ରାଜନୀତିକ ସୁବିଧା ଅନୁଯାୟୀ ଆତଙ୍କବାଦ, ଉଗ୍ରବାଦ ଓ ହିଂସା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।
ଭାରତ ଓ କାନାଡା ମଧ୍ୟରେ କୂଟନୀତିକ ବିବାଦ ଚାଲିଥିବା ବେଳେ ଆଜି ଜାତିସଂଘର ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି ଜୟଶଙ୍କର। ସେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନ ଓ କାନାଡାକୁ ଟାର୍ଗେଟ କରିଛନ୍ତି। କିନ୍ତୁ ସେମାନଙ୍କ ନାଁ ନେଇ ନାହାନ୍ତି।
ସେ କହିଛନ୍ତି, ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ଓ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା କେବଳ ପ୍ରହସନ ହୋଇ ରହି ପାରିବ ନାହିଁ। ଆତଙ୍କବାଦ, ଉଗ୍ରବାଦ ଓ ହିଂସା ବିରୋଧରେ ରାଜନୀତିକ ଦୃଷ୍ଟି କୋଣରୁ ପଦକ୍ଷେପ ନେବା ଭଳି କାମକୁ ମଧ୍ୟ ଆମକୁ ରୋକିବାକୁ ହେବ। ଯେତେବେଳେ ବାସ୍ତବତା ଆମ ବାକ୍ୟ ଠାରୁ ଭିନ୍ନ କଥା କହୁଛି ସେତେବେଳେ ଆମକୁ ସ୍ୱର ଉଠାଇବାର ସାହାସ ଦେଖାଇବାକୁ ହେବ ବୋଲି ଜୟଶଙ୍କର କହିଛନ୍ତି।
ଜୟଶଙ୍କର ଆହୁରି କହିଛନ୍ତି, “ଆଜି ବିଶ୍ୱ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛି। ଏଭଳି ଏକ ସମୟରେ ଭାରତ ଜି-୨୦ର ଅଧ୍ୟକ୍ଷ ଭାବରେ ନିଜର ଦାୟିତ୍ୱକୁ ଭଲ ଭାବରେ ପୂରଣ କରିଛି। ଆମର ସଫଳତା ଓ ଆହ୍ୱାନଗୁଡ଼ିକର ହିସାବ ରଖିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। କିନ୍ତୁ କିଛି ଦେଶ ନିଜ ହିସାବରେ ସେମାନଙ୍କର ଏଜେଣ୍ଡା ସ୍ଥିର କରିବାରେ ବ୍ୟସ୍ତ ଅଛନ୍ତି।”
ଆରମ୍ଭରୁ ସେ କହିଥିଲେ ଯେ “ଭାରତରୁ ନମସ୍କାର। ବିଶ୍ୱାର ପୁନରୁଦ୍ଧାର ଓ ବିଶ୍ୱକୁ ଏକାଠି କରିବା ପାଇଁ ମିଳିତ ଜାତିସଂଘ ସାଧାରଣ ସଭାର ଏହି ଥିମକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ। ଆମର ଆକାଂକ୍ଷା ଓ ଲକ୍ଷ୍ୟକୁ ବାଣ୍ଟିବା ସହ ଆମର ସଫଳତା ଓ ଚ୍ୟାଲେଞ୍ଜ ଗୁଡ଼ିକ ବିଷୟରେ ଜାଣିବାର ଏହା ଏକ ସୁଯୋଗ। ରାଜନୀତିକ ସୁବିଧା ଅନୁଯାୟୀ ଆତଙ୍କବାଦ, ଉଗ୍ରବାଦ ଓ ହିଂସା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ।
ନିଜର ସୁବିଧା ଅନୁଯାୟୀ ଆଞ୍ଚଳିକ ଅଖଣ୍ଡତା ଓ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ପ୍ରତି ସମ୍ମାନ କରିବା କଥା ନୁହେଁ। ତଥାପି କିଛି ଦେଶ ଅଛନ୍ତି ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ଉପରେ କାମ କରନ୍ତି। କିନ୍ତୁ ଏହା ସର୍ବଦା ହୋଇପାରିବ ନାହିଁ। ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବା ଉଚିତ।
ଭାରତ ତା’ର ସବୁ ସହଯୋଗୀଙ୍କ ସହ ସହଭାଗିତାକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି। ବର୍ତ୍ତମାନ ଆମେ ଗ୍ରୁପ ନିରପେକ୍ଷତା ଯୁଗ ବଦଳରେ ବିଶ୍ୱ ମିତ୍ରତାର ରୂପ ସୃଷ୍ଟି କରିଛୁ। ଏହା କ୍ୱାଡର ବିକାଶ ଓ ବ୍ରିକ୍ସ ଗ୍ରୁପର ସଂପ୍ରସାରଣରେ ପ୍ରତିଫଳିତ ହୋଇଛି। ଆମେ ଉଭୟ ପରମ୍ପରା ଓ ପ୍ରଯୁକ୍ତିବିଦ୍ୟାକୁ ଆତ୍ମବିଶ୍ୱାସର ସହ ଏକାଠି ଆଣିଥାଉ। ଏହି ସମନ୍ୱୟ ଆଜି ଭାରତକୁ ପରିଭାଷିତ କରିଛି। ଏହା ହେଉଛି ଭାରତ।”
ଜୟଶଙ୍କର ଆହୁରି କହିଛନ୍ତି ଯେ ଜି-୨୦ ସମ୍ମିଳନୀ ପ୍ରମାଣିତ କରିଛି ଯେ ବିଶ୍ୱରେ ଚାଲିଥିବ ତୁଷ୍ଟୀକରଣ ମଧ୍ୟରେ କୂଟନୀତିକ ଓ ଆଲୋଚନା ହେଉଛି ସମସ୍ୟା ସମାଧାନର ଏକମାତ୍ର ପ୍ରଭାବଶାଳୀ ସମାଧାନ। ଭାରତ ସୁବର୍ଣ୍ଣ ଯୁଗରେ ପ୍ରବେଶ କରିଛି। ଆମେ ବିଶ୍ୱାସ କରୁ ଯେ ଆମର ପ୍ରତିଭାକୁ ପୂରା ବିଶ୍ୱ ସ୍ୱୀକୃତି ଦେବ।
ଆମର ଚନ୍ଦ୍ରଯାନ-୩ ଜହ୍ନରେ ପହଞ୍ଚିଛି। ଯେତେବେଳେ ଆମର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଅର୍ଥନୀତିକ ସଙ୍କଟ ଦେଇ ଗତି କରୁଥିଲା, ସେତେବେଳେ ଆମେ ପ୍ରଥମେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲୁ। ବିଶ୍ୱ ଆମର ସହଯୋଗକୁ ମଧ୍ୟ ପ୍ରଶଂସା କରିଛି।
ଆମେ ସବୁବେଳେ ଆଇନ ଭିତ୍ତିକ ବ୍ୟବସ୍ଥାରେ ବିଶ୍ୱାସ କରୁ। କିନ୍ତୁ ତଥାପି କିଛି ଦେଶ ଅଛନ୍ତି ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ଉପରେ କାମ କରନ୍ତି। ଏହା ବିରୋଧରେ ସ୍ୱର ଉଠାଇବାକୁ ହେବ। ସମସ୍ତେ ଗୋଟିଏ ନିରପେକ୍ଷ, ସମାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁକରଣ କରିବା ଉଚିତ୍।