Advertisment

ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ଜଣେ ପୁଲିସ୍ ଏଏସ୍‌ଆଇଙ୍କ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ନବ ଦାସ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲ୍‌ରେ ଶେଷ ନଃଶ୍ୱାସ ତ୍ୟାଗ କରିଛନ୍ତି।

author-image
Tapas Behera
Narendra Modi

Narendra Modi

ଝାରସୁଗୁଡା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ଦୁଃଖଦ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ସେ ଓଡ଼ିଆରେ ଟ୍ୱିଟ୍‌ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ସେ ଦୁଃଖିତ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପୋଲୋ ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ। ସେ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନବ ଦାସଙ୍କ ବିୟୋଗରେ ସେ ଦୁଃଖିତ ଓ ମର୍ମାହତ। ନବ ଦାସ ତାଙ୍କ ସରକାର ଓ ଦଳର ଆସେଟ୍ ଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଆମେ ତାଙ୍କୁ ହରାଇଲୁ। ସେ ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲୋକଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ତାଙ୍କର ମୃତ୍ୟୁ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି।

Advertisment

https://twitter.com/narendramodi/status/1619721103689261056?s=20&t=0x7IXK2IEWm4zI6tK03Bhg

ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରାୟ ସମସ୍ତ ମନ୍ତ୍ରୀ ଓ ବହୁ ବିଧାୟକ ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ। ସମସ୍ତେ ନବ ଦାସଙ୍କ ମୃତ୍ୟୁରେ ମର୍ମାହତ ହୋଇଛନ୍ତି। ସେମାନେ ଦୁଃଖ ପ୍ରକାଶ କରିବା ସହିତ ସ୍ୱର୍ଗତ ଦାସଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Advertisment

ନବ ଦାସଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୋକ ପ୍ରକାଶ କରିଛନ୍ତି। ସେ ହସ୍‌ପିଟାଲ୍ ଯାଇ ନବ ଦାସଙ୍କୁ ଦେଖି ଫେରିଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି, ଗୁଳିମାଡ଼ରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୃତ୍ୟୁ ଘଟଣାରେ ମୁଁ ଦୁଃଖିତ। ଜଣେ ପୁଲିସ କର୍ମଚାରୀ ଗୁଳି କରିଥିବା ଜାଣି ମର୍ମାହତ। ଏହି ଅସମୟରେ ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ। ଜଣେ ପୁଲିସ୍ ଏଏସ୍‌ଆଇଙ୍କ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ନବ ଦାସ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲ୍‌ରେ ଶେଷ ନଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।

ନବ ଦାସଙ୍କ ବାମ ଛାତିରେ ଗୁଳି ବାଜିଥିଲା। ଗୁଳି ମାଡ଼ରେ ତାଙ୍କ ହୃତପିଣ୍ଡ ଓ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଆପୋଲୋ ହସ୍‌ପିଟାଲ୍‌ରେ ଡାକ୍ତର ଦେବାଶିଷ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ଶରୀରର କ୍ଷତିଗ୍ରସ୍ତ ଅଙ୍ଗଗୁଡ଼ିକୁ ଅସ୍ତ୍ରୋପଚାର ଦ୍ୱାରା ଠିକ୍ କରାଯାଇଥିଲା ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ନବ ଦାସ ଜୀବନ ଯୁଦ୍ଧରେ ହାରି ଯାଇଥିଲେ।