/odisha-reporter/media/post_attachments/uploadimage/library/16_9/16_9_0/School__1681284913.jpg)
School
ସ୍କୁଲ ଭିତରେ ବୋମା ଖଞ୍ଜା ଯାଇଥିବା ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ଗୋଟିଏ ସ୍କୁଲକୁ ଏପରି ଧମକ ମିଳିବା ପରେ ତୁରନ୍ତ ଏହାକୁ ଖାଲି କରି ଦିଆଯାଇଛି। ଏଥିସହ ସମସ୍ତ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ପୁଲିସ କହିଛି ଯେ ସାଦିକ ନଗର ଥିବା ଗୋଟିଏ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦିଆଯାଇଥିଲା। ସ୍କୁଲ ପରିସରରେ ବୋମା ଖଞ୍ଜା ଯାଇଛି ଓ ଏହା କିଛି ସମୟ ପରେ ବିସ୍ଫୋରଣ ହେବ ବୋଲି ଧମକ ମିଳିଥିଲା।
ଏହି ଖବର ପରେ ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲରେ ଥିବା ପିଲା ଓ କର୍ମଚାରୀମାନଙ୍କୁ ଖାଲି କରି ଦେଇଥିଲେ। ଖବର ପାଇ ସ୍କୁଲ ଗେଟ ସମ୍ମୁଖରେ ମଧ୍ୟ ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା। ଏମାନଙ୍କ ମଧ୍ୟରେ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ବାପା ମା’ମାନେ ରହିଥିଲେ। ଖବର ପାଇ ପୁଲିସ୍ ମଧ୍ୟ ବୋମା ନିଷ୍କ୍ରିୟ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଏଯାଏ ସ୍କୁଲ ପରିସରରୁ କୌଣସି ପ୍ରକାରର ବୋମା କିମ୍ବା ବିସ୍ଫୋରକ ଜବତ ହୋଇନାହିଁ।
ଅନ୍ୟପକ୍ଷରେ ପୁଲିସ୍ ଗୋଟିଏ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ଟେକ୍ନିକାଲ ଟିମ ସହାୟତାରେ କିଏ ଇ-ମେଲ ପଠାଇଥିଲା, ତା’ ପାଖରେ ପୁଲିସ୍ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
