Advertisment

ପୁଲିସ୍‌ ଷ୍ଟେସନରେ ବିଜେପି ନେତ୍ରୀଙ୍କ ସ୍ୱାମୀଙ୍କୁ ପିଟିଲେ ସପା ବିଧାୟକ

ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ରଶ୍ମୀ ସିଂହଙ୍କ ସ୍ୱାମୀ ଦୀପକ ସିଂହଙ୍କୁ ସପା ବିଧାୟକ ରାକେଶ ପ୍ରତାପ ସିଂହ ଓ ତାଙ୍କ ସମର୍ଥକମାନେ ମାଡ଼ ମାରିଛନ୍ତି।

author-image
Hemant Lenka
BJP

BJP

କାର୍‌ରୁ ଓହ୍ଲାଇ ସ୍ମିତ ହାସ୍ୟ ଦେଇ ଛାତି ଫୁଲାଇ ଚାଲୁଥିବା ଉତ୍ତର ପ୍ରଦେଶ ବିଜେପିର ଜଣେ ନେତ୍ରୀଙ୍କ ସ୍ୱାମୀଙ୍କୁ ପ୍ରବଳ ପିଟିଛନ୍ତି ସମାଜବାଦୀ ପାର୍ଟି(ସପା)ର ବିଧାୟକ ଓ ତାଙ୍କ ସମର୍ଥକ। ପୁଲିସ୍‌ ଷ୍ଟେସନ ପରିସରରେ ଏପରି ଘଟଣା ଘଟିଥିବା ବେଳେ କ୍ୟାମେରାରେ ପୂରା ଦୃଶ୍ୟ କଏଦ ହୋଇଛି।

Advertisment

ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ରଶ୍ମୀ ସିଂହଙ୍କ ସ୍ୱାମୀ ଦୀପକ ସିଂହଙ୍କୁ ସପା ବିଧାୟକ ରାକେଶ ପ୍ରତାପ ସିଂହ ଓ ତାଙ୍କ ସମର୍ଥକମାନେ ମାଡ଼ ମାରିଛନ୍ତି। ଆମେଠି ଜିଲ୍ଲାର ଗୌରୀଗଞ୍ଜ କୋଟୱାଲି ପୁଲିସ୍‌ ଷ୍ଟେସନ ପରିସରରେ ଏପରି ଘଟଣା ଘଟିଛି।

୧୦ରୁ ଅଧିକ ପୁଲିସ୍‌ କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ଦୀପକଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ବେଶ ନାକେଦମ ହୋଇଥିଲେ। ବିଧାୟକ ଓ ତାଙ୍କ ସମର୍ଥକମାନେ ପୁଲିସ୍‌ ଉପସ୍ଥିତିରେ ହିଁ ଦୀପକଙ୍କୁ ଚାପୁଡ଼ା, ବିଧା ଓ ମୁଥ ମାରିଥିଲେ। ଶେଷରେ ପୁଲିସ୍‌ ଦୀପକଙ୍କୁ ଭିଡ଼ିଭିଡ଼ି ଅନ୍ୟତ୍ର ନେଇ ଯିବାରୁ ସ୍ଥିତି ଥଣ୍ଡା ପଡ଼ିଥିଲା।

Advertisment

ଦୀପକ ସିଂହ କାର୍‌ ଯୋଗେ ପୁଲିସ୍‌ ଷ୍ଟେସନରେ ପହଞ୍ଚିବା ପରେ ପ୍ରଥମେ ସେଠାରେ ଆନ୍ଦୋଳନ କରୁଥିବା ସପା ବିଧାୟକ ଓ ସମର୍ଥକଙ୍କୁ କମେଣ୍ଟ ମାରିଥିଲେ। ଏହାପରେ ସେମାନେ ଏହାର ଜବାବ ଦେଇଥିଲେ। ରାକେଶ ପ୍ରତାପ ସିଂହ କହିଛନ୍ତି, ଦୀପକ ସିଂହ ଓ ତାଙ୍କ ସମର୍ଥକମାନେ କିଛି ଦିନ ତଳେ ସପାର କିଛି ଲୋକଙ୍କୁ ମାଡ଼ ମାରିଥିଲେ।

ହେଲେ ପୁଲିସ୍‌ ଏହା ବିରୋଧରେ କୌଣସି ପଦକ୍ଷେପ ନେଇ ନଥିଲା। ଏହାକୁ ବିରୋଧ କରି ସେମାନେ ବିକ୍ଷୋଭ କରିଥିଲେ। ବିକ୍ଷୋଭ ଚାଲିଥିବା ବେଳେ ଦୀପକ ଗୌରୀଗଞ୍ଜ କୋଟୱାଲି ପୁଲିସ୍‌ ଷ୍ଟେସନରେ ପହଞ୍ଚି ସପା ବିଧାୟକ ଓ ତାଙ୍କ ସମର୍ଥକମାନଙ୍କୁ ତାଚ୍ଛଲ୍ୟ କରିଥିଲେ। ଏହାପରେ ସେମାନେ ଦୀପକଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହଠାତ୍‌ ସ୍ଥିତି ବିଗିଡ଼ିବା ସହ ଦୁଇ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ ଆକ୍ରମଣ କରିଥିଲେ। ପୁଲିସ୍‌କୁ ରିଆକ୍ଟ କରିବା ପାଇଁ ଖୁବ କମ ସମୟ ମିଳିଥିଲା। ଏବେ ସମସ୍ୟା ସମାଧାନ ହୋଇଛି। ଉଭୟ ପକ୍ଷ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ମାମଲା ମଧ୍ୟ ହୋଇଛି।

Bjp Uttar Pradesh Samajwadi Party