Advertisment

ପାକ୍‌ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆତଙ୍କବାଦ ପ୍ରସଙ୍ଗରେ ବର୍ଷିଲେ ଜୟଶଙ୍କର

କିନ୍ତୁ ପାକିସ୍ତାନ ସହ ବର୍ତ୍ତମାନ ପରିସ୍ଥିତିରେ କୌଣସି ପ୍ରକାରର ଦ୍ୱିପାକ୍ଷିକ ଆଲୋଚନାର ସମ୍ଭବନା ନଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି

author-image
Hemant Lenka
s jaishankar

s jaishankar

ସୀମା ପାର ଆତଙ୍କବାଦ ଚଳାଇଥିବା ପଡ଼ୋଶୀ ସହ ସମ୍ପର୍କ ସ୍ଥାପନ କରିବା ଅତ୍ୟନ୍ତ କଷ୍ଟକର ବୋଲି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଆସନ୍ତା ମାସରେ ଏସ୍‌ସିଓର ବୈଦେଶିକ ରାଷ୍ଟ୍ରମନ୍ତ୍ରୀମାନଙ୍କ ବୈଠକ ଭାରତର ଗୋଆରେ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବାକୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରି ଭାରତ ଆସୁଛନ୍ତି।

Advertisment

୨୦୧୧ ପରେ ପାକିସ୍ତାନର କୌଣସି ବୈଦେଶିକ ମନ୍ତ୍ରୀ ଭାରତ ଆସୁଥିବା ବେଳେ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗରେ ଇସଲାମାବାଦର ନାଁ ନ ନେଇ ତୀବ୍ର ସମାଲୋଚନା କରିଛନ୍ତି।

ବିଲାୱଲ ଭାରତ ଗସ୍ତରେ ଆସୁଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରୁ ନଥିବାରୁ ଏହି ଆଲୋଚନା ଉପରେ ଏବେ କଳାବାଦଲ ଘୋଟେଇ ଆସିଛି। ଜମ୍ମୁ-କଶ୍ମୀରର ପୁଞ୍ଚରେ ଆତଙ୍କବାଦୀ କରିଥିବା ହମଲାରେ ୫ ଜଣ ଯବାନ ସହିଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଓଡ଼ିଶାର ଦେବାଶିଷ ବିଶ୍ୱାଳ ମଧ୍ୟ ରହିଥିଲେ। ଉକ୍ତ ଆତଙ୍କୀ ହମଲାକୁ ନେଇ ଜୟଶଙ୍କର ପାକିସ୍ତାନ ବିରୋଧରେ ସୀମା ପାର ଆତଙ୍କବାଦ ଶବ୍ଦର ବ୍ୟବହାର କରିଛନ୍ତି।

Advertisment

ମେ’ ୫ ତାରିଖରେ ଜୟଶଙ୍କର ହିଁ ଏସ୍‌ସିଓ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଅଧ୍ୟକ୍ଷତା କରିବେ। ଏଥିରେ ବିଲାୱଲଙ୍କ ବ୍ୟତୀତ ରୁଷର ବୈଦେଶିକ ମନ୍ତ୍ରୀ ସେରଗେୟ ଲାଭରୋଭ ଓ ଚାଇନାର କ୍ୱିନ ଗାଙ୍ଗ ମଧ୍ୟ ଯୋଗଦେବେ। ଏହି ବୈଠକ ଅବସରେ ଜୟଶଙ୍କର ବିଭିନ୍ନ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

ହେଲେ ବିଲାୱଲଙ୍କ ସହ କୌଣସି ପ୍ରକାରର ଦ୍ୱିପାକ୍ଷିକ ବୈଠକ ହେବାର ପ୍ରସ୍ତାବ ଏଯାଏ ଆସିନାହିଁ। ତେବେ ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାରର ସମ୍ଭାବନାକୁ ସଂପୂର୍ଣ୍ଣ ଭାବେ ଏଡ଼ାଯାଇ ନପାରେ। କିନ୍ତୁ ପାକିସ୍ତାନ ସହ ବର୍ତ୍ତମାନ ପରିସ୍ଥିତିରେ କୌଣସି ପ୍ରକାରର ଦ୍ୱିପାକ୍ଷିକ ଆଲୋଚନାର ସମ୍ଭବନା ନଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି

ଜୟଶଙ୍କର କହିଛନ୍ତି, “ଭାରତ ଓ ପାକିସ୍ତାନ ଉଭୟ ଏସ୍‌ସିଓର ସଦସ୍ୟ। ଆମେ ସାଧାରଣତଃ ଏପରି ବୈଠକରେ ଯୋଗ ଦେଇଥାଉ। ଆମେ ଚଳିତ ବର୍ଷ ଏହାର ଅଧ୍ୟକ୍ଷତା କରୁଛୁ। ତେଣୁ ବୈଠକ ଭାରତରେ ଅନୁଷ୍ଠିତ ହେଉଛି। କିନ୍ତୁ ଯେଉଁ ପଡ଼ୋଶୀ ଆମ ବିରୋଧରେ ସୀମା ପାର ଆତଙ୍କବାଦ ଚଳାଇଛନ୍ତି, ତା’ ସହ ସମ୍ପର୍କ ସ୍ଥାପନ କରିବା ଅତ୍ୟନ୍ତ କଷ୍ଟକର।

ଆମେ ସବୁବେଳେ କହି ଆସୁଛି ଯେ ସେମାନେ ସୀମା ପାର ଆତଙ୍କବାଦକୁ ଉତ୍ସାହିତ ଓ ପ୍ରୋତ୍ସାହିତ ନ କରିବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ଆମର ଆଶା ଆମେ ଗୋଟିଏ ଦିନ ସେହି ସ୍ତରରେ ପହଞ୍ଚିବୁ।”

ଭାରତ ସରକାର ଏସସିଓ ଚାର୍ଟର ଅନୁଯାୟୀ ପାକିସ୍ତାନ ଓ ଚାଇନା ସମେତ ସବୁ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଏସ୍‌ସିଓ ଚାର୍ଟର ଅଧୀନରେ ବିଲାୱଲ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇ ପାରିବେ ନାହିଁ। କିନ୍ତୁ ସେ ବୈଠକ ପୂର୍ବରୁ ଓ ପରେ କ’ଣ ସବୁ କହୁଛନ୍ତି, ତା’ ଉପରେ ଭାରତ ସରକାର ନଜର ରଖିଛନ୍ତି।

Pakistan India SCO S Jaishankar