍ୱାସକୁ ନିଅନ୍ତୁ କିମ୍ବା ଏହାକୁ ଶେୟାର କରନ୍ତୁ ବୋଲି ପିଆଇବି ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ପ୍ରଚଳିତ ଥିବା ୫୦୦ ଟଙ୍କିଆ ନୋଟ ୨୦୧୬ ବିମୁଦ୍ରାକରଣ ପରେ ବଜାରକୁ ଆସିଥିଲା। ଷ୍ଟୋନ ଗ୍ରେ ରଙ୍ଗର ଏହି ୫୦୦ ଟଙ୍କିଆ ନୋଟରେ ଭାରତୀୟ ଐତିହ୍ୟ ସ୍ଥଳ-ଲାଲକିଲ୍ଲା ରହିଛି। ଅନ୍ୟ ଭାରତୀୟ ନୋଟ ଗୁଡ଼ିକ ଭଳି ନୂଆ ୫୦୦ ଟଙ୍କିଆରେ ମଧ୍ୟ ୧୭ଟି ଭାରତୀୟ ଭାଷା ରହିଛି।

RBI RS 500