/odisha-reporter/media/post_attachments/uploadimage/library/16_9/16_9_0/IMAGE_1681924007.jpg)
Sachin pilot
କର୍ଣ୍ଣାକଟା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟଙ୍କ ନାଁ ନାହିଁ। ନିକଟରେ ସଚିନ ପାଇଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ବିବାଦ ଜାରି ରହିଥିବା ବେଳେ କଂଗ୍ରେସ ଏବେ ସଚିନଙ୍କୁ କର୍ଣ୍ଣାଟକା ବିଧାନସଭା ନିର୍ବାଚନର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଛି।
ଏହି ତାଲିକାରେ ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ଜଗଦୀଶ ଶେଟ୍ଟରଙ୍କ ନାଁ ରହିଛନ୍ତି। ଜଗଦୀଶ ହେଉଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ। ବିଜେପି ତାଙ୍କୁ ଟିକେଟ ନ ଦେବାରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ହୁବ୍ବାଲି ଆସନରୁ ପ୍ରାର୍ଥୀ କରିବା ସହ ଏବେ ଷ୍ଟାର ପ୍ରଚାର ତାଲିକାରେ ମଧ୍ୟ ସାମିଲ କରିଛି।
ସଚିନ ପାଇଲଟ ଷ୍ଟାର ପ୍ରଚାର ତାଲିକାରୁ ବାଦ ପଡ଼ିଥିବା ବେଳେ ଅଶୋକ ଗେହଲଟଙ୍କ ନାଁ ରହିଛି। ତାଙ୍କ ବ୍ୟତୀତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ନାଁ ମଧ୍ୟ କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛି।
ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ଦଳ ଷ୍ଟାର ପ୍ରଚାର ତାଲିକାରୁ ବାଦ ପଡ଼ିଥିବା ଶଶି ଥରୁର ଏଥର କମବ୍ୟାକ କରିଛନ୍ତି। ତାଲିକାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପି ଚିଦାମ୍ବରମ, ଜୟରାମ ରମେଶ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାଁ ରହିଛି। କର୍ଣ୍ଣାଟକାର ହେଭିୱେଟ ରାଜନେତା ସିଦ୍ଦରମୈୟା, ଡିକେ ଶିବକୁମାର, ବୀରାପ୍ପା ମୋଇଲୀ, ଏବି ପାଟିଲ ଓ ସତୀଶ ଜାରକିହୋଲି ମଧ୍ୟ ଦଳ ପାଇଁ ଷ୍ଟାର ପ୍ରଚାରକ ସାଜିବେ।
ମେ’ ୧୦ରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୩ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
