/odisha-reporter/media/post_attachments/uploadimage/library/16_9/16_9_0/Same_sex_1678709777.jpg)
Same sex
ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ତା’ର ଚୂଡ଼ାନ୍ତ ଯୁକ୍ତି ଏପ୍ରିଲ ୧୮ରେ ସୁପ୍ରିମକୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଗଠନ ହେବାକୁ ଥିବା ସାମ୍ବିଧାନିକ ଖଣ୍ଡପୀଠ ଶୁଣିବେ। ଆଜି ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହ ସମ୍ପର୍କିତ ଆବେଦନକୁ ସାମ୍ବିଧାନିକ ବେଞ୍ଚକୁ ପଠାଇ ଦେଇଛନ୍ତି। ଏ ପ୍ରସଙ୍ଗରେ ଯେକୌଣସି ନିଷ୍ପତ୍ତି ସମାଜ ଉପରେ ବଡ଼ ପ୍ରଭାବ ପକାଇବ। ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏପ୍ରିଲ ୧୮ ତାରିଖରେ ହେବାକୁ ଥିବା ଶୁଣାଣିର ସିଧାପ୍ରସାରଣ ସୁପ୍ରିମକୋର୍ଟ ୱେବସାଇଟ ଓ ୟୁଟ୍ୟୁବରେ ସିଧାପ୍ରସାରଣ ହେବେ। ବର୍ତ୍ତମାନ ସମଲଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ହୋଇଥିବା ଆବେଦନର ଶୁଣାଣି ୩ ଜଣିଆ ଖଣ୍ଡପୀଠ କରୁଥିଲେ। କିନ୍ତୁ ଏବେ ଏହାର ଶୁଣାଣି ୫ ଜଣିଆ ସାମ୍ବିଧାନିକ ବେଞ୍ଚ କରିବେ।
୩ ଜଣିଆ ଖଣ୍ଡପୀଠ କହିଛନ୍ତି, “ଏହି ପ୍ରସଙ୍ଗର ରାୟ ସମାଜ ଉପରେ ଗୁରୁତ୍ୱର ପ୍ରଭାବ ପକାଇବ। ଆମେ କାହାର ସମୟ କାଟିବାକୁ ଚାହୁଁନୁ ଓ ଏହାକୁ ନିଶ୍ଚିତ ଭାବେ ବିଚାରକୁ ନିଆଯିବ। ଆମର ମତ ହେଲା ଯଦି ଏହି ପ୍ରସଙ୍ଗ ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଆଗରେ ଉପସ୍ଥାପନ କରାଯାଏ, ତା’ହେଲେ ଠିକ ହେବ। ତେଣୁ ଆମେ ଏହାକୁ ସାମ୍ବିଧାନିକ ବେଞ୍ଚ ଆଗରେ ଲିଷ୍ଟିଂ କରିବାକୁ ନିର୍ଦ୍ଦେଶ ଦେଉଛୁ।”
ଭାରତୀୟ ପରିବାର ମଧ୍ୟରେ ଥିବା ଏକତା ପାଇଁ ସମଲିଙ୍ଗୀ ବିବାହ ଆଦୌ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ର ସରକାର ପୂର୍ବରୁ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇ ସାରିଛନ୍ତି। କେନ୍ଦ୍ର ସରକାର ସମଲିଙ୍ଗୀ ସମ୍ପର୍କକୁ ସମର୍ଥନ କରିଥିଲେ ମଧ୍ୟ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ବିରୋଧରେ ରହିଛନ୍ତି। କେନ୍ଦ୍ର ସରକାର ଏନେଇ ସୁପ୍ରିମକୋର୍ଟରେ ୫୬ ପୃଷ୍ଠାର ଗୋଟିଏ ସତ୍ୟପାଠ ମଧ୍ୟ ଦାଖଲ କରିଥିଲେ।
ସ୍ୱାମୀ, ସ୍ତ୍ରୀ ଓ ପିଲାମାନଙ୍କୁ ନେଇ ପରିବାର ଗଠିତ। ଏଥିପାଇଁ ବାୟୋଲୋଜିକାଲ ବ୍ୟକ୍ତିଙ୍କୁ ସ୍ୱାମୀ, ବାୟୋଲୋଜିକାଲ ମହିଳାଙ୍କୁ ପତ୍ନୀ ଓ ସେମାନଙ୍କ ମିଳିନରୁ ପିଲାମାନେ ଆସନ୍ତି। ସେମାନଙ୍କୁ ପିଲାମାନଙ୍କ ବାୟୋଲୋଜିକାଲ ବାପା ଓ ମା’ କୁହାଯାଏ। ତେଣୁ ସମଲିଙ୍ଗୀ ବିବାହରେ ଏହା ସମ୍ଭବ ନୁହେଁ।
ଧାରା ୩୭୭କୁ ଅପରାଧ ମୁକ୍ତ କରାଯାଇଥିବାରୁ ଆବେଦନକାରୀ ଭାରତୀୟ ଆଇନ ଅଧୀନରେ ନିଜର ମୌଳିକ ଅଧିକାର କଥା କହି ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପାଇଁ ଦାବି କରିପାରିବେ ନାହିଁ। ଏହା ଭାରତୀୟ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
