Advertisment

ସନ୍ଦେଶଖାଲି ମାମଲା: ୫ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କଲା ସିବିଆଇ

ପୂବରୁ ଏହି ମାମଲାରେ ଟିଏମ୍‌ସି ନେତା ଶେଖ ଶାହଜାହାଁଙ୍କୁ ଗିରଫ କରାଯାଇ ସାରିଛି।

author-image
Madhupriya Mistry
SandeshKhali Issue

SandeshKhali Issue

ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ସିବିଆଇ ପ୍ରଥମ ଏଫ୍‌ଆଇଆର୍‌ ରୁଜୁ କରିଛି। ଏଠାକାର ମହିଳାଙ୍କୁ ଯୌନ ଉତ୍ପୀଡନ ଓ ଜମି ହଡପ କରିବା ଅଭିଯୋଗରେ ୫ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଏହି ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ସିବିଆଇ ଯେଉଁ ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି, ସେମାନଙ୍କ ନାଁ ଖୁଲାସା କରିନାହିଁ। ସେହିପରି ପୀଡିତଙ୍କ ପରିଚୟକୁ ମଧ୍ୟ ସିବିଆଇ ଗୁପ୍ତ ରଖିଛି।

Advertisment

ଏପ୍ରିଲ ୧୦ ତାରିଖରେ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ମହିଳାଙ୍କ ଯୌନ ଉତ୍ପୀଡନ ଓ ଜମି ହଡପ ଅଭିଯୋଗରେ ଅଦାଲତଙ୍କ ଦେଖାରେଖରେ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ନ୍ୟାୟ ହିତରେ ନୀରପେକ୍ଷ ତଦନ୍ତ ଜରୁରୀ ବୋଲି କୋର୍ଟ କହିଥିଲେ।

ସିବିଆଇ ଏହି ମାମଲାରେ ଅଭିଯୋଗ ଦାଖଲ କରିବା ପାଇଁ ଏକ ଇ-ମେଲ୍‌ ଆଇଡି ମଧ୍ୟ ଜାରି କରିଥିଲା। ଏହା ଜରିଆରେ ସିବିଆଇକୁ ବିପୁଳ ସଂଖ୍ୟାରେ ଅଭିଯୋଗ ପ୍ରାପ୍ତ ହୋଇଥିଲା। ଏହାପରେ ଅଭିଯୁକ୍ତଙ୍କ ପତା ଲଗାଇବା ପାଇଁ ସିବିଆଇ ସନ୍ଦେଶଖାଲିକୁ ଏକ ୧୦ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍‌ ପଠାଇଥିଲା।

Advertisment

ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାର ସନ୍ଦେଶଖାଲିରେ ତ୍ରୁଣମୂଳ କଂଗ୍ରେସର ଜଣେ ସ୍ଥାନୀୟ ନେତାଙ୍କ ଦ୍ୱାରା ମହିଳାଙ୍କୁ ଯୌନ ଉତ୍ପୀଡନ କରିବା ଅଭିଯୋଗକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଥିଲା। ଟିଏମ୍‌ସି ନେତା ଶାହଜାହାଁ ଶେଖ୍‌ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଜମି ହଡପ କରିବା ଯୌନ ଉତ୍ପୀଡନ କରିଥିବା ନେଇ ଏଠାକାର ଶତାଧିକ ମହିଳା ଅଭିଯୋଗ କରିଥିଲେ। ଜାନୁଆରୀ ୫ ତାରିଖରେ ଶାହଜାହାଁ ସହ ଜଡିତ ଲୋକେ ରାସନ ବଣ୍ଟନ ଦୁର୍ନୀତି ଅଭିଯୋଗରେ ରେଡ୍‌ କରିବା ପାଇଁ ଯାଇଥିବା ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ଟିଏମ୍‌ସି ନେତା ଶେଖ ଶାହଜାହାଁଙ୍କୁ ଗିରଫ କରାଯାଇଥିଲା।

West Bengal CBI Sandeshkhali Case