Advertisment

Sanchar Saathi: ବିବାଦ ପରେ ‘ସଞ୍ଚାର ସାଥୀ’କୁ ନେଇ କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ

ପେଗାସସ ସ୍ପାଏୱେୟାର ଭଳି ଏହାକୁ ବିରୋଧୀ ଗୁଇନ୍ଦାଗିରିର ଗୋଟିଏ ମାଧ୍ୟମ ବୋଲି କହିଥିଲେ। ଲୋକମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ନଜର ରଖିବା ପାଇଁ ସରକାର ସଞ୍ଚାର ସାଥୀ ଆପ୍‌କୁ ବାଧ୍ୟତାମୂଳକ କରୁଥିବା ଅନେକ ମତ ମଧ୍ୟ ରଖିଥିଲେ

author-image
Hemant Lenka
scindia

କେନ୍ଦ୍ରମନ୍ତ୍ରୀ ସିନ୍ଦିଆ

ମୋବାଇଲ ଫୋନରେ ସଞ୍ଚାର ସାଥୀ ଆପ୍‌କୁ ବାଧ୍ୟତାମୂଳକ ନିର୍ଦ୍ଦେଶ ବଦଳାଇଛନ୍ତି କେନ୍ଦ୍ର ସରକାର। ମୋବାଇଲ ଫୋନ ନିର୍ମାଣକାରୀ ସଂସ୍ଥାଗୁଡ଼ିକ କେନ୍ଦ୍ର ସରକାର ବାଧ୍ୟତାମୂଳକ ଭାବେ ଏହି ଆପ୍‌କୁ ଇନଷ୍ଟଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଲୋକମାନେ ଯେମିତି ଏହାକୁ ଡିଲେଟ କରିପାରିବେ ନାହିଁ, ତା’ର ବ୍ୟବସ୍ଥା କରିବାକୁ ମଧ୍ୟ କେନ୍ଦ୍ର ସରକାର କହିଥିଲେ।

Advertisment

ହେଲେ ଏହାକୁ ବିରୋଧୀ ଗୁଇନ୍ଦାଗିରି ଆପ୍‌ କହିବାରୁ ବିବାଦ ଦେଖାଯାଇଥିଲା। ବିବାଦ ପରେ ପୂରା ଘଟଣାରେ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ଟେଲିକମ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ। ମୋବାଇଲ ଫୋନରେ ସଞ୍ଚାର ଆପ୍‌ ସକ୍ରିୟ କରିବା ଗୋଟିଏ ବିକଳ୍ପ ସୁବିଧା। ଏହା ଆଦୌ ବାଧ୍ୟତାମୂଳକ ନୁହେଁ ବୋଲି ସେ ସଫେଇ ଦେଇଛନ୍ତି।

ତାଙ୍କ କହିବା କଥା ଯେ ସଞ୍ଚାର ଆପ୍‌ ସଂପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସାଇବର ସୁରକ୍ଷା ଆପ। ଏଥିରେ କୌଣସି ପ୍ରକାରର ଗୁଇନ୍ଦାଗିରି କିମ୍ବା କଲ ମନିଟରିଂର ବ୍ୟବସ୍ଥା ନାହିଁ। 

Advertisment

ବିରୋଧୀ ବ୍ୟକ୍ତିଗତ ଗୋପନୀୟତା ଉପରେ ପ୍ରଶ୍ନ ଉଠାଇଥିବାରୁ ଶ୍ରୀ ସିନ୍ଦିଆ କହିଛନ୍ତି ଯେ “ଆପଣ ଯଦି ଚାହୁଁଛନ୍ତି, ତା’ହେଲେ ଏହାକୁ ସକ୍ରିୟ କରିପାରିବେ। ଯଦି ଆପଣ ଆପ୍‌ର ଆବଶ୍ୟକ କରୁ ନାହାନ୍ତି, ତା’ହେଲେ ଏହାକୁ ସକ୍ରିୟ କରିବେ ନାହିଁ। ଯଦି ଆପଣ ସଞ୍ଚାର ସାଥୀକୁ ଚାହୁଁ ନାହାନ୍ତି, ତା’ହେଲେ ଏହି ଆପ୍‌କୁ ଡିଲେଟ ମଧ୍ୟ କରିପାରିବେ। ଏହା ସଂପୂର୍ଣ୍ଣ ଇଚ୍ଛାଧୀନ ବ୍ୟବସ୍ଥା। ସାଇବର ଠକେଇକୁ ରୋକିବା ପାଇଁ ସଞ୍ଚାର ଆପ୍‌ରେ ବ୍ୟବସ୍ଥା କରାଯାଇଛି। ଏଥିରେ ଆଉ କୌଣସି ପ୍ରକାରର ବ୍ୟବସ୍ଥା ନାହିଁ।” 

ସଞ୍ଚାର ଆପ୍‌ ୨୦୨୫ ଜାନୁଆରୀ ମାସରେ ଲଞ୍ଚ ହୋଇଥିଲା। ଏହି ଆପ୍‌ ଜରିଆରେ ଜଣେ ନିଜର ଚୋରି ଫୋନକୁ ବ୍ଲକ କରିପାରିବେ। ମୋବାଇଲ ଫୋନ ନିଜ ନାଁରେ ଅଛି କି ନାହିଁ ଜାଣିପାରିବେ। ଏଥିସହ ସାଇବର ଠକେଇ ଓ ସନ୍ଦିଗ୍ଧ କଲ ସମ୍ପର୍କରେ ରିପୋର୍ଟ କରିବାର ସୁବିଧା ପାଇବେ ବୋଲି ସରକାର କହିଥିଲେ। 

କିନ୍ତୁ ନିକଟରେ ଏହି ଆପ୍‌କୁ ବାଧ୍ୟତାମୂଳକ ଭାବେ ଲୋକଙ୍କ ମୋବାଇଲରେ ଇନଷ୍ଟଲ କରିବାକୁ କମ୍ପାନୀଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବାରୁ ବିବାଦ ଦେଖା ଯାଇଥିଲା। ପେଗାସସ ସ୍ପାଏୱେୟାର ଭଳି ଏହାକୁ ବିରୋଧୀ ଗୁଇନ୍ଦାଗିରିର ଗୋଟିଏ ମାଧ୍ୟମ ବୋଲି କହିଥିଲେ। ଲୋକମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ନଜର ରଖିବା ପାଇଁ ସରକାର ସଞ୍ଚାର ସାଥୀ ଆପ୍‌କୁ ବାଧ୍ୟତାମୂଳକ କରୁଥିବା ଅନେକ ମତ ମଧ୍ୟ ରଖିଥିଲେ। 

ସଞ୍ଚାର ସାଥୀ ଆପ୍‌ କ’ଣ? 

ସଞ୍ଚାର ସାଥୀ ଆପ୍‌ ହେଉଛି କେନ୍ଦ୍ର ସରକାର ଡିଜିଟାଲ ସୁରକ୍ଷା ବ୍ୟବସ୍ଥା। ଏହା ଏକ ମୋବାଇଲ ଆପ୍‌ ଓ ନିଜର ୱେବ ପୋର୍ଟାଲ ମାଧ୍ୟମରେ ଅନେକ ଲୋକ କୈନ୍ଦ୍ରିକ ସେବା ପ୍ରଦାନ କରିବ। ଏହି ସୁବିଧାରେ ଚକ୍ଷୁ ବି ସାମିଲ ରହିଛି। ଏହା ମୋବାଇଲ ବ୍ୟବହାରଙ୍କୁ ସନ୍ଦିଗ୍ଧ ସାଇବର ଠକେଇର ରିପୋର୍ଟ କରିବାରେ ସହାୟକ ହେବ।
ସଞ୍ଚାର ସାଥୀ ୱେବସାଇଟରେ ଉଲ୍ଲେଖ ରହିଛି ଯେ ସନ୍ଦିଗ୍ଧ ସାଇବର ଠକେଇର ଏପରି ସକ୍ରିୟ ରିପୋର୍ଟିଂ ଦୂରସଞ୍ଚାର ବିଭାଗକୁ ସାଇବର ଅପରାଧ, ଆର୍ଥିକ ଠକେଇ ଆଦି ଦୁର୍ବ୍ୟବହାରକୁ ରୋକିବାରେ ସହଯୋଗ କରିଥାଏ।

ଚକ୍ଷୁ ଜରିଆରେ ମୋବାଇଲ ବ୍ୟବହାରକାରୀ ବ୍ୟବସାୟିକ ସ୍ପାମ କଲର ରିପୋର୍ଟ ମଧ୍ୟ କରିପାରିବେ। ସଞ୍ଚାର ସାଥୀ ୱେବସାଇଟ ଅନୁସାରେ ଚକ୍ଷୁ ଲୋକଙ୍କୁ ସନ୍ଦିଗ୍ଧ ୱେବ ଲିଙ୍କ ଓ ଠକେଇର ଆଶଙ୍କା ଥିବା ଯୋଗାଯୋଗ ସମ୍ପର୍କରେ ରିପୋର୍ଟ କରିବାକୁ କ୍ଷମତା ଦେଇଥାଏ।

ଏହା ମଧ୍ୟରେ ବେଆଇନ ଲିଙ୍କ, ଡିଭାଇସ କଲିଂ ଉଦ୍ୟମ ଓ ଏସଏମଏସ, ଆରସିଏସ୍‌, ଆଇମେସେଜ, ହ୍ୱାଟସ ଆପ ଓ ଟେଲିଗ୍ରାମ ଭଳି ସୋଶାଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପଠାଯାଉଥିବା ଅନ୍ୟ ମାଲୱେୟାର ଆଦି ରହିଛି। 

କ’ଣ କହିଥିଲେ ସରକାର? 

ଯୋଗାଯୋଗ ମନ୍ତ୍ରଣାଳୟ(Central Government) ଅଧୀନରେ ଥିବା ଟେଲିକମ୍ୟୁନିକେସନ ବିଭାଗ ପକ୍ଷରୁ ସମସ୍ତ ମୋବାଇଲ ନିର୍ମାଣକାରୀ କମ୍ପାନୀଗୁଡ଼ିକୁ କୁହାଯାଇଥିଲା ଯେ ସମସ୍ତ ମୋବାଇଲ ହ୍ୟାଣ୍ଡସେଟ ବଜାରକୁ ଆସିବା ପୂର୍ବରୁ ସେଥିରେ ସଞ୍ଚାର ସାଥୀ ଆପ୍‌ ଇନଷ୍ଟଲ ହୋଇଥିବା ଦରକାର। ଭାରତରେ ତିଆରି ହେଉଥିବା କିମ୍ବା ଭାରତକୁ ଆମଦାନୀ ହେଉଥିବା ସମସ୍ତ ଫୋନରେ ଏପରି ବ୍ୟବସ୍ଥା ୯୦ ଦିନ ମଧ୍ୟରେ କରାଯିବା ବାଧ୍ୟତାମୂଳକ। ନଭେମ୍ବର ୨୮ରୁ ଏହି ୯୦ ଦିନିଆ ଅବଧି ଆରମ୍ଭ ହୋଇଛି।

ବିଭାଗ ପକ୍ଷରୁ ଜାରି ନୋଟିସରେ କୁହାଯାଇଥିଲା ଯେ ପୂର୍ବରୁ ଫୋନରେ ଇନଷ୍ଟଲ ହୋଇଥିବା ସଞ୍ଚାର ସାଥୀ ଆପ୍‌କୁ ପ୍ରଥମଥର ମୋବାଇଲକୁ ବ୍ୟବହାର କରୁଥିବା ବା ସେଟଅପ କରୁଥିବା ଲୋକମାନେ ଯେମିତି ସ୍ପଷ୍ଟ ଭାବେ ଦେଖିପାରିବେ। ଏହାର କାର୍ଯ୍ୟକ୍ଷମକୁ ଯେମିତି କେହି ବନ୍ଦ କରିପାରିବେ ନାହିଁ କିମ୍ବା ଏହା ଉପରେ ଯେମିତି କେହି କଟକଣା ଲଗାଇ ପାରିବେ ନାହିଁ, ତା’ର ବ୍ୟବସ୍ଥା କମ୍ପାନୀଗୁଡ଼ିକ ସୁନିଶ୍ଚିତ କରିବେ।

ଯେଉଁ ଫୋନ ଗୁଡ଼ିକ ପୂର୍ବରୁ ତିଆରି ହୋଇ ସାରିଛି କିମ୍ବା ମାର୍କେଟରେ ରହିଛି, ସେଥିରେ ଏହି ଆପ୍‌କୁ ସଫ୍ଟୱେୟାର ଅପଡେଟ ମାଧ୍ୟମରେ ଇନଷ୍ଟଲ କରିବାର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ଏହାକୁ ଅଣଦେଖା କରନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ମଧ୍ୟ ଦେଇଥିଲେ ସରକାର। 

Central Government