Advertisment

'ଅଯୋଧ୍ୟା ବିବାଦର ଶୁଣାଣି ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରିଥିଲି'

ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ ମାମଲାର ଶୁଣାଣି ସମୟର କଥା ମନେ ପକାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ।

author-image
Debibandita Barick
Justice DY Chandrachud

Justice DY Chandrachud

ବହୁ ବିବାଦୀୟ ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ ମାମଲାର ଶୁଣାଣି ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ। ୨୦୧୯ରେ ରାୟ ଆସିଥିବା ଏହି ବହୁ ଚର୍ଚ୍ଚିତ ମାମଲାକୁ ମନେ ପକାଇ ଜଷ୍ଟିସ୍ ଚନ୍ଦ୍ରଚୂଡ କହିଛନ୍ତି, "ଅଯୋଧ୍ୟା ମାମଲାର ସମାଧାନ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲି।"

Advertisment

ସେ ଆହୁରି କହିଛନ୍ତି, "ଯଦି ଭଗବାନଙ୍କ ଉପରେ ବିଶ୍ୱାସ ଥାଏ, ତେବେ ସେ ନିଶ୍ଚୟ କିଛି ନା କିଛି ରାସ୍ତା ବାହାର କରିବେ।" ମହାରାଷ୍ଟ୍ରର ଖେଡର ତାଙ୍କ ଜନ୍ମଭୂମି କହ୍ନେରସାର ଗାଁରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏପରି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ। 

ସେ କହିଛନ୍ତି, "ପ୍ରାୟତଃ ଆମ ପାଖରେ କେତେକ ମାମଲା ବିଚାର କରିବାକୁ ଥାଏ, ଯାହାର ସମାଧାନ ବା ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରୁନା। ଅଯୋଧ୍ୟା (ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ବିବାଦ) ସମୟରେ ସମାନ ଘଟଣା ଘଟିଥିଲା। ଦୀର୍ଘ ତିନି ମାସ ବିଚାର ଚାଲିଥିଲେ ମଧ୍ୟ ଅନ୍ତିମ ଶୁଣାଣି ହୋଇପାରୁ ନଥିଲା। ଶେଷରେ ମୁଁ ଠାକୁରଙ୍କ ପାଖକୁ ଗଲି, ତାଙ୍କୁ ହିଁ ଏହାର ସମାଧାନର ବାଟ ବାହାର କରିବାକୁ ନିବେଦନ କଲି।"

Advertisment

ଆଉ ଶେଷରେ ସମାଧାନ ହେଲା। ବିଶ୍ୱାସ କରନ୍ତୁ, ଯଦି ଆପଣଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ଅଛି, ତେବେ ସେ ନିଶ୍ଚୟ ବାଟ ଦେଖାଇବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ପ୍ରକାଶ ଥାଉକି, ନଭେମ୍ବର ୯, ୨୦୧୯ରେ ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଶତାବ୍ଦୀର ବିବାଦୀୟ ମାମଲା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଉପରେ ରାୟ ଶୁଣାଇଥିଲେ। ରାମ ଜନ୍ମଭୂମି ସ୍ଥାନରେ ହିଁ ବାବ୍ରି ମସଜିଦ ନିର୍ମାଣ ହୋଇଛି, ତେଣୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରି ଅଯୋଧ୍ୟାରେ ହିଁ ରାମ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।

ଏହି ରାୟ କେବଳ ଏକ ରାୟ ନଥିଲା, କୋଟି କୋଟି ଭାରତୀୟଙ୍କ ପାଇଁ ଐତିହାସିକ ମୁହୂର୍ତ୍ତ ଥିଲା। ଦୀର୍ଘ ଦିନ ଧରି ହିନ୍ଦୁ ଏବଂ ମୁସଲିମଙ୍କ ମଧ୍ୟରେ ଚାଲି ଆସିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଥିଲା। ଆଉ ଶେଷରେ ଚଳିତ ବର୍ଷ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। 

ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିବା ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ସେ ପରବର୍ତ୍ତୀ ସମୟରେ ଭାରତର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିଛନ୍ତି। ଆସନ୍ତା ନଭେମ୍ବରେ ୧୦ରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି। 

CJI Chief Justice Of India DY Chandrachud Ayodhya Dispute Ram Janmabhoomi-Babri Masjid Dispute