/odisha-reporter/media/post_attachments/uploadimage/library/16_9/16_9_0/IMAGE_1748011535.jpg)
Justice Oka
ନିଜର ଶେଷ କାର୍ଯ୍ୟ ଦିବସରେ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏସ୍ ଓକା। ସେ ସୁପ୍ରିମକୋର୍ଟରେ ସଂସ୍କାର ଜରୁରୀ ବୋଲି ପାଇଁ ମତ ରଖିଛନ୍ତି। ଜଷ୍ଟିସ ଓକା କହିଛନ୍ତି, ସୁପ୍ରିମକୋର୍ଟ ହେଉଛି ପ୍ରଧାନ ବିଚାରପତି ବା ସିଜେଆଇ କୈନ୍ଦ୍ରିକ ଓ ଏଥିରେ ପରିବର୍ତ୍ତନ ଆବଶ୍ୟକ। ଜଷ୍ଟିସ ଓକା ସଙ୍କେତ ଦେଇଛନ୍ତି ଯେ ଏହି ପରିବର୍ତ୍ତନ ନୂଆ କରି ପ୍ରଧାନ ବିଚାରପତି ହୋଇଥିବା ଜଷ୍ଟିସ ବିଆର ଗବାଇଙ୍କ ସମୟରେ ହେବ। ଜଷ୍ଟିସ ଗବାଇ ଚଳିତ ମାସରେ ଦେଶର ୫୨ତମ ସିଜେଆଇ ଭାବେ ଶପଥ ନେଇଥିଲେ। ସେ ଏହି ପଦରେ ନଭେମ୍ବର ମାସ ଯାଏ ରହିବେ।
ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ଆଜି ଜଷ୍ଟିସ ଓକାଙ୍କ ପାଇଁ ବିଦାୟକାଳୀନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ଓକା କହିଛନ୍ତି ଯେ ସୁପ୍ରିମକୋର୍ଟ ତୁଳନାରେ ହାଇକୋର୍ଟ ଅଧିକ ଗଣତାନ୍ତ୍ରିକ ଉପାୟରେ କାମ କରୁଛି। ସେ କହିଛନ୍ତି, “ହାଇକୋର୍ଟ ଗୁଡ଼ିକ କମିଟି ଜରିଆରେ କାମ କରୁଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ହେଉଛି ପ୍ରଧାନ ବିଚାରପତି କୈନ୍ଦ୍ରିକ।
ଗତ ୩ ବର୍ଷ ମଧ୍ୟରେ ମୁଁ ଅନୁଭବ କରିଛି ଯେ ସୁପ୍ରିମକୋର୍ଟ ଗୋଟିଏ ସିଜେଆଇ କୈନ୍ଦ୍ରିକ କୋର୍ଟ। ମୁଁ ଭାବୁଛି ଯେ ଆମକୁ ଏହା ବଦଳାଇବାକୁ ପଡ଼ିବ। ସୁପ୍ରିମକୋର୍ଟରେ ଦେଶର ବିଭିନ୍ନ ଅଞ୍ଚଳରୁ ୩୪ ଜଣ ବିଚାରପତି ରହିଛନ୍ତି। ଏପରି ସ୍ଥିତିରେ ସୁପ୍ରିମକୋର୍ଟଙ୍କ ଛବି ସିଜେଆଇ କୈନ୍ଦ୍ରିକ ରହିବା ଠିକ ନୁହେଁ। ଏଥିରେ ପରିବର୍ତ୍ତନ ଆବଶ୍ୟକ। ଆପଣମାନେ ନୂଆ ସିଜେଆଇଙ୍କ ସମୟରେ ଏଥିରେ ପରିବର୍ତ୍ତନ ଦେଖିପାରିବେ। ମୁଁ ବହୁତ ଖୁସି ଯେ ଜଷ୍ଟିସ ସଞ୍ଜୀବ ଖାନ୍ନା(ମେ’ ୧୩ରେ ଅବସର ନେଇ ସାରିଛନ୍ତି) ଆମକୁ ସ୍ୱଚ୍ଛତା ପଥରେ ଆଗକୁ ନେଇଥିଲେ। ସେ ପ୍ରତିଟି ନିଷ୍ପତ୍ତି ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ବିଶ୍ୱାସକୁ ନେଇ ନେଉଥିଲେ।
ଜଷ୍ଟିସ ଗବାଇଙ୍କ ପାଖରେ ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ତ ରହିଛି। ଆମକୁ ଟ୍ରାଏଲ କୋର୍ଟ ଓ ସାଧାରଣ ଲୋକଙ୍କ କଥା ଚିନ୍ତା କରିବାକୁ ପଡ଼ିବ। ଆମର ଟ୍ରାଏଲ କୋର୍ଟ ଓ ଜିଲ୍ଲା କୋର୍ଟରେ ଅନେକ ମାମଲା ପଡ଼ି ରହିଛି। ଟ୍ରାଏଲ କୋର୍ଟଗୁଡ଼ିକୁ କେବେ ହେଲେ ଅଧିନସ୍ଥ କୋର୍ଟ କୁହନ୍ତୁ ନାହିଁ। ଏହା ସାମ୍ବିଧାନିକ ମୂଲ୍ୟବୋଧର ବିରୋଧୀ। ଜଣଙ୍କୁ ୨୦ ବର୍ଷ ପରେ ଦଣ୍ଡିତ କରିବା ବେଶ କଷ୍ଟକର ବ୍ୟାପାର।
ମାମଲାଗୁଡ଼ିକର ଲିଷ୍ଟିଂ ପ୍ରସଙ୍ଗରେ ଆମକୁ କିଛି କରିବାକୁ ପଡ଼ିବ। ଲୋକମାନେ କହୁଛନ୍ତି ଯେ କିଛି ମାମଲା ଆବେଦନର ଦିନକ ପରେ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଯାଉଛି। ଅନ୍ୟ ଆବେଦନ ଗୁଡ଼ିକ ଦିନ ଦିନ ଧରି ପଡ଼ି ରହୁଛି।”
ନିଜର ନ୍ୟାୟିକ ଯାତ୍ରା ସମ୍ପର୍କରେ ମନେପକାଇ ଜଷ୍ଟିସ ଓକା କହିଛନ୍ତି ଯେ ତାଙ୍କୁ ଅନେକ ଲୋକ ଅଫିସ ଛାଡ଼ିବାର ଅନୁଭୂତି କେମିତି ବୋଲି ପ୍ରଶ୍ନ କରୁଛନ୍ତି। ସେ କହିଛନ୍ତି, “ବିଚାରପତିଙ୍କ ପାଖରେ ନ୍ୟାୟ ପ୍ରଦାନର ସ୍ୱାଧୀନତା ରହିଛି। ଆପଣ ଜଜ ପଦରୁ ଯିବା ପରେ ଆଉ ସେହି ସ୍ୱାଧୀନତା ଆପଣଙ୍କ ପାଖରେ ରହିବ ନାହିଁ। ୨୧ ବର୍ଷ ଓ ୯ ମାସ ଧରି ୩ଟି ସାମ୍ବିଧାନିକ କୋର୍ଟରେ ଜଣେ ବିଚାରପତି ରହିବା ପରେ ଜଜଶିପ ଜୀବନ ପାଲଟି ଯାଏ ଓ ଜୀବନ ଜଜଶିପ ହୋଇଯାଏ।”
ସେ ଆହୁରି କହିଛନ୍ତି, “ଯେତେବେଳେ ଜଣେ ସଫଳ ଓକିଲ ବିଚାରପତି ବନନ୍ତି ସେତେବେଳେ ଲୋକମାନେ କୁହନ୍ତି ତାଙ୍କୁ ତ୍ୟାଗ କରିବାକୁ ପଡ଼ିଲା। କିନ୍ତୁ ମୁଁ ଏହାକୁ ଗ୍ରହଣ କରୁନାହିଁ। ଆପଣ ଯେତେବେଳେ ନ୍ୟାୟାଳୟରେ ଯୋଗ ଦିଅନ୍ତି ସମ୍ଭବତଃ ଆପଣ ସେହି ପରିମାଣର ଟଙ୍କା ମିଳେ ନାହିଁ କିନ୍ତୁ ଆପଣଙ୍କୁ କାମରୁ ଯେଉଁ ସନ୍ତୁଷ୍ଟି ମିଳେ ତା’କୁ ଓକିଲଙ୍କ ଆୟ ସହ ତୁଳନା କରାଯାଇ ପାରିବ ନାହିଁ। ଆପଣ ଯେତେବେଳେ ଜଣେ ବିଚାରପତି ହୋଇଯାଆନ୍ତି ସେତେବେଳେ କେବଳ ସମ୍ବିଧାନ ଓ ବିବେକ ଆପଣଙ୍କୁ ଶାସନ କରିଥାଏ। ବିଚାରପତି ଭାବେ ମୋର ଲମ୍ବା ଇନିଂସରେ ମୁଁ କେବେ ହେଲେ ଅସହମତିପୂର୍ଣ୍ଣ ରାୟ ଦେଇ ନାହିଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
