Advertisment

ଏଣିକି ୬ ମାସ ନୁହେଁ, ତତ୍କାଳ ହୋଇପାରିବ ଛାଡ଼ପତ୍ର

ଛାଡ଼ପତ୍ର ପାଇଁ ଆଉ ଧାର୍ଯ୍ୟ ୬ ମାସ ଯାଏ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଦମ୍ପତି ପାରିବାରିକ ଅଦାଲତକୁ ନ ଯାଇ ସୁପ୍ରିମକୋର୍ଟରୁ ସିଧାସଳଖ ଛାଡ଼ପତ୍ର ଆଣିପାରିବେ ବୋଲି ଆଜି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
sc

sc

ଛାଡ଼ପତ୍ର ପ୍ରସଙ୍ଗରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଛାଡ଼ପତ୍ର ପାଇଁ ଆଉ ଦମ୍ପତିଙ୍କୁ ୬ ମାସ ଯାଏ ଅପେକ୍ଷା କରିବାକୁ ପଡ଼ିବନି। ସୁପ୍ରିମକୋର୍ଟ ଚାହିଁଲେ, ତତ୍କାଳ ହୋଇପାରିବ ଛାଡ଼ପତ୍ର। ଏଥିପାଇଁ ଫ୍ୟାମିଲି କୋର୍ଟରେ ଚକର୍‌ ମଧ୍ୟ କାଟିବାକୁ ପଡ଼ିବ ନାହିଁ। ସ୍ୱାମୀ-ସ୍ତ୍ରୀ ଭାବେ ଏକାଠି ରହିବା ସମ୍ଭବ ନଥିବା ଦମ୍ପତିଙ୍କ କ୍ଷେତ୍ରରେ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨କୁ ବ୍ୟବହାର କରି ବିବାହ ବିଚ୍ଛେଦକୁ ଅନୁମତି ଦେଇ ପାରିବେ ବୋଲି କହିଛନ୍ତି।

Advertisment

ଏହାର ଅର୍ଥ ଛାଡ଼ପତ୍ର ପାଇଁ ଆଉ ଧାର୍ଯ୍ୟ ୬ ମାସ ଯାଏ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଦମ୍ପତି ପାରିବାରିକ ଅଦାଲତକୁ ନ ଯାଇ ସୁପ୍ରିମକୋର୍ଟରୁ ସିଧାସଳଖ ଛାଡ଼ପତ୍ର ଆଣିପାରିବେ ବୋଲି ଆଜି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଛି। 

ଜଷ୍ଟିସ ଏସ୍‌କେ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏଏସ ଓକା, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଜେକେ ମାହେଶ୍ୱରୀଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ବା ରାୟ ଦେଇଛନ୍ତି। ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ, ସୁପ୍ରିମକୋର୍ଟଙ୍କ ପାଖରେ ପୁଣି ଏକାଠି ରହିବା ଅସମ୍ଭବ ସୃଷ୍ଟି କରୁଥିବା ବାହାଘରକୁ ଭାଙ୍ଗିବାର ଅଧିକାର ରହିବ।

Advertisment

ଛାଡ଼ପତ୍ର ପାଇଁ ପ୍ରଚଳିତ ଥିବା ୬ ମାସର ନିୟମକୁ ଏହି କ୍ଷେତ୍ରରେ କୋହଳ କରାଯାଇ ପାରିବ। କିନ୍ତୁ ସମ୍ବିଧାନର ଧାରା ୧୪୨କୁ ବ୍ୟବହାର କରିବା ବେଳେ ସର୍ବୋଚ୍ଚ ଅଦାଲତ ମଧ୍ୟ ସବୁ ପ୍ରକାରର ସ୍ଥିତିକୁ ପରଖିବେ। କେଉଁ ସବୁ ଆଚରଣ ଓ ସ୍ଥିତି ଦ୍ୱାରା ଦମ୍ପତିଙ୍କ ମଧ୍ୟରେ ଆଉ ସମ୍ପର୍କ ସ୍ଥାପନ କରିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟ ବିବେଚନା କରିବେ, ସେନେଇ ମଧ୍ୟ କିଛି ଗାଇଡଲାଇନ ଆଗକୁ ସାମ୍ବିଧାନିକ ଖଣ୍ତପୀଠ ଜାରି କରିପାରନ୍ତି ବୋଲି ଆଜିର ରାୟରୁ ସଙ୍କେତ ମିଳିଛି।

ସମ୍ବିଧାନିକ ଖଣ୍ଡପୀଠକୁ ପଠା ଯାଇଥିବା ମୂଳ ଆବେଦନରେ କୁହାଯାଇଥିଲା ଯେ ପରସ୍ପର ସହମତି ଭିତ୍ତିରେ ଛାଡ଼ପତ୍ର ପାଇଁ ୬ ମାସର ଧାର୍ଯ୍ୟ ସମୟ ନିୟମକୁ ପ୍ରତ୍ୟାହାର କରାଯାଇ ପାରିବ କି? ହିନ୍ଦୁ ବିବାହ ଆଇନ ଧାରା ୧୩ ଅଧୀନରେ ଛାଡ଼ପତ୍ର ପାଇଁ ଦମ୍ପତିଙ୍କୁ ଅତିକମରେ ୬ ମାସ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଇଛି। ତେଣୁ ସମ୍ବିଧାନର ଧାରା ୧୪୨କୁ ବ୍ୟବହାର କରି ସୁପ୍ରିମକୋର୍ଟ ୬ ମାସ ପୂର୍ବରୁ ଛାଡ଼ପତ୍ରର ଅନୁମତି ଦିଅନ୍ତୁ ବୋଲି ଆବେଦନରେ ନିବେଦନ କରାଯାଇଥିଲା।

ଆଜି ସୁପ୍ରିମକୋର୍ଟ କେବଳ ବିଶେଷ କ୍ଷେତ୍ରରେ ଧାରା ୧୪୨କୁ ବ୍ୟବହାର କରି ଛାଡ଼ପତ୍ର ପାଇଁ ଅନୁମତି ଦେଇ ପାରିବେ ବୋଲି ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି। ତେବେ ଧାରା ୧୪୨କୁ ବ୍ୟବହାର କରିବା ବେଳେ ମୌଳିକ ଅଧିକାରକୁ ମଧ୍ୟ ନଜରରେ ରଖିବାକୁ ପଡ଼ିବ। ସେହିପରି ସଂପୂର୍ଣ୍ଣ ନ୍ୟାୟ ଦେବାର ବ୍ୟବସ୍ଥା ମଧ୍ୟ କରିବାକୁ ହେବ ବୋଲି ସାମ୍ବିଧାନିକ ବେଞ୍ଚ କହିଛନ୍ତି।

Supreme Court Divorce