Advertisment

କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ସିବିଆଇ ତଦନ୍ତ ନିର୍ଦ୍ଦେଶ ବେଳେ ହାଇକୋର୍ଟ ପଶ୍ଚିମବଙ୍ଗ ପୁଲିସ୍‌ ସମ୍ପର୍କରେ ଦେଇଥିବା ବୟାନଗୁଡ଼ିକୁ ହଟାଇ ଦେଇଛନ୍ତି।

author-image
Hemant Lenka
TMC

TMC

ସନ୍ଦେଶଖାଲିରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ ଜାରି ରଖିବ ସିବିଆଇ। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହାର ତଦନ୍ତ ଜାରି ରଖିଛି। ତେବେ ଏହା ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି।

Advertisment

ତଥାପି ସିବିଆଇ ତଦନ୍ତ ନିର୍ଦ୍ଦେଶ ବେଳେ ହାଇକୋର୍ଟ ପଶ୍ଚିମବଙ୍ଗ ପୁଲିସ୍‌ ସମ୍ପର୍କରେ ଦେଇଥିବା ବୟାନଗୁଡ଼ିକୁ ହଟାଇ ଦେଇଛନ୍ତି। ଆଜି ଶୁଣାଣି ବେଳେ କ’ଣ ପାଇଁ ଘଟଣାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁଙ୍କ ଗିରଫଦାରୀରେ ବିଳମ୍ବ ହେଲା ବୋଲି ରାଜ୍ୟ ସରକାରଙ୍କୁ ପଚାରିଥିଲେ। ଏହାପରେ ପଶ୍ଚିମବଙ୍ଗ ସରକାର ସିବିଆଇ ତଦନ୍ତ ବିରୋଧରେ କରିଥିବା ଆବେଦନରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଥିଲେ।

ଚଳିତ ମାସ ଆରମ୍ଭରେ କଲିକତା ହାଇକୋର୍ଟ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ସିବିଆଇ କରିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ସେହିପରି ବେଙ୍ଗଲ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ଶେଖ ଶାହଜାହାଁଙ୍କୁ ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ କହିଥିଲେ। ଏହି ସମୟରେ ବେଙ୍ଗଲ ପୁଲିସ୍‌ ଲୁଚକାଳି ଖେଳୁ ଥିବା ହାଇକୋର୍ଟ ଟିପ୍ପଣୀ କରିଥିଲେ। 

Advertisment

ହାଇକୋର୍ଟ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ କହିଥିଲେ ହେଁ ପ୍ରଥମେ ବେଙ୍ଗଲ ପୁଲିସ୍‌ ଏହାକୁ ଖାତିର କରି ନଥିଲା। ଏହାକୁ ନେଇ ପୁଣି କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। କୋର୍ଟଙ୍କ ତାଗିଦ ପରେ ବେଙ୍ଗଲ ପୁଲିସ୍‌ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିଥିଲା।

ଅନ୍ୟପକ୍ଷରେ ଶାହଜାହାଁଙ୍କୁ ବସିରହାଟ ସବ ଡିଭିଜନାଲ କୋର୍ଟ ୪ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି। ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ୍‌ ଶାହଜାହାଁଙ୍କୁ ଗିରଫ କରିଥିଲା।

କିନ୍ତୁ ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଓ ସେମାନଙ୍କ ଜମି ହଡ଼ପ ମାମଲାର ମୁଖ୍ୟ ଅଭିଯୁକ୍ତ ମଧ୍ୟ ଶାହଜାହାଁ। ତାଙ୍କୁ ୫୫ ଦିନ ହେଲା ଖୋଜା ପଡ଼ିଥିବା ବେଳେ ଶେଷରେ ପୁଲିସ୍‌ ତାଙ୍କୁ ଗତ ବୁଧବାର ମଧ୍ୟରାତ୍ରରେ ଗିରଫ କରିଥିଲା।

Supreme Court Sandeshkhali Case