ତେଜିଲା ଦୁଇ କଂଗ୍ରେସ ନେତାଙ୍କ କଳି: ଗେହଲଟଙ୍କ ବିରୋଧରେ ଅନଶନ କରିବେ ପାଇଲଟ

ଉଭୟ କଂଗ୍ରେସର ନେତା ହୋଇଥିବା ବେଳେ ଜଣେ ଆଉ ଜଣଙ୍କ ବିରୋଧରେ ଅନଶନ କରିବାକୁ ଘୋଷଣା କରିଛନ୍ତି।

ବାମରୁ ସଚିନ ପାଇଲଟ ଓ ଅଶୋକ ଗେହଲଟ

  • Published: Sunday, 09 April 2023
  • , Updated: 09 April 2023, 12:33 PM IST

ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ ପୁଣି ତେଜିଛି। ଉଭୟ କଂଗ୍ରେସର ନେତା ହୋଇଥିବା ବେଳେ ଜଣେ ଆଉ ଜଣଙ୍କ ବିରୋଧରେ ଅନଶନ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ ନିର୍ବାଚନ ବେଳେ ବିଜେପି ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କ୍ଷମତାକୁ ଆସିବା ପରେ କରି ନଥିବାରୁ ଏହା ବିରୋଧରେ ପାଇଲଟ ଦିନିକିଆ ଅନଶନ କରିବେ ବୋଲି କହିଛନ୍ତି।

କଂଗ୍ରେସ କ୍ଷମତାକୁ ଆସିବା ପୂର୍ବରୁ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ବିଜେପି ସରକାର ରାଜସ୍ଥାନରେ ଶାସନ କରୁଥିଲା। ୨୦୧୮ ନିର୍ବାଚନ ସମୟରେ ଗେହଲଟ ଖୋଲାଖୋଲି ଭାବେ ରାଜେ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ କହିବା ସହ କଂଗ୍ରେସ କ୍ଷମତାକୁ ଆସିଲେ ସବୁ କିଛିର ତଦନ୍ତ ହେବ ବୋଲି କହିଥିଲେ। କିନ୍ତୁ ସାଢ଼େ ୪ ବର୍ଷ ମଧ୍ୟରେ ସେ କୌଣସି ବି ତଦନ୍ତ କରି ନଥିବାରୁ ସଚିନ ପାଇଲଟ ଏହାକୁ ବିରୋଧ କରିଛନ୍ତି। ଏଥିପାଇଁ ସେ ଆସନ୍ତା ୧୧ ତାରିଖରେ ସହିଦ ସ୍ମାରକୀ ନିକଟରେ ଦିନିକିଆ ଅନଶନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି।

ସେ କହିଛନ୍ତି, “ଆମେ ଅନେକ ଦୁର୍ନୀତି ଅଭିଯୋଗ ମିଳିତ ଭାବେ ବସୁନ୍ଧରା ରାଜେଙ୍କ ସରକାର ବିରୋଧରେ ଲଗାଇଥିଲୁ। ମୁଁ ମଧ୍ୟ ରାଜେ ସରକାରଙ୍କ ବିରୋଧରେ କଂଗ୍ରେସର ରାଜ୍ୟ ସଭାପତି ଭାବେ ଅଭିଯୋଗ ଆଣିଥିଲି। ମୁଁ ଆଦୌ ପ୍ରତିଶୋଧ ରାଜନୀତିରେ ବିଶ୍ୱାସ କରେ ନାହିଁ। କିନ୍ତୁ ଆମକୁ ବିରୋଧୀ ଭାବେ କିଛି ଉତ୍ତରଦାୟିତ୍ୱ ନେବାକୁ ପଡ଼ିବ।

ଏହି ଅଭିଯୋଗରେ ସତ୍ୟତା ଥିବା କଥା ଅନୁଭବ କରି ଲୋକମାନେ ଆମକୁ ଭୋଟ ଦେଇଥିଲେ। ଆମେ କ୍ଷମତାକୁ ଆସିଥିଲୁ। ସେଗୁଡ଼ିକର ତଦନ୍ତ ନ ହେଲେ ଲୋକଙ୍କ ବିଶ୍ୱାସ ଭାଙ୍ଗିଯିବ। ମୁଁ ନିଜେ ଗେହଲଟଜୀଙ୍କୁ ୧.୫ ବର୍ଷ ତଳେ ଚିଠି ଲେଖି ଆମେ ରାଜେ ସରକାରଙ୍କ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ କରାଯିବାର ସମୟ ଆସି ଯାଇଛି ବୋଲି କହିଥିଲି।

କଂଗ୍ରେସ ଲୋକମାନଙ୍କୁ ଜଣାଇବା ଦରକାର ଯେ ଦଳର କଥା ଓ କାମରେ କୌଣସି ପାର୍ଥକ୍ୟ ନାହିଁ। ଆମେ ଯାହା କହୁ, ସେଇଆ କରୁ। ମୁଁ ୨୦୨୨ ମାର୍ଚ୍ଚ ୨୮ରେ ପ୍ରଥମ ଚିଠି ଲେଖିଥିଲି। କିନ୍ତୁ କୌଣସି ଉତ୍ତର ପାଇନାହିଁ। ଏହାପରେ ୨୦୨୨ ନଭେମ୍ବର ୨ରେ ପୁଣି ଚିଠି ଲେଖିଥିଲି। ମୁଁ କହିଥିଲି ଯେ ଲୋକମାନେ ଆମକୁ ବିଶ୍ୱାସ କରନ୍ତି। ଆମକୁ ୨୧ ସିଟରୁ ନେଇ ସେମାନେ ୧୦୦ ସିଟ ଦେଇଛନ୍ତି। ତେଣୁ ନିର୍ବାଚନ ପୂର୍ବରୁ ଆମେ ଆଣିଥିବା ଅଭିଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।”

ସେ ଆହୁରି ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ଇଡି,ସିବିଆର ଅପବ୍ୟବହାର କରି କଂଗ୍ରେସ ନେତାଙ୍କୁ ଟାର୍ଗେଟ କରୁଛନ୍ତି। ହେଲେ ରାଜସ୍ଥାନ ସରକାର ତାଙ୍କ ନିଜ ଏଜେନ୍ସିଗୁଡ଼ିକର ବ୍ୟବହାର ହିଁ କରୁ ନାହାନ୍ତି। ସବୁ କିଛି ପବ୍ଲିକ ଡୋମେନକୁ ଆସିବା ଦରକାର। ଲୋକମାନେ ଓ କଂଗ୍ରେସ କର୍ମୀମାନେ ଆମ କଥା ଓ କାମରେ ଥିବା ପାର୍ଥକ୍ୟକୁ ଅନୁଭବ ନ କରନ୍ତୁ ବୋଲି ପାଇଲଟ ଅନୁରୋଧ କରିଛନ୍ତି।

ଅଶୋକ ଗେହଲଟଙ୍କ ଗୋଟିଏ ପୁରୁଣା ଭିଡିଓ ଜାରି ମଧ୍ୟ କରିଛନ୍ତି। ଏଥିରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହୁଛନ୍ତି। ଏହି ଭିଡିଓ ଦେଖାଇ ପାଇଲଟ ପଚାରିଛନ୍ତି ଯେ ଗେହଲଟ ଆଣିଥିବା ଅଭିଯୋଗର ତଦନ୍ତ କାହିଁକି ଏଯାଏ କରି ନାହାନ୍ତି? ବର୍ତ୍ତମାନର କଂଗ୍ରେସ ସରକାର ପାଖରେ ପୂର୍ବରୁ କ୍ଷମତାରେ ଥିବା ବିଜେପି ସରକାର ବିରୋଧରେ ପ୍ରମାଣ ରହିଛି। ତଥାପି ଗେହଲଟ ସରକାର ପଦକ୍ଷେପ ନ ହେବା ଆଶ୍ଚର୍ଯ୍ୟଜନକ ବୋଲି ପାଇଲଟ କହିଛନ୍ତି।

ସେ ଆହୁରି କହିଛନ୍ତି, “ଏସବୁ ପ୍ରତିଶ୍ରୁତି ପୂରଣ ନ କରି ଆମେ ନିର୍ବାଚନ ବେଳେ ଲୋକଙ୍କ ପାଖକୁ ଯାଇ ପାରିବା ନାହିଁ। ଆମେ ପାଖରେ ପ୍ରମାଣ ଅଛି। ଆମକୁ କାର୍ଯ୍ୟାନୁଷ୍ଠାନ ନେବାକୁ ହେବ। ଆମକୁ ତଦନ୍ତ କରିବାକୁ ପଡ଼ିବ। ନିର୍ବାଚନ ସମୟ ପାଖେଇ ଆସୁଛି। ଖୁବଶୀଘ୍ର ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। ଆମକୁ ଲୋକଙ୍କୁ ଉତ୍ତର ଦେବାକୁ ହେବ।”

Related story