Advertisment

ଜମ୍ମୁ ଏୟାର ଷ୍ଟ୍ରିପକୁ ଟାର୍ଗେଟ କଲା ପାକିସ୍ତାନ: ବାଜିଲା ଯୁଦ୍ଧ ସାଇରନ, ବିଭିନ୍ନ ସ୍ଥାନରେ ବ୍ଲାକଆଉଟ୍‌

୮ଟି ମିସାଇଲ ପାକିସ୍ତାନ ମାଡ଼ କରିଥିଲେ ହେଁ ଏହାକୁ ଭାରତର ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ ବା ସୁଦର୍ଶନ ଚକ୍ର ନଷ୍ଟ କରି ଦେଇଥିବା ଜଣାପଡ଼ିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Jammu

Jammu

ବାରମ୍ବାର ଭାରତ ଠାରୁ ଦୃଢ଼ ଜବାବ ପାଉଥିବା ପାକିସ୍ତାନ ନିଜ ପ୍ରକୃତି ବଦଳାଉ ନାହିଁ। ଅପରେସନ ସିନ୍ଦୂରର ଜବାବ ଦେବାକୁ ଯାଇ ଆଜି ପୁଣିଥରେ ଜମ୍ମୁ ଏୟାର ଷ୍ଟ୍ରପିକୁ ଟାର୍ଗେଟ କରିଛି ପାକିସ୍ତାନ। ଆଜି ସନ୍ଧ୍ୟାରେ ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରିପକୁ ଟାର୍ଗେଟ କରି ୮ଟି ସ୍ୱଳ୍ପ ଉଚ୍ଚତାର ମିସାଇଲ ମାଡ଼ କରାଯାଇଛି।

Advertisment

୮ଟି ମିସାଇଲ ପାକିସ୍ତାନ ମାଡ଼ କରିଥିଲେ ହେଁ ଏହାକୁ ଭାରତର ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ ବା ସୁଦର୍ଶନ ଚକ୍ର ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ମିସାଇଲ ମାଡ଼ କରିବା ସହ ପାକିସ୍ତାନ ପକ୍ଷରୁ ସାମ୍ବାରେ ମଧ୍ୟ ଗୁଳି ବର୍ଷା କରାଯାଇଛି। ଏହାର ଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଇଛି।

ପାକିସ୍ତାନ ଜମ୍ମୁ ଏୟାର ଷ୍ଟ୍ରିପକୁ ଟାର୍ଗେଟ କରିଥିବାରୁ ଭାରତୀୟ ସେନା ଯୁଦ୍ଧ ସାଇରନ ବଜାଇ ସମସ୍ତଙ୍କୁ ସତର୍କ କରାଇଛି। ସେହିପରି ପୂରା ଜମ୍ମୁରେ ବ୍ଲାକଆଉଟ କରାଯାଇଛି। ଜମ୍ମୁରେ ବ୍ଲାକଆଉଟ ହୋଇଥିବାରୁ ମୋବାଇଲ ସେବା ମଧ୍ୟ କାମ କରୁ ନଥିବା ଜଣାପଡ଼ିଛି। ମିସାଇଲକୁ ଭାରତୀୟ ସେନା ନଷ୍ଟ କରିଦେଇଥିଲେ ହେଁ କିଛି ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। 

Advertisment

ଜମ୍ମୁ ବ୍ୟତୀତ ଉଦ୍ଧମପୁର, ଅଖନୁର, ପଠାନକୋଟ, ସାମ୍ବା, ଆରଏସ୍‌ ପୁରାରେ ପାକିସ୍ତାନ ଡ୍ରୋନ ଦ୍ୱାରା ଆକ୍ରମଣ କରିବାକୁ ଚେଷ୍ଟା କରିଛି। ହେଲେ ଏଠାରେ ଭାରତୀୟ ସେନା ଗୁଳି କରି ପାକିସ୍ତାନ ଡ୍ରୋନ ଗୁଡ଼ିକୁ ଖସାଇ ଦେଇଛନ୍ତି। ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ମଧ୍ୟ ୨ଟି ଡ୍ରେନ ପଡ଼ିଥିବା ଖବର ମିଳିଛି। ଜମ୍ମୁ ଏୟାର ଷ୍ଟ୍ରିପରେ ଗୋଟିଏ ଡ୍ରୋନ ମାଡ଼ ହୋଇଥିବା ଜଣାପଡ଼ିଛି। 

ଜମ୍ମୁ ସମେତ ରାଜସ୍ଥାନ ସୀମାରେ ମଧ୍ୟ ପାକିସ୍ତାନ ପଟୁ ବିପଦ ସୃଷ୍ଟି ହୋଇଛି। ଏହାକୁ ମାତ ଦେବା ପାଇଁ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ କରାଯାଇଛି। ଜୈସଲମେର ଠାରେ ପାକିସ୍ତାନ ଡ୍ରୋନ ଓ ମିସାଇଲ ମାଡ଼ କରିଛି। ଏଠାରେ ସୁରକ୍ଷାକର୍ମୀ ବ୍ଲାକଆଉଟ କରି ସହରରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଆଉ କିଛି ସ୍ଥାନରେ ବି ବ୍ଲାକଆଉଟ କରାଯାଇଛି। ବ୍ଲାକଆଉଟ ଯୋଗୁ ପୂରା ଅଞ୍ଚଳ ଅନ୍ଧାର ମଧ୍ୟରେ ରହିଛି। ପଞ୍ଜାବର ପଠାନକୋଟ ଅଞ୍ଚଳରେ ମଧ୍ୟ ବ୍ଲାକଆଉଟ ହୋଇଛି। ପାକିସ୍ତାନ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଥିବାରୁ କିଛି ବି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ପକ୍ଷରୁ ଗୋଟିଏ ସମୟରେ ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ ଅଞ୍ଚଳରେ ଆଟାକ କରାଯାଇଛି। ଜମ୍ମୁ, ଉଦ୍ଧମପୁର, ଅଖନୁର, ପଠାନକୋଟ, ଗୁରଦାସପୁର ଓ ଜୈସଲମେରର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରାଯାଇଛି। 

ବୁଧବାର ବିଳମ୍ବିତ ରାତିରେ ମଧ୍ୟ ପାକିସ୍ତାନ ସେନା ଅବନ୍ତିପୁରା, ଜମ୍ମୁ, ପଠାନକୋଟ, ଅମୃତସରଳ, କପୁରତାଲା, ଜଲନ୍ଧର, ଲୁଧିଆନା, ଆଦମପୁର, ଭାଟିଣ୍ଡା, ଚଣ୍ଡିଗଡ଼, ନାଲ, ଫାଲୋଡି, ଉତ୍ତରଲାଇ ଓ ଭୁଜ ଭଳି ସହର ଏବଂ ଏଠାରେ ଥିବା ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ମିସାଇଲ ଓ ଡ୍ରୋନ ମାଡ଼ କରିଥିଲା। କିନ୍ତୁ ସେଗୁଡ଼ିକୁ ଇଣ୍ଟିଗ୍ରେଟେଡ କାଉଣ୍ଟର ୟୁଏଏସ ଗ୍ରୀଡ ଓ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ସେଗୁଡ଼ିକୁ ନଷ୍ଟ କରି ଦିଆଯାଇଛି। ନଷ୍ଟ ହୋଇଥିବା ମିସାଇଲ ଓ ଡ୍ରୋନର ଭଗ୍ନାଂବଶେଷଗୁଡ଼ିକ ଆଜି ସକାଳୁ ବିଭିନ୍ନ ସ୍ଥାନରୁ ମିଳିଛି। ଏହା ପାକିସ୍ତାନର ଆକ୍ରମଣକୁ ପ୍ରମାଣିତ କରିଛି।

ମିସାଇଲ ଓ ଡ୍ରୋନ ଆକ୍ରମଣ କରି ଫେଲ ମାରିଥିବା ପାକିସ୍ତାନ ଏଲଏସିରରେ ନିରବଚ୍ଛିନ୍ନ ଭାବେ ମୋର୍ଟାର ଓ ଗୁଳିମାଡ଼ କରିବାରେ ଲାଗିଛି। କୁପୱାଡା, ବାରମୁଲ୍ଲା, ପୁଞ୍ଚ, ରଜୌରୀ, ମେନ୍ଧର, ଉରି ଓ ଅଖନୁର ସେକ୍ଟରରେ ପାକିସ୍ତାନ ଗୁଳି ବର୍ଷା କରିବାରୁ ଏହାର ଜବାବ ଦିଆଯାଇଛି। ପାକିସ୍ତାନ ଅପରେସନ ସିନ୍ଦୂରର ଜବାବ ଦେବାକୁ ଚେଷ୍ଟା କରିବାରୁ ଭାରତ ଏବେ ଏହାର ଦୃଢ଼ ଜବାବ ଦେଇଛି। ଏବେ ପୁଣି ଯଦି ପାକିସ୍ତାନ ଡ୍ରୋନ ହମଲାର ଜବାବ ଦେବ, ତା’ହେଲେ ପରିଣାମ ଭୟଙ୍କର ହେବା ସୁନିଶ୍ଚିତ।

Jammu Kashmir Operation Sindoor