Advertisment

ଦେଶରେ ପଡ଼ି ରହିଛି ୪.୭ ଲକ୍ଷ ଘରୋଇ ହିଂସା ମାମଲା, ବୈଠକ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦେଶର ୮୦୧ଟି ଜିଲ୍ଲାରେ ମୋଟ ୪.୭ ଲକ୍ଷ ଘରୋଇ ହିଂସା ମାମଲା ପଡ଼ି ରହିଥିବାରୁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି।

author-image
Hemant Lenka
Domestic Violence

Domestic Violence

କେନ୍ଦ୍ର ଅର୍ଥ, ସ୍ୱରାଷ୍ଟ୍ର, ଶିଶୁ ଓ ମହିଳା ବିକାଶ ମନ୍ତ୍ରଣାଳୟର ସଚିବମାନଙ୍କୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ତୁରନ୍ତ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ପ୍ରଚଳିତ ଘରୋଇ ହିଂସା ଆଇନ ପ୍ରଭାବହୀନ ହେଉଥିବା କଥା ଜାଣିବା ପରେ ସର୍ବୋଚ୍ଚ ଅଦାଲତ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଦେଶର ୮୦୧ଟି ଜିଲ୍ଲାରେ ମୋଟ ୪.୭ ଲକ୍ଷ ଘରୋଇ ହିଂସା ମାମଲା ପଡ଼ି ରହିଥିବାରୁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି।

Advertisment

ଜଷ୍ଟିସ ଏସଆର ଭଟ ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କହିଛନ୍ତି, ସବୁ ଜିଲ୍ଲା ପାଇଁ ଜଣେ ଲେଖାଏ ପ୍ରୋଟେକସନ ଅଫିସର ନିଯୁକ୍ତ ହୋଇଛନ୍ତି। ଏହି ଅଫିସରମାନଙ୍କୁ ୬୦୦ରୁ ଅଧିକ ମାମଲାର ବିଚାର କରିବାକୁ ପଡ଼ୁଛି। ତେବେ ଏତେ ସଂଖ୍ୟକ ମାମଲାକୁ ଜଣେ ବ୍ୟକ୍ତି ବ୍ୟବସ୍ଥିତ କରିବା ଆଦୌ ସମ୍ଭବ ନୁହେଁ।

ବିଶେଷ କରି ପ୍ରୋଟେକସନ ଅଫିସରଙ୍କୁ ଘଟଣାସ୍ଥଳକୁ ଯିବାକୁ ପଡ଼ିଥାଏ, କୋର୍ଟକୁ ଶୁଣାଣି ବେଳେ ସହଯୋଗ କରିବାକୁ ହୁଏ, ପୀଡ଼ିତଙ୍କ ମଧ୍ୟରେ ସମନ୍ୱୟ ରଖିବା, ପୁଲିସ ଓ ନ୍ୟାୟିକ ବ୍ୟବସ୍ଥାର ତର୍ଜମା ଭଳି କାମ କରିବାକୁ ପଡ଼େ। ତେଣୁ ଜଣେ ଅଧିକାରୀ ଏତେ ସବୁ କାମ କେବେ ହେଲେ ଠିକ ଭାବେ କରିପାରିବେ ନାହିଁ।

Advertisment

ଏପରି ସ୍ଥିତିରେ କେନ୍ଦ୍ର ସରକାର ବେଶ ସକାରାତ୍ମକ ଭାବେ ଘରୋଇ ହିଂସା ଆଇନକୁ ଠିକ ଭାବେ କାର୍ଯ୍ୟକାରୀ କରିବା ଦିଗରେ ଗୁରୁତ୍ୱ ଦେବା ଦରକାର। ସେହିପରି ଘରୋଇ ହିଂସାର ପୀଡ଼ତାଙ୍କୁ ଉପଯୁକ୍ତ ସୁରକ୍ଷା ପାଇଁ ବ୍ୟବସ୍ଥା କରିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ହେବାକୁ ଥିବା ବୈଠକରେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷ ଓ ଜାତୀୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ଜଣେ ମନୋନୀତ ପ୍ରତିନିଧିଙ୍କୁ ମଧ୍ୟ ଯୋଗ ଦେବାକୁ କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱାର୍ଯ୍ୟା ଭାଟିଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିଛନ୍ତି ଓ ଆସନ୍ତା ୩ ସପ୍ତାହ ମଧ୍ୟରେ ବରିଷ୍ଠ ଅଧିକାରୀ ସ୍ତରୀୟ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଆଇନକୁ କାର୍ଯ୍ୟକାରୀ ଓ ବିଚାର କରିବା ଦିଗରେ ସମସ୍ୟାଗୁଡ଼ିକ ଉପରେ ଆଲୋଚନା ହେବ। ଏଥିସହ ଆବଶ୍ୟକ ପଦକ୍ଷେପ ଗୁଡ଼ିକକୁ ତୁରନ୍ତ ଲାଗୁ କରାଯିବା ଉପରେ ବିଚାର କରାଯିବ। ମିଶନ ଶକ୍ତି ଯୋଜନା କେତେ ଦୂର କାର୍ଯ୍ୟକାରୀ ହୋଇଛି, ତା’ର ଷ୍ଟାଟସ ରିପୋର୍ଟ ଦେବାକୁ ସର୍ବୋଚ୍ଚ ଅଦାଲତ ଶିଶୁ ଓ ମହିଳା ବିକାଶ ମନ୍ତ୍ରଣାଳୟକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Supreme Court Domestic Violence