/odisha-reporter/media/media_files/2026/03/04/rs-2026-03-04-15-00-33.jpg)
RS
ପୂରା ଦେଶ ହୋଲିର ରଙ୍ଗରେ ରଙ୍ଗୀନ ହେଉଥିବେ ବେଳେ ଭାରତୀୟ ଟଙ୍କା ରେକର୍ଡ ଦୁର୍ବଳ ସ୍ତରକୁ ଖସି ଯାଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ତଳକୁ ହ୍ରାସ ପାଇଛି। ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଓ ଅଶୋଧିତ ତୈଳ ଦର ବୃଦ୍ଧି ବିଶ୍ୱ ଆର୍ଥିକ ବଜାରକୁ ଅସ୍ଥିର କରିଥିବା ବେଳେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇଯାଇଛି।
ଦିନ ୧୨.୩୯ରେ ଗୋଟିଏ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୯୨.୨୪ ରହିଥିଲା। ପ୍ରଥମଥର ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୯୨ ମାର୍କ ଅତିକ୍ରମ କରିଛି। ଇସ୍ରାଏଲ-ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ନିବେଶକମାନେ ସୁରକ୍ଷିତ ସମ୍ପତ୍ତି ମୁହାଁ ହୋଇଛନ୍ତି। ତେଣୁ ଟଙ୍କାର ମୂଲ୍ୟ ଦୁର୍ବଳ ହେବାରେ ଲାଗିଛି।
ଅନ୍ୟପକ୍ଷରେ ଭାରତୀୟ ଶେୟାର ବଜାରରେ ମଧ୍ୟ ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଛି। ମାତ୍ର କିଛି ମିନିଟରେ ଷ୍ଟକ ବଜାର କ୍ରାଶ କରିବାରୁ ନିବେଶକମାନେ ୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବିଶେଷଜ୍ଞଙ୍କ କହିବା କଥା ଡଲାର(US Dollar) ତୁଳନାରେ ଟଙ୍କା ଦ୍ରୁତଗତିରେ ହ୍ରାସ ପାଇବାର ଅର୍ଥ ବିଶ୍ୱ ମାର୍କେଟକୁ ନେଇ ଏବେ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି।
ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଓ ଶକ୍ତିଶାଳୀ ଆମେରିକା ଡଲାର ଅନ୍ୟ ଦେଶର ମୁଦ୍ରା ଉପରେ ଚାପ ପକାଉଛି। ଏଥିଯୋଗୁ ଟଙ୍କା ସମେତ ବିଭିନ୍ନ ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଏହାପୂର୍ବରୁ ଡିସେମ୍ବର ମାସରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଗୁରୁତ୍ୱପୂର୍ଣ୍ଣ ୯୦ ମାର୍କ ପାର କରିଥିଲା।
ଭାରତ-ଆମେରିକା ବାଣିଜ୍ୟ ଡିଲକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କାରବାରରେ ବାଧା ସୃଷ୍ଟି ହେବା ଯୋଗୁ ଟଙ୍କାର ମୂଲ୍ୟ ରେକର୍ଡ ଦୁର୍ବଳ ସ୍ତରରେ ପହଞ୍ଚିଥିଲା। ବାଣିଜ୍ୟ ଡିଲ ହେବା ପରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ସୁଧାର ଆସିଥିଲା। କିନ୍ତୁ ଏବେ ପୁଣିଥରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
