ବର୍ଷକୁ ୬.୫ କୋଟି ଟଙ୍କାର ଖାଦ୍ୟ ଖାଇବେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବାସଭବନରେ ଖାଦ୍ୟ ଓ ପାନୀୟ ଯୋଗାଇବା ପାଇଁ ବାର୍ଷିକ ୩.୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଫଡନାଭିସ ଓ ଅଜିତ ପାୱାରଙ୍କ ପାଇଁ ୧.୫ କୋଟି ଲେଖାଏଁ ବ୍ୟୟବରାଦ ହୋଇଛି।

Representational image

  • Published: Friday, 05 January 2024
  • , Updated: 05 January 2024, 06:03 PM IST

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଦୁଇ ଉପ ମୁଖମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାରଙ୍କ ଘରେ ବର୍ଷକୁ ୬.୫ କୋଟି ଟଙ୍କାର ଖାଦ୍ୟ ଖିଆଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କର ଖାଦ୍ୟ ଓ ପାନୀୟ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ।

୧୦ ମାସ ତଳେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରୀ ବାସଭବନ ବର୍ଷା ଓ ଉପ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ବାସଭବନ ସାଗର ପାଇଁ କ୍ୟାଟରର ନିଯୁକ୍ତି କରିଥିଲେ।

ଏମାନଙ୍କ ଘରେ ଖାଦ୍ୟ ଯୋଗାଇ ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ଏବେ ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବାସଭବନ ଦେବଗିରିରେ ଖାଦ୍ୟ ଓ ପାନୀୟ ଯୋଗାଇ ଦେବା ପାଇଁ କ୍ୟାଟରର ନିଯୁକ୍ତି କରାଯାଇଛି। ଏଥିପାଇଁ ଆଉ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବାସଭବନରେ ଖାଦ୍ୟ ଓ ପାନୀୟ ଯୋଗାଇବା ପାଇଁ ବାର୍ଷିକ ୩.୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଫଡନାଭିସ ଓ ଅଜିତ ପାୱାରଙ୍କ ପାଇଁ ୧.୫ କୋଟି ଲେଖାଏଁ ବ୍ୟୟବରାଦ ହୋଇଛି।

ରାଜ୍ୟ ସରକାର ଅଜିତ ପାୱାରଙ୍କ ସରକାରୀ ବାସଭବନ ଦେବଗିରି ପାଇଁ ଛତ୍ରଧାରୀ କ୍ୟାଟରର୍ସକୁ ଦାୟିତ୍ୱ ଦେଇଛନ୍ତି। ଏପ୍ରିଲ ୨୦୨୫ ଯାଏ ଏହି ସଂସ୍ଥା ଦେବଗିରିର ଖାଦ୍ୟ ଓ ପାନୀୟ କଥା ବୁଝିବ। ଏହାର ଅର୍ଥ ବର୍ଷା, ସାଗର ଓ ଦେବଗିରି ପାଇଁ ନିଯୁକ୍ତ କ୍ୟାଟରର୍ସ ବର୍ଷକୁ ମୋଟ ୬.୫ କୋଟି ଟଙ୍କା ନେବେ।

୨୦୨୩ ଏପ୍ରିଲ ମାସରେ ଅଜିତ ପାୱାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବର୍ଷାର ଖାଦ୍ୟ ଓ ପାନୀୟ ବିଲକୁ ନେଇ ପ୍ରଶ୍ନ ଉଠାଇଥିଲେ। ୪ ମାସରେ ବର୍ଷାର ବିଲ ୨.୬୮ କୋଟି ଛୁଇଁଥିଲା। ଏବେ ସରକାର ଅଜିତ ପାୱାରଙ୍କ ପାଇଁ ଦେଢ଼ କୋଟିର ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିଛନ୍ତି।

ଗତବର୍ଷ ରାଜ୍ୟ ଜିଏଡି ପକ୍ଷରୁ ଗୋଟିଏ ସରକାରୀ ବିଜ୍ଞପ୍ତି ଜାରି କରି ସିନ୍ଦେ ଓ ଫଡନାଭିସଙ୍କ ବାସଭବନରେ ଖାଦ୍ୟ ଯୋଗାଇବା ପାଇଁ ଦୁଇଟି କ୍ୟାଟରର୍ସ ଛତ୍ରଧାରୀ ଓ ଶ୍ରୀ ସୁଖ ସାଗର ହସ୍ପିଟାଲିଟିକୁ ଦାୟିତ୍ୱ ଦେଇଥିଲେ। ଏବେ ଦେବଗିରି ଦାୟିତ୍ୱ ମଧ୍ୟ ଛତ୍ରଧାରୀ କ୍ୟାଟରର୍ସ ପାଇଛି।

ଦେବଗିରିରେ ସଂସ୍ଥା ପକ୍ଷରୁ ୪୪ଟି ନିୟମିତ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯିବ। ଏହା ମଧ୍ୟରେ ଗରମ ଓ ଥଣ୍ଡା ପାନୀୟ ସହ ଜଳଖିଆ ରହିଛି।

Related story