Advertisment

ଆଉ ନାହାନ୍ତି ସତ୍ୟପାଲ ମଲିକ

ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
satyapal

satyapal

ଜମ୍ମୁ-କଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଆଉ ନାହାନ୍ତି। ବୟସାଧିକ ଅସୁସ୍ଥତା ଓ କିଡ୍‌ନୀ ଜନିତ ସମସ୍ୟା କାରଣରୁ ସେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା।

Advertisment

ଦିଲ୍ଲୀର ଆରଏଲଏମ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ହଠାତ୍‌ ବିଗିଡ଼ି ଯାଇଥିଲା। ଏଥିପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସବୁ ପ୍ରକାରର ଚେଷ୍ଟା ସତ୍ତ୍ୱେ ସେ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଦିନ ପ୍ରାୟ ୧ଟା ବେଳେ ତାଙ୍କର ଦେହାନ୍ତ ହୋଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। 

ଜମ୍ମୁ-କଶ୍ମୀର ରାଜ୍ୟର ଶେଷ ରାଜ୍ୟପାଳ ଭାବେ ଶ୍ରୀ ମଲିକ କାମ କରିଥିଲେ। ୨୦୧୮ ଅଗଷ୍ଟରୁ ୨୦୧୯ ଅକ୍ଟୋବର ମାସ ଯାଏ ସେ ଏହି ପଦରେ ଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଜମ୍ମୁ-କଶ୍ମୀରୁ ଧରା ୩୭୦ ଉଚ୍ଛେଦ ହୋଇଥିଲା।

Advertisment

୨୦୧୯ ମସିହା ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଉପତ୍ୟକା ଠାରୁ ରାଜ୍ୟ ମାନ୍ୟତା ଛଡ଼ାଇ ନେଇଥିଲେ। ଏବେ ଜମ୍ମୁ-କଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ। ଏଠାରେ ରାଜ୍ୟପାଳ ବଦଳରେ ଉପ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଆଜି ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ଘଟଣାକୁ ୬ ବର୍ଷ ପୂରିଛି। ଆଜିର ଦିନରେ ଜମ୍ମୁ-କଶ୍ମୀର ରାଜ୍ୟର ଶେଷ ରାଜ୍ୟପାଳ ଶ୍ରୀ ମଲିକଙ୍କ ଦେହାନ୍ତ ହୋଇଛି। 

ଜମ୍ମୁ-କଶ୍ମୀର ପରେ ସତ୍ୟପାଲ ମଲିକଙ୍କୁ ଗୋଆ ଓ ଏହାପରେ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ସେ ୨୦୨୨ ଅକ୍ଟୋବର ମାସ ଯାଏ ମେଘାଳୟର ରାଜ୍ୟପାଳ ଭାବେ କାମ କରିଥିଲେ। ୨୦୧୭ରେ ସେ କିଛି ମାସ ପାଇଁ ବିହାରର ରାଜ୍ୟପାଳ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ। ଏହି ସମୟରେ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିଲା। ୨୦୧୮ ଅଗଷ୍ଟରେ ତାଙ୍କୁ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। 

ଉତ୍ତର ପ୍ରଦେଶର ବାଘପଟର ଜାଟ ନେତା ଭାବେ ପରିଚିତ ଶ୍ରୀ ମଲିକଙ୍କ ରାଜନୀତିକ ଯାତ୍ରା ୧୯୭୦ ଦଶକୁ ଛାତ୍ର ଆନ୍ଦୋଳନରୁ ଆରମ୍ଭ ହୋଇଥିଲା। ୧୯୭୪ରେ ସେ ଚୌଧୁରୀ ଚରଣ ସିଂହଙ୍କ ଭାରତୀୟ କ୍ରାନ୍ତୀ ଦଳରୁ ପ୍ରଥମଥର ଭାଘପଟରୁ ଜିତି ଉତ୍ତର ପ୍ରଦେଶର ବିଧାନସଭାକୁ ଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ଲୋକ ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିବା ସହ ୧୯୮୦ରେ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। କିନ୍ତୁ ୧୯୮୪ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସର ଯୋଗ ଦେଇ ସେ ୧୯୮୬ରେ ରାଜ୍ୟସଭାକୁ ଫେରିଥିଲେ। 

ତେବେ ୧୯୮୭ରେ ବୋଫର୍ସ ସ୍କାମ ଦୁର୍ନୀତି ଅଭିଯୋଗରେ ପ୍ରବଳ ବିକ୍ଷୋଭ ହୋଇଥିଲା। ଏଥିପାଇଁ ସେ ରାଜ୍ୟସଭା ଓ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଜନ ମୋର୍ଚ୍ଚା ନାଁରେ ନିଜସ୍ୱ ରାଜନୀତିକ ଦଳ ଗଠନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଶ୍ରୀ ମଲିକଙ୍କ ଦଳ ଜନତା ଦଳରେ ଲୀନ ହୋଇ ଯାଇଥିଲା। ଶ୍ରୀ ମଲିକ ୧୯୮୯ରେ ଜନତା ଦଳ ଟିକେଟରୁ ଆଲିଗଡ଼ ଲୋକସଭା ଆସନରୁ ବିଜୟୀ ଳୋକ ସଂସଦକୁ ଯାଇଥିଲେ। 

୧୯୯୦ରେ ସେ କିଛି ମାସ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପର ଓ ପର୍ଯ୍ୟଟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୦୪ରେ ସେ ବିଜେପିରେ ସାମିଲ ହୋଇ ବାଘପଟରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ଆରଏଲଡି ମୁଖ୍ୟ ଅଜିତ ସିଂହଙ୍କ ଠାରୁ ହାରିବାକୁ ପଡ଼ିଥିଲା। 

ନରେନ୍ଦ୍ର ମୋଦି ସରକାରର ପ୍ରଥମ ପାଳିରେ ଶ୍ରୀ ମଲିକ ଜମି ଅଧିଗ୍ରହଣ ବିଲର ଯାଞ୍ଚ ପାଇଁ ସଂସଦୀୟ କମିଟିର ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱାଧୀନ କମିଟି ବିଲ ବିରୋଧୀ ମତ ଦେଇଥିଲା। ଏଥିପାଇଁ ପ୍ରସ୍ତାବିତ ବିଲକୁ ଉପସ୍ଥାପନ କରି ନଥିଲେ। 

Jammu Kashmir Satyapal Malik