Advertisment

୬ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର

ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ହେବ ଆଲୋଚନା।

author-image
Debadatta Aryashrestha
S. Jaishankar (File Photo)

S. Jaishankar (File Photo)

ଆମେରିକା ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଡିସେମ୍ବର ୨୪ରୁ ୨୯ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ। ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଶାସନକୁ ଫେରିବା ପରେ ଏହା କୌଣସି ଭାରତୀୟ ମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। ଜୟଶଙ୍କରଙ୍କ ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ପରେ ଏହି ଆଲୋଚନାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି।

Advertisment

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ଆଧିକାରିକ ବିବୃତି ଜାରି କରି ସୂଚନା ଦିଆଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଆମେରିକାର ୱାସିଂଟନ ଡିସିରେ ଭାରତର କନସୁଲେଟ୍ ଜେନେରାଲଙ୍କ ଏକ ସମ୍ମିଳନୀରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସେପ୍ଟେମ୍ବରରେ ତିନି ଦିନିଆ ଆମେରିକା ଗସ୍ତରେ ଯାଇ କ୍ୱାଡ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ସେହି ସମୟରେ ଜୋ ବାଇଡେନ ଏବଂ ଏକାଧିକ ଦେଶର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଆମେରିକାରେ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ରାଷ୍ଟ୍ର ଅତିଥି ଭାବେ ପହଞ୍ଚିଥିବାରୁ ଆମେରିକାରେ ମୋଦିଙ୍କ ସମ୍ମାନରେ ହ୍ୱାଇଟ ହାଉସରେ ଏକ ଗ୍ରାଣ୍ଡ ଷ୍ଟେଟ୍ ଲଞ୍ଚ୍ ଏବଂ ଷ୍ଟେଟ୍ ଡିନର ମଧ୍ୟ ଆୟୋଜିତ ହୋଇଥିଲା।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଥିଲେ। ସେହି ସମୟରେ ଭାରତକୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରକୃତ ବନ୍ଧୁ ବୋଲି କହିଥିଲେ ଟ୍ରମ୍ପ। ସେ ଆଗାମୀ ଜାନୁଆରୀରେ ଆମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ଶାସନ ଭାର ଗ୍ରହଣ କରିବେ। ତେବେ ଗୌତମ ଆଦାନୀ ଓ ତାଙ୍କ କମ୍ପାନୀ ବିରୋଧରେ ଆମେରିକାରେ ରୁଜୁ ହୋଇଥିବା ମାମଲାକୁ ନେଇ ଦେଶର ରାଜନୀତି ସରଗରମ। ଏହି କ୍ରମରେ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି।

Advertisment
S Jaishankar To Visit US India-USA Discussion Ministry Of External Affairs S Jaishankar