Advertisment

Maoist Surrender: ଆତ୍ମସମର୍ପଣ କଲେ ୮ ଲକ୍ଷ ଟଙ୍କିଆ ମାଓବାଦୀ ନେତା ମାଣ୍ଡା ରୁବେନ

ସେ ମାଓବାଦୀଙ୍କ ଦକ୍ଷିଣ ବସ୍ତର ଡିଭିଜନ କମିଟିର ସମ୍ପାଦକ ଓ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ମଧ୍ୟ ରହିଥିଲେ। ହେଲେ ବୟସ ଜନିତ ଅସୁସ୍ଥତା ଓ ଅନ୍ୟ କାରଣରୁ ସେ ୱାରଙ୍ଗଲ ପୁଲିସ୍‌ କମିଶନର ସୁନପ୍ରୀତ ସିଂହଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Naxal

ରୁବେନଙ୍କ ଆତ୍ମସମର୍ପଣ

Advertisment

ସୁରକ୍ଷାକର୍ମୀଙ୍କ ଘନଘନ ଏନକାଉଣ୍ଟରରେ ଥରହର ଲାଲଗଡ଼। ନକ୍ସଲ ମୁକ୍ତ ଭାରତ ଅଭିଯାନ ଯୋଗୁ ଭୁଶୁଡ଼ିବାରେ ଲାଗିଛି ମାଓବାଦୀଙ୍କ ଗଡ଼। ଭୟରେ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ମାଓବାଦୀ ନେତା ଓ ସଦସ୍ୟ। ଏହିକ୍ରମରେ ତେଲଙ୍ଗାନା(Telangana)ର ୱାରଙ୍ଗଲ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ୮ ଲକ୍ଷ ଟଙ୍କିଆ ମାଓବାଦୀ। 

Advertisment

୧୯୯୧ ମସିହା ଜଗଦଲପୁର ଜେଲବ୍ରେକ ମାମଲା ପରେ ଚର୍ଚ୍ଚାକୁ ଆସିଥିବା ବରିଷ୍ଠ ମାଓବାଦୀ(Naxal) ନେତା ମାଣ୍ଡା ରୁବେନ ୱାରଙ୍ଗଲ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କୁ ଧରିବା ପାଇଁ ଓ ତାଙ୍କ ସମ୍ପର୍କରେ ସୂଚନା ହାସଲ ପାଇଁ ପୁଲିସ୍‌ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ହେଲେ ସେ ନିଜ ଆଡ଼ୁ ମଙ୍ଗଳବାର ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। 

୬୭ ବର୍ଷୀୟ ମାଓବାଦୀ ନେତା ମାଣ୍ଡା ରୁବେନ ଦୀର୍ଘ ବର୍ଷ ଧରି ନକ୍ସଲ ସଂଗଠନ ପାଇଁ କାମ କରୁଥିଲେ। ସେ କାନ୍ନାନ୍ନା, ମାଙ୍ଗାନ୍ନା ଓ ସୁରେଶ ଭାବେ ମଧ୍ୟ ପରିଚିତ। ସେ ମାଓବାଦୀଙ୍କ ଦକ୍ଷିଣ ବସ୍ତର ଡିଭିଜନ କମିଟିର ସମ୍ପାଦକ ଓ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ମଧ୍ୟ ରହିଥିଲେ। ହେଲେ ବୟସ ଜନିତ ଅସୁସ୍ଥତା ଓ ଅନ୍ୟ କାରଣରୁ ସେ ୱାରଙ୍ଗଲ ପୁଲିସ୍‌ କମିଶନର ସୁନପ୍ରୀତ ସିଂହଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। 

Advertisment

ପୁଲିସ କମିଶନର ଶ୍ରୀ ସିଂହଙ୍କ କହିବା କଥା ଯେ ରୁବେନଙ୍କ ଘର ହାନାମକୋଣ୍ଡା ଜିଲ୍ଲାର ଭାଙ୍ଗାପାଡୁ ଗାଁରେ। ସେ ୧୯୭୯ ମସିହାକୁ ନକ୍ସଲ ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ସେ ଏନଆଇଟି ୱାରଙ୍ଗଲ ବା ଆରଇସିର ହଷ୍ଟେଲ ମେସ୍‌ରେ ନିଯୁକ୍ତି ପାଇଥିଲେ। ଆରଇସିର ପୂର୍ବତନ ଛାତ୍ର ତଥା ମାଓବାଦୀ ସଂଗଠନର ସାଧାରଣ ସମ୍ପାଦକ ନମ୍ବାଲା କେଶବ ରାଓଙ୍କ କଥାରେ ପ୍ରଭାବିତ ହୋଇ ନକ୍ସଲ ସଂଗଠନ ପ୍ରତି ଆକୃଷ୍ଟ ହୋଇଥିଲେ। 

୧୯୭୯ରୁ ଅଣ୍ଡରଗ୍ରାଉଣ୍ଡ ହେବା ପରେ ରୁବେନଙ୍କ କୌଣସି ପତ୍ତା ମିଳି ନଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ ୧୯୮୧ରୁ ୧୯୮୬ ଯାଏ ସେ କୁଖ୍ୟାତ ମାଓବାଦୀ ଲଙ୍କା ପାପି ରେଡ୍ଡୀର ନିର୍ଦ୍ଦେଶରେ କୁଣ୍ଟା-ବସ୍ତର ସ୍କ୍ୱାଡରେ କାମ କରିଥିଲେ। ୧୯୮୭ରେ ତାଙ୍କୁ ଏରିଆ କମିଟି ସଦସ୍ୟ କରାଯାଇଥିଲା। 

୧୯୯୧ରେ ଅସୁସ୍ଥତା କାରଣରୁ ରୁବେନ ହସ୍ପିଟାଲ ଯାଉଥିବା ବେଳେ ଛତିଶଗଡ଼ ପୁଲିସ୍‌ ତାଙ୍କୁ କୋଥାଗୁଡେମରୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଜଗଦଲପୁର ଜେଲକୁ ପଠାଇ ଦିଆଯାଇଥିଲା। କିନ୍ତୁ ବର୍ଷ ପରେ ସେ ଜେଲର ଛାତ ଭାଙ୍ଗି ବେଡ ଓ ଟାୱେଲରେ ରଶି ପ୍ରସ୍ତୁତ କରି ସେଠାରୁ ଖସି ଯାଇଥିଲେ। ତାଙ୍କ ସହ ଆଉ ୨ ଜଣ କଏଦୀ ମଧ୍ୟ ଜେଲରୁ ଚମ୍ପଟ ମାରିଥିଲେ। ଏହି ଘଟଣା ଜଗଦଲପୁର ଜେଲବ୍ରେକ ଭାବେ ବେଶ ଚର୍ଚ୍ଚାରେ ରହିଥିଲା। ଜେଲରୁ ଖସିବା ପରେ ସେ ପୁଣି ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। 

୧୯୯୯ ଯାଏ ସେ କୁଣ୍ଟା ଓ ଅବୁଝମାଡ଼ରେ କମିଟି ସଦସ୍ୟ ଭାବେ କାମ କରିଥିଲେ। ସେହିବର୍ଷ ସେ ବିଜାପୁର ଜିଲ୍ଲାର ଗୁଣ୍ଡରାୟିରେ ରହୁଥିବା ପୋଡିଉମ ବୀମେଙ୍କୁ ବିବାହ କରିଥିଲେ। ଡିଭିଜିନ କମିଟି ସଦସ୍ୟ ଭାବେ କାମ କରୁଥିବା ବେଳେ ଅସୁସ୍ଥତା କାରଣରୁ ୨୦୦୫ ସେ ନିଷ୍କ୍ରିୟ ହୋଇଯାଇଥିଲେ। ସେବେଠାରୁ ସେ ଗୁଣ୍ଡରାୟିରେ ପରିବାର ଲୋକଙ୍କ ସହ ରହିବା ଆରମ୍ଭ କରିଥିଲେ। ସେଠାରେ କୁକୁଡ଼ା ଓ ଅନ୍ୟ ଚାଷ କାମ କରୁଥିଲେ ହେଁ ମାଓବାଦୀଙ୍କୁ ଆଶ୍ରୟ, ଖାଦ୍ୟ ଓ ପୁଲିସ୍‌ ସମ୍ପର୍କରେ ଗୁପ୍ତ ତଥ୍ୟ ଦେଇ ଚାଲିଥିଲେ ବୋଲି ସିପି ଶ୍ରୀ ସିଂହ କହିଛନ୍ତି। 

ମାଣ୍ଡା ରୁବେନ ୧୯୯୮ରେ ଗୋଲ୍ଲାପାଲ୍ଲି-ମାରାଇଗୁଡା ରାସ୍ତାରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ହୋଇଥିବା ହମଲାରେ ସାମିଲ ଥିଲେ। ଏଥିରେ ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ସେମାନଙ୍କ ବନ୍ଧୁକଙ୍କୁ ମାଓବାଦୀମାନେ ନେଇ ଯାଇଥିଲେ। ଏହାବାଦ ୧୯୯୦ରେ କେନ୍ଦ୍ରୀୟ କମିଟି ସଦସ୍ୟ ଗୋପାନ୍ନାଙ୍କ ସହ ମିଶି ସେ ତୁରଲାପାଡୁ ପୁଲିସ୍‌ ଷ୍ଟେସନ ଉପରେ ହମଲା କରିଥିଲେ। 

ରୁବେନ ଏବେ ଗୁରୁତର ଅସୁସ୍ଥ। ଏହି କାରଣରୁ ସେ ମାଓବାଦୀ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଭାଗ ନେଇ ପାରୁନାହାନ୍ତି। ଏହି କାରଣରୁ ସେ ପୁଲିସ୍‌(Police) ନିକଟରେ ଆତ୍ମସମର୍ପଣ କରି ବାକି ଜୀବନ ପରିବାର ସହ କାଟିବାକୁ ଚାହୁଁଛନ୍ତି। 

Police Naxal Telangana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe