Advertisment

ରାହୁଲଙ୍କ ବୟାନକୁ ନେଇ ହଙ୍ଗାମା, କଂଗ୍ରେସ ମୁଖ୍ୟାଳୟରେ ଲାଗିଲା ପୋଷ୍ଟର୍‌

ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି ହେଉଛି।

author-image
Madhupriya Mistry
Bajrang Dal Poster

Bajrang Dal Poster

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ଆରମ୍ଭ ହୋଇଛି ହଙ୍ଗାମା। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ବେଳେ ହିନ୍ଦୁମାନଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧି। ଏହାକୁ ନେଇ ଏବେ ତାଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ବୟାନକୁ ନେଇ ଚାରିଆଡୁ ନିନ୍ଦା କରାଯାଉଛି। ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି ହେଉଛି। ଏହାରି ଭିତରେ ଗୁଜରାଟରେ ମଧ୍ୟ ରାହୁଲଙ୍କ ବିବାଦୀୟ ବୟାନକୁ ବିରୋଧ ଆରମ୍ଭ ହୋଇଛି।

Advertisment

ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଗୁଜରାଟ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧିଙ୍କୁ ବିରୋଧ କରି ପୋଷ୍ଟର ମାରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ବଜରଙ୍ଗ ଦଳର କର୍ମୀମାନେ ଅହମ୍ମଦାବାଦ ସ୍ଥିତ ଗୁଜରାଟ ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ପ୍ରବେଶ କରି ସେଠାରେ ପୋଷ୍ଟର ଲଗାଇଛନ୍ତି। ଏହା ବ୍ୟତୀତ ସେଠାରେ ସ୍ଥାପିତ ବୋର୍ଡରେ ରାହୁଲ ଗାନ୍ଧିଙ୍କ ମୁହଁରେ କାଳି ବୋଳିଛନ୍ତି।

ଗତକାଲି ସଂସଦରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ରାହୁଲ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିଥିଲେ। ବିରୋଧୀ ଦଳ ନେତା ହିସାବରେ ପ୍ରଥମ ଥର ପାଇଁ ଉଦ୍‌ବୋଧନ ଦେଇଥିଲେ। ମଣିପୁର ଦଙ୍ଗା ଠାରୁ ଆରମ୍ଭ କରି ନିଟ୍‌ ପ୍ରଶ୍ନପତ୍ର ଲିକ୍‌, ଅଗ୍ନିବୀର ଯୋଜନା ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଏକାଧିକ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଜୋରଦାର ଆଟାକ୍ କରିଥିଲେ।

Advertisment

ଭଗବାନ ଶିବ, ନାନକ ଏବଂ ଅନ୍ୟ ମହାପୁରୁଷମାନଙ୍କ ଫଟୋକୁ ହାତରେ ଧରି ନିଜକୁ ହିନ୍ଦୁ ବୋଲାଉଥିବା ବ୍ୟକ୍ତିଙ୍କ ହିଂସ୍ର ବୋଲି କହି ସେ ସମାଲୋଚନା କରିଥିଲେ। ରାହୁଲ କହିଥିଲେ ଯେ ଯେଉଁମାନେ ହିଂସ୍ର ଆଚରଣ କରୁଛନ୍ତି, ସେମାନେ ହିନ୍ଦୁ ନୁହନ୍ତି। ବିଶେଷ କରି ସେ ବିଜେପି ଏବଂ ଆରଏସ୍ଏସ୍‌ର ତୀବ୍ର ସମାଲୋଚନା କରିଥିଲେ। ଧର୍ମ ନାମରେ ସେମାନେ ହିଂସା ଓ ଘୃଣାର ପ୍ରସାର କରୁଛନ୍ତି ବୋଲି କହିଥିଲେ।

ରାହୁଲଙ୍କ ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀ ତୀବ୍ର ବିରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଆସନରେ ଛିଡ଼ା ହୋଇ ଏହାର ପ୍ରତିବାଦ କରିଥିଲେ। ଏପରିକି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଛିଡ଼ା ହୋଇ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

Congress Rahul Gandhi Gujarat Bajrang Dal