Advertisment

କଂଗ୍ରେସ ବିରୋଧରେ ଗର୍ଜୁଥିଲେ ସଞ୍ଜୟ ନିରୂପମ, ଦଳ ଦେଖାଇଲା ବାହାର ରାସ୍ତା

ଦଳ ବିରୋଧୀ ମନ୍ତବ୍ୟ ତଥା ଅନୁଶାସନହୀନତା ପାଇଁ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ କରାଯାଇଛି ।

author-image
Niharika Rout
Sanjay  Nirupam

Sanjay Nirupam

କଂଗ୍ରେସରୁ ବହିଷ୍କୃତ ହେଲେ ମହାରାଷ୍ଟ୍ରର ବରିଷ୍ଠ ନେତା ସଞ୍ଜୟ ନିରୂପମ । ଦଳ ଦେଖାଇଲା ବାହାର ରାସ୍ତା । ଦଳ ବିରୋଧୀ ମନ୍ତବ୍ୟ ତଥା ଅନୁଶାସନହୀନତା ପାଇଁ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ କରାଯାଇଛି । ଦୀର୍ଘ ଦିନ ହେଲା ସଞ୍ଜୟଙ୍କ ନାମରେ ଦଳ ବିରୋଧୀ କାର୍ଯ୍ୟ ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Advertisment

ଗତ କିଛିଦିନ ଧରି ସଞ୍ଜୟ ଦଳ ବିରୋଧୀ ବୟାନବାଜୀରେ ଲିପ୍ତ ରହୁଥିଲେ। ନିଜକୁ ସୁଧାରିବା ନିମନ୍ତେ ତାଙ୍କୁ ସପ୍ତାହେ ପାଇଁ ଅଲ୍ଟିମେଟମ୍‌ ଦିଆଯାଇଥିଲା। ମାତ୍ର ଏହା ମଧ୍ୟରେ ବି ସେ ବିବାଦୀୟ ବୟାନବାଜିରୁ ଦୂରେଇ ରହିବା ପରିବର୍ତ୍ତେ କଂଗ୍ରେସ ଉପରେସେ ଜୋରଦାର ଗର୍ଜୁଥିଲେ। ଶେଷରେ ଦଳ ତାଙ୍କୁ ୬ ବଷଁ ପାଇଁ ବାହାର ବାଟ ଦେଖାଇ ଦେଇଛି।

ସଞ୍ଜୟଙ୍କ ଏପରି ବୟାନବାଜି ଯୋଗୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମହାରାଷ୍ଟ୍ର କଂଗ୍ରେସ ପ୍ରବକ୍ତା ଭାରତ ସିଂହ ହାଇକମାଣ୍ଡଙ୍କ ନିକଟରେ ଦାବି ଜଣାଇଥିଲେ। ସଞ୍ଜୟଙ୍କ ବୟାନ ଯୋଗୁ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ନିକଟରେ ଦଳର ଛବି ମଳିନ ହେଉଥିବା ସେ ଅଭିଯୋଗ କରିଥିଲେ। ଏହାପରେ ଦଳ ଅଧ୍ୟକ୍ଷ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Advertisment

ଗତକାଲି ବି ସଞ୍ଜୟ ଦଳର ବରିଷ୍ଠ ନେତାଙ୍କୁ ଟାର୍ଗେଟ କରି କହିଥିଲେ, କଂଗ୍ରେସ ପାର୍ଟି ମୋ’ ପାଇଁ ଯେତେ ଶକ୍ତି ଓ ଷ୍ଟେଶନାରୀ ଜିନିଷ ନଷ୍ଟ କରୁଛି ତାହାକୁ ସମ୍ଭାଳି ଦଳ ପାଇଁ ରଖିବା ଉଚିତ । କାରଣ ପାର୍ଟି ଖୁବ୍‌ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ମୁଁ ଦଳକୁ ଦୁଇ ସପ୍ତାହର ସମୟ ଦେଇଥିବା ବେଳେ ତାହା ପୂରି ଯାଉଛି। ଏହାପରେ ମୁଁ ନିଜ ନିଷ୍ପତ୍ତି ନେବି।

ସଞ୍ଜୟ ମୁମ୍ବାର ଉତ୍ତର-ପଶ୍ଚିମ ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ । ମାତ୍ର ଶିବସେନା (ଉଦ୍ଧବ ଠାକରେ ଗ୍ରୁପ) ସେଠାରେ ଅମୋଲ କୀର୍ତ୍ତିକରଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିବାରୁ ସଞ୍ଜୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାପରେ ସେ ଦଳ ବିରୋଧୀ ଆଚରଣ କରିଥିଲେ । ହାଇକମାଣ୍ଡଙ୍କ ଆକ୍ସନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ସଞ୍ଜୟଙ୍କ ବିରୋଧରେ ଏକ ପ୍ରସ୍ତାବ ପାରିତ କରିଥିଲା । ସେଥିରେ ତାଙ୍କୁ ଦଳରୁ ବହିଷ୍କାର କରିବା ନେଇ ନିଷ୍ପତ୍ତି ହୋଇଥିଲା । ଏପରିକି ତାଙ୍କୁ ଦଳର ତାରକା ପ୍ରଚାରକ ଲିଷ୍ଟରୁ ହଟାଇ ଦିଆଯାଇଥିଲା ।

Congress Mumbai