Advertisment

ଡିଏମକେ ସାଂସଦଙ୍କ ଉପରେ ୯୦୮ କୋଟି ଟଙ୍କାର ଇଡି ଫାଇନ୍‌

ତଦନ୍ତ ବେଳେ ଇଡି ଜଗତରକ୍ଷକନ ଓ ତାଙ୍କ ପରିବାର ବର୍ଗଙ୍କ ନାଁରେ ଥିବା ୮୯.୧୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।

author-image
Hemant Lenka
DMK MP Jagathrakshakan

DMK MP Jagathrakshakan

ତାମିଳନାଡୁର କ୍ଷମତାସୀନ ଡିଏମକେ ସାଂସଦ ଏସ୍‌ ଜଗତରକ୍ଷକନ୍‌ଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଲଗାଇଛି ୯୦୮ କୋଟି ଟଙ୍କାର ଜୋରିମାନା। ଏନେଇ ତାଙ୍କ ପାଖକୁ ଇଡି ନୋଟିସ ପଠାଇଛି। ଜଗତରକ୍ଷକନ ଓ ତାଙ୍କ ପରିବାର ବିରୋଧରେ ରୁଜୁ ହୋଇଥିବା ଫୋରେକ୍ସ ଉଲ୍ଲଙ୍ଘନ ମାମଲାରେ ଇଡି ଏପରି ପଦକ୍ଷେପ ଗ୍ରହଣ କରିଛି।

Advertisment

ଇଡି ତା’ର ନୋଟିସରେ କହିଛି ଯେ ଜଗତରକ୍ଷକନ ହେଉଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ବିରୋଧରେ ୨୦୨୦ରେ ବିଦେଶୀ ନେଣଦେଣ ପରିଚାଳନା ଆଇନ ଉଲ୍ଲଙ୍ଘନ ଅଭିଯୋଗ ଆସିଥିଲା। ଏହାର ବିସ୍ତୃତ ତଦନ୍ତ କରାଯାଇଛି। ତଦନ୍ତ ବେଳେ ଇଡି ଜଗତରକ୍ଷକନ ଓ ତାଙ୍କ ପରିବାର ବର୍ଗଙ୍କ ନାଁରେ ଥିବା ୮୯.୧୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ତେବେ ୨୦୨୧ରେ ଅଧିକୃତ ପ୍ରାଧିକରଣ ଏହି ଜବତ ନିର୍ଦ୍ଦେଶ ଉପରେ ରୋକ ଲଗାଇ ଦେଇଥିଲେ। ଇଡି ଏନେଇ ଗୋଟିଏ Appellate Tribunalରେ ଆବେଦନ କରିଥିଲା। ଏହି ଆବେଦନ ଏବେ ବି ସେଠାରେ ପଡ଼ି ରହିଛି।

ଏହା ବ୍ୟତୀତ ୨୦୨୧ ଡିସେମ୍ବରରେ ଇଡି ନୂଆ ଅଭିଯୋଗ ଜଗତରକ୍ଷକନ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ରୁଜୁ କରିଥିଲା। ବିଦେଶ କମ୍ପାନୀରେ ନିବେଶକୁ ନେଇ ହୋଇଥିବା ଅନିୟମିତା ଯୋଗୁ ଫେମାର ଧାରା ୧୬ ଅନୁଯାୟୀ ଏପରି ମାମଲା କରାଯାଇଥିଲା।

Advertisment

୨୦୧୭ରେ ଜଗତରକ୍ଷକନ ସିଙ୍ଗାପୁରରେ ଥିବା ଗୋଟିଏ ଶେଲ କମ୍ପାନୀରେ ୪୨ କୋଟି ଟଙ୍କା ନିବେଶ କରିଥିଲେ। ସିଙ୍ଗାପୁର ବିଦେଶ ଶେୟାରକୁ ଦଖଲ କରିଥିଲେ ଓ ଏହାକୁ ପରବର୍ତ୍ତୀ ଅବସ୍ଥାରେ ନିଜ ପରିବାର ସଦସ୍ୟଙ୍କ ନାଁକୁ ବଦଳାଇଥିଲେ। ଡିଏମକେ ସାଂସଦ ଜତରକ୍ଷକନ ଶ୍ରୀଲଙ୍କାର ଗୋଟିଏ କମ୍ପାନୀରେ ମଧ୍ୟ ପ୍ରାୟ ୯ କୋଟି ଟଙ୍କା ନିବେଶ କରିଛନ୍ତି।

ଇଡି ରୁଜୁ କରିଥିବା ମାମଲା ବିରୋଧରେ ଜଗତରକ୍ଷକନ ମାଡ୍ରାସ ହାଇକୋର୍ଟରେ ଯାଇଥିଲେ। କୋର୍ଟ ଉଭୟ ପକ୍ଷକୁ ଶୁଣିବା ପରେ ଚଳିତ ବର୍ଷ ଜୁଲାଇ ୨୩ରେ ସାଂସଦଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।

ଏସବୁ ଭିତରେ ଇଡି ପକ୍ଷରୁ ଜଗତରକ୍ଷକନଙ୍କ ବିରୋଧରେ ଫେମା ଉଲ୍ଲଙ୍ଘନ ଅଭିଯୋଗର ତଦନ୍ତ ଚାଲିଥିଲା। ତଦନ୍ତ ବେଳେ ସେ ନିୟମ ଉଲ୍ଲଙ୍ଘନ କରିଥିବା ପ୍ରମାଣିତ ହୋଇଥିବା ଇଡି ଦାବି କରିଛି।

ଏହାପରେ ଇଡି ଫେମାର ଧାରା ୩୭ଏ ଅନୁଯାୟୀ ଜଗତରକ୍ଷକନଙ୍କ ୮୯.୧୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିବାକୁ କହିଛି ଓ ୯୦୮ କୋଟି ଟଙ୍କାର ଜୋରିମାନା ଲଗାଇଛି। ଏନେଇ ଅଗଷ୍ଟ ୨୬ରେ ଇଡି ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବା ନୋଟିସରେ କୁହାଯାଇଛି।

ED Raid DMK DMK MP