Advertisment

କଲିକତା ହାଇକୋର୍ଟରେ ଅଭାବନୀୟ ଘଟଣା: ଜଜ୍‌ଙ୍କ ବିରୋଧରେ ଜଜ୍‌ ଆଣିଲେ ସାଂଘାତିକ ଅଭିଯୋଗ, କାଲି ସୁପ୍ରିମକୋର୍ଟରେ ଶୁଣାଣି

ଡିଭିଜନ ବେଞ୍ଚର ନିର୍ଦ୍ଦେଶ ସତ୍ତ୍ୱେ ମାମଲାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ବିଚାରପତି ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ।

author-image
Jitendra Garnayak
Justice Abhijit Gangopadhyay and Justice Soumen Sen

Justice Abhijit Gangopadhyay and Justice Soumen Sen

କଲିକତା ହାଇକୋର୍ଟରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବିଚାରପତିଙ୍କ ବିରୋଧରେ ଅନ୍ୟ ଜଣେ ବିଚାରପତି ଆଣିଛନ୍ତି ସାଂଘାତିକ ଅଭିଯୋଗ। ଆଉ ଘଟଣାର ଗୁରୁତ୍ୱକୁ ଦେଖି ସୁପ୍ରିମକୋର୍ଟ ନିଜ ଆଡୁ ଆସନ୍ତାକାଲି ଏହାର ଶୁଣାଣି କରିବା ପାଇଁ ତାଲିକାଭୁକ୍ତ କରିଛନ୍ତି। ସକାଳ ସାଢ଼େ ୧୦ଟାରେ ପ୍ରଧାନବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ୫ ଜଣ ବରିଷ୍ଠ ବିଚାରପତି ଏହାର ଶୁଣାଣି କରିବେ।

Advertisment

ଏହି ସପ୍ତାହ ପ୍ରାରମ୍ଭରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ ପଶ୍ଚିମବଙ୍ଗର ବିଭିନ୍ନ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଉପରେ ଶୁଣାଣି କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ ବିରୋଧରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାର ଜଷ୍ଟିସ୍‌ ସୌମେନ ସେନ୍‌ଙ୍କ ଡିଭିଜନ ବେଞ୍ଚରେ ଆବେଦନ କରିଥିଲେ। ଡିଭିଜନ ବେଞ୍ଚ ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ ଦେଇଥିବା ସିବିଆଇ ତଦନ୍ତ ନିର୍ଦ୍ଦେଶ ଉପରେ ରହିତାଦେଶ ଦେଇଥିଲେ।

Advertisment

ତାଙ୍କ ନିର୍ଦ୍ଦେଶ ଉପରେ ଡିଭିଜନ ବେଞ୍ଚ ରହିତାଦେଶ ଲଗାଇବା ପରେ ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ ପୁଣି ଏହାକୁ ଗୁରୁତ୍ୱର ସହିତ ନେଇଥିଲେ। ଡିଭିଜନ ବେଞ୍ଚର ନିର୍ଦ୍ଦେଶ ସତ୍ତ୍ୱେ ମାମଲାର ତଦନ୍ତ କରିବାକୁ ସେ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ।

ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ତାଙ୍କର ଏହି ନୂଆ ନିର୍ଦ୍ଦେଶର ଏକକିତା ନକଲ ଭାରତର ପ୍ରଧାନ ବିଚାରପତି ଓ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପାଖକୁ ପଠାଇବା ପାଇଁ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ କହିଥିଲେ।

ତାଙ୍କ ନୂଆ ନିର୍ଦ୍ଦେଶରେ ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ କେବଳ ଡିଭିଜନ ବେଞ୍ଚର ନିର୍ଦ୍ଦେଶକୁ ଏଡାଇ ଦେଇ ନାହାନ୍ତି, ବରଂ ଡିଭିଜିନ ବେଞ୍ଚ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଯାଞ୍ଚ କରନ୍ତୁ ବୋଲି କହିଛନ୍ତି।

ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ କହିଛନ୍ତି, ଜଷ୍ଟିସ ସେନ୍ ସ୍ପଷ୍ଟ ଭାବେ ଏହି ରାଜ୍ୟରେ କିଛି ରାଜନୀତିକ ଦଳ ପାଇଁ କାମ କରୁଛନ୍ତି। ସେଥିପାଇଁ, ଯଦି ସମ୍ମାନନୀୟ ସୁପ୍ରିମକୋର୍ଟ ସେହିଭଳି ଭାବୁଛନ୍ତି, ତା’ହେଲେ ସେ (ଜଷ୍ଟିସ୍ ସେନ୍‌) ଦେଇଥିବା ନିର୍ଦ୍ଦେଶ ଉପରେ ନଜର ପକାଇବା ଜରୁରୀ। ନିଜର କିଛି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜଷ୍ଟିସ ସେନ୍‌ ରାଜ୍ୟର କିଛି ରାଜନୀତିକ ଦଳକୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି। ଏହା ପଦର ଦୁର୍ବ୍ୟବହାର ସହିତ ସମାନ।

ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ଆହୁରି ପ୍ରଶ୍ନ କରିଛନ୍ତି ଯେ ୨୦୨୧ରେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ସେନଙ୍କ ବଦଳି ପାଇଁ ସୁପାରିଶ କରିଥିଲେ। ତଥାପି ସେ କାହିଁକି କଲିକତା ହାଇକୋର୍ଟରେ ଏଯାବତ ଅଛନ୍ତି?

ତାଙ୍କ ନୂଆ ନିର୍ଦ୍ଦେଶରେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ଜଷ୍ଟିସ୍ ସେନ୍ ଓ ଅନ୍ୟ ଜଣେ ବିଚାରପତି ଜଷ୍ଟିସ୍ ଅମୃତା ସିହ୍ନାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପକୁ ଉଲ୍ଲେଖ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନିକଟରେ ଜଷ୍ଟିସ୍ ସେନ୍ ଅନ୍ୟତମ ବିଚାରପତି ଜଷ୍ଟିସ୍ ଅମୃତା ସିହ୍ନାଙ୍କୂ ନିଜ ଚ୍ୟାମ୍ବରକୁ ଡାକିଥିଲେ। ଅଭିଷେକ ବାନାର୍ଜୀ (ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା)ଙ୍କ ରାଜନୀତିକ ଭବିଷ୍ୟତ ଉଜ୍ଜ୍ୱଳ ଥିବାରୁ ତାଙ୍କୁ ହଇରାଣ ନ କରିବାକୁ ଜଷ୍ଟିସ୍ ଅମୃତା ସିହ୍ନାଙ୍କୁ କହିଥିଲେ ଜଷ୍ଟିସ୍ ସେନ।

ଏନେଇ ଜଷ୍ଟିସ୍ ସିହ୍ନା କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଜଣାଇଥିଲେ। ଏହା ପରେ ମୁଖ୍ୟ ବିଚାରପତି ଘଟଣା ସଂପର୍କରେ ଭାରତର ପ୍ରଧାନ ବିଚାରପତିଙ୍କୁ ଜଣାଇଥିଲେ ବୋଲି ଦାବି କରିଛନ୍ତି ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ।

ସୂଚନାଯୋଗ୍ୟ, ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ ଯେଉଁ ମାମଲା ଗୁଡ଼ିକର ଶୁଣାଣି କରନ୍ତି,ସେଗୁଡ଼ିକ ବିଷୟରେ ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେଉଥିବାରୁ ପୂର୍ବରୁ ତାଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଥିଲେ। ସେହିପରି ଅନେକ ସମୟରେ ତାଙ୍କର ମନ୍ତବ୍ୟ ଗୁଡ଼ିକ ତୃଣମୂଳ କଂଗ୍ରେସ ବିରୋଧରେ ଥାଏ। ତେଣୁ ତୃଣମୂଳ କଂଗ୍ରେସ ଦାବି କରିଥିଲା ଯେ ସେ ବିଚାରପତି ପଦରୁ ଇସ୍ତଫା ଦେଇ ରାଜନୀତି କରନ୍ତୁ।

Supreme Court Calcutta High Court