Advertisment

ଆଦାନୀ ବିବାଦ: କେନ୍ଦ୍ରର ବନ୍ଦ ଲଫାପା ପ୍ରସ୍ତାବକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ

କେନ୍ଦ୍ର କିମ୍ବା ଆବେଦନକାରୀଙ୍କ କୌଣସି ପ୍ରକାରର ପ୍ରସ୍ତାବରେ ହସ୍ତକ୍ଷେପ କରାଯିବ ନାହିଁ। ପୁଞ୍ଜିନିବେଶକାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିବା ଦରକାର।

ଅଦ୍ୟତନ ହୋଇଛି
adani

adani

Advertisment

ଆଦାନୀ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଝଟକା ଲାଗିଛି। ଆଦାନୀ ଗ୍ରୁପର ଷ୍ଟକ ମୂଲ୍ୟ ହ୍ରାସ ପାଉଥିବା ବେଳେ ନିୟନ୍ତ୍ରଣ ମୂଳକ ପଦକ୍ଷେପକୁ ଅଧିକ ସଶକ୍ତ ଓ ପୁଞ୍ଜିନିବେଶକାରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବନ୍ଦ ଲଫାପାରେ ଗୋଟିଏ ପ୍ୟାନେଲ ଗଠନ ପାଇଁ ସୁପ୍ରିମକୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ସୁପ୍ରିମକୋର୍ଟ ଏହି ବନ୍ଦ ଲଫାପାକୁ ଗ୍ରହଣ କରି ନାହାନ୍ତି। ସର୍ବୋଚ୍ଚ ଅଦାଲତ ଏହି ପ୍ରସଙ୍ଗରେ ଅଧିକ ସ୍ୱଚ୍ଛତା ଚାହୁଁଥିବା କହିଛନ୍ତି।

Advertisment

ଆଦାନୀ ଗ୍ରୁପ୍‌ ନାଁରେ ଆସିଥିବା ଦୁର୍ନୀତି ଅଭିଯୋଗ ଓ ଏହାର ଷ୍ଟକ ମୂଲ୍ୟ ହ୍ରାସ ପାଉଥିବାରୁ ସୁପ୍ରିମକୋର୍ଟ ଗତ ସପ୍ତାହରେ ବିଶେଷଜ୍ଞଙ୍କୁ ନେଇ ପ୍ୟାନେଲ ଗଠନ କରିବା ସମ୍ପର୍କରେ କେନ୍ଦ୍ରକୁ ଜବାବ ମାଗିଥିଲେ। ଏହି ପ୍ୟାନେଲରେ ଜଣେ ବିଚାରପତି ମଧ୍ୟ ରହିପାରିବେ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଥିଲେ। ଏହାର ଜବାବରେ କେନ୍ଦ୍ର ସରକାର ବନ୍ଦ ଲଫାପାରେ ପ୍ୟାନେଲ ଗଠନ ସମ୍ପର୍କରେ ତଥ୍ୟ ଦେଇଥିଲେ ହେଁ ଏହାକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିନାହାନ୍ତି।

ଆଦାନୀ ଗ୍ରୁପ୍‌ ବିରୋଧରେ ହିଣ୍ଡେନବର୍ଗ ଦେଇଥିବା ରିପୋର୍ଟକୁ ଆଧାର କରି ତଦନ୍ତ କରିବା ଦାବିରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଆଗତ କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ କମିଟି ଗଠନ ସମ୍ପର୍କରେ ଦେଇଥିବା ରାୟକୁ ସଂରକ୍ଷିତ ରଖିଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ କହିଛନ୍ତି, “ଆମେ କୌଣସି ବନ୍ଦ ଲଫାପା ଚାହୁଁନୁ। ଆମେ ପୂର୍ଣ୍ଣ ସ୍ୱଚ୍ଛତା ଚାହୁଁ। ଆମେ ଯଦି ଏହି ପ୍ରସ୍ତାବକୁ ଗ୍ରହଣ କରିନେବୁ, ତା’ହେଲେ ଏହା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଗୋଟିଏ କମିଟି ଭାବେ ବିବେଚିତ ହେବ। କିନ୍ତୁ ଆମେ ଏହା ଚାହୁଁନୁ। ଏବେ ଆମକୁ ଏହା ଉପରେ ନିଷ୍ପତ୍ତି ନେବାକୁ ଛଡ଼ା ଯାଉ। 

ଆମେ ଯେଉଁ ମୁହୂର୍ତ୍ତରେ ବନ୍ଦ ଲଫାପା ପ୍ରସ୍ତାବକୁ ଗ୍ରହଣ କରିନେବୁ, ଏହାର ଅର୍ଥ ଅପରକ୍ଷ ଏ ବିଷୟରେ କିଛି ଜାଣିପାରିବେ ନାହିଁ ବୋଲି ବିବେଚନା କରାଯିବ।ଆମେ ନିବେଶକାରୀଙ୍କ ସୁରକ୍ଷା ପାଇଁ ପୂର୍ଣ୍ଣ ସ୍ୱଚ୍ଛତା ଚାହୁଁ। ଆମେ ଆମ ଅନୁସାରେ କମିଟି ଗଠନ କରିବୁ। ଏଥିରେ କୌଣସି ପ୍ରକାରରେ କେନ୍ଦ୍ର ହସ୍ତକ୍ଷେପ କରିବ ନାହିଁ। କମିଟି ନିୟମ ଉଲ୍ଲଙ୍ଘନ ହୋଇଛି ବୋଲି ଭାବି ତଦନ୍ତ ଆରମ୍ଭ କରିବ ନାହିଁ।

କେନ୍ଦ୍ର କିମ୍ବା ଆବେଦନକାରୀଙ୍କ କୌଣସି ପ୍ରକାରର ପ୍ରସ୍ତାବରେ ହସ୍ତକ୍ଷେପ କରାଯିବ ନାହିଁ। ପୁଞ୍ଜିନିବେଶକାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିବା ଦରକାର। ସମସ୍ତ ପକ୍ଷ କମିଟିକୁ ତଦନ୍ତରେ ସହଯୋଗ କରିବେ। ସୁପ୍ରିମକୋର୍ଟର କୌଣସି କାର୍ଯ୍ୟରତ ବିଚାରପତି କମିଟିର ଅଂଶବିଶେଷ ହୋଇପାରିବେ ନାହିଁ।”

ଏହି ମାମଲାର ଜଣେ ଆବେଦନକାରୀ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସେମାନେ ବ୍ୟାଙ୍କଗୁଡ଼ିକ ଶେୟାରଗୁଡ଼ିକୁ କେମିତି ମୂଲ୍ୟାଙ୍କନ କରି ଋଣ ଦେଲେ, ତା’ର ହିସାବ ଚାହୁଁଛନ୍ତି। ଏଥିସହ ଆଦାନୀ କମ୍ପାନୀର ଅଡିଟ କରିବାକୁ ମଧ୍ୟ ଦାବି କରିଛନ୍ତି। ଆଉ ଜଣେ ଆବେଦନକାରୀ ତଥା ଓକିଲ ଏମଏଲ ଶର୍ମା କହିଛନ୍ତି ଯେ ସେ ଆଦାନୀ ଗ୍ରୁପ୍‌ ବିରୋଧରେ ରିପୋର୍ଟ ଦେଇଥିବା ହିଣ୍ଡେନବର୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହାନ୍ତି।

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ତୃତୀୟ ଆବେଦନକାରୀଙ୍କ ପକ୍ଷ ରଖି ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ପୂରା ଘଟଣାର ତଦନ୍ତ କରୁ ବୋଲି କହିଛନ୍ତି। 

ସରକାରୀ ଓକିଲ ତୁଷାର ମେହେଟା କହିଛନ୍ତି, “ଆମେ କୌଣସି ପ୍ରକାରର ତଦନ୍ତକୁ ବିରୋଧ କରୁନୁ। ପ୍ରମୋଟର୍ସ(ଆଦାନୀ ଗ୍ରୁପ) କିମ୍ବା ହିଣ୍ଡେନବର୍ଗ ରିପୋର୍ଟର ତଦନ୍ତ ସପକ୍ଷରେ ଆମେ ରହିଛୁ। ସେବି ଓ ଅନ୍ୟ ସମସ୍ତ ନିୟାମକ ସଂସ୍ଥା ଏଯାଏ ନିଜ ନିଜର କାମ କରୁଛନ୍ତି।”

ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ କମିଟିର ରୂପରେଖ ନେଇ ଖୁବଶୀଘ୍ର ଘୋଷଣା କରିବେ ବୋଲି ସଙ୍କେତ ଦେଇଛନ୍ତି।

Gautam Adani Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe