ପ୍ରେମ ଓ ଭଲ ପାଇବାର ଆଶାରେ ଜୀବନ ସାଥୀ ଖୋଜୁ ଥିବା ଗୁରୁଗ୍ରାମର ଜଣେ ୫୯ ବର୍ଷୀୟ ଅବସରପ୍ରାପ୍ତ କର୍ଣ୍ଣେଲ ସବୁ କିଛି ହରାଇଛନ୍ତି। ପୂର୍ବତନ ଆର୍ମି ଅଫିସର ଜଣଙ୍କ ନିଜର ଜୀବନ ସାଥୀଙ୍କୁ ପାଇବା ପାଇଁ ଗୋଟିଏ ମ୍ୟାଟ୍ରିମୋନିଆଲ ସାଇଟରେ ଯୋଗ ଦେଇଥିଲେ। ହେଲେ ଜୀବନ ସାଥୀ ଖୋଜୁଥିବା ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ବ୍ଲାକମେଲ କରାଯାଇଛି। ତାଙ୍କୁ ମାଡ଼ ମାରି ଜଣେ ମହିଳା ଓ ତାଙ୍କ ସହଯୋଗୀ ମଥୁରାରେ ଲୁଟ କରିଛନ୍ତି। ଅନଲାଇନରେ ଏହି ମହିଳାଙ୍କୁ ଅବସରପ୍ରାପ୍ତ କର୍ଣ୍ଣେଲ ଜଣଙ୍କ ଭେଟିଥିଲେ। ତାଙ୍କୁ ଜୀବନ ସାଥୀ କରିବେ ବୋଲି ଭାବି ନେଇଥିଲେ। କିନ୍ତୁ ଜୀବନ ସାଥୀ ପାଇଁ ଆଶା ରଖିଥିବା ଅବସରପ୍ରାପ୍ତ କର୍ଣ୍ଣେଲ ଜଣଙ୍କ ଅଳ୍ପକେ ନିଜ ଜୀବନକୁ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି।
ପୁଲିସ୍ରେ ଅବସରପ୍ରାପ୍ତ କର୍ଣ୍ଣେଲ ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଅନଲାଇନରେ ଜୀବନ ସାଥୀ ଖୋଜୁ ଥିବା ଅବସରପ୍ରାପ୍ତ କର୍ଣ୍ଣେଲ ଜଣଙ୍କ ମ୍ୟାଟ୍ରିମୋନିଆଲ ଫ୍ଲାଟଫର୍ମ ଜରିଆରେ ଜଣେ ମହିଳାଙ୍କ ସହ ବନ୍ଧୁତା କରିଥିଲେ। କିଛି ଦିନର କଥାବାର୍ତ୍ତା ପରେ ଉକ୍ତ ମହିଳାଙ୍କୁ ସେ ଜୀବନ ସାଥୀ ଭାବେ ଗ୍ରହଣ କରିବାକୁ ଚାହିଁଥିଲେ। ମହିଳା ଜଣଙ୍କ ମଧ୍ୟ ଏଥିରେ ରାଜି ହୋଇ ଯାଇଥିଲେ।
ଏହାପରେ ମହିଳା ଜଣଙ୍କ ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଚଳିତ ବର୍ଷ ଜାନୁଆରୀ ୧୧ରେ ଦେଖା କରିବା ପାଇଁ ଡାକିଥିଲେ। ତାଙ୍କ ଉପରେ ବିଶ୍ୱାସ କରି ଅବସରପ୍ରାପ୍ତ କର୍ଣ୍ଣେଲ ମଧ୍ୟ ମଥୁରା ଚାଲି ଆସିଥିଲେ। ମଥୁରାରେ ଉଭୟଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା ଓ ସେମାନେ ରାଧା ରାଣୀ ମନ୍ଦିରରେ ଦର୍ଶନ କରିଥିଲେ। ଏପରି କି ବାରସାନାରେ ଥିବା ବିଭିନ୍ନ ସ୍ଥାନକୁ ଉଭୟ ଯାଇଥିଲେ।
ଦିନ ତମାମ ଉଭୟ ସମୟ କାଟିବା ସହ ବେଶ ହସଖୁସିରେ ସବୁ କିଛି ଆଗକୁ ବଢ଼ିଥିଲା। ହେଲେ ଅବସରପ୍ରାପ୍ତ କର୍ଣ୍ଣେଲ ଜଣଙ୍କ ଜାଣି ନଥିଲେ ଯେ ସନ୍ଧ୍ୟା ହେବା ମାତ୍ରେ ତାଙ୍କୁ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ମହିଳା ଜଣଙ୍କ ନିଜ ଭାଇଙ୍କ ଦୁର୍ଘଟଣା କଥା କହି ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ନିକଟସ୍ଥ ବସ୍ ଷ୍ଟାଣ୍ଡରେ ଛାଡ଼ି ଦେବାକୁ ଅନୁରୋଧ କରିଥିଲେ। ଏକଥାରେ ବିଶ୍ୱାସ କରି ଅବସରପ୍ରାପ୍ତ କର୍ଣ୍ଣେଲ ଜଣଙ୍କ ମହିଳାଙ୍କ ସହ ସେଠାକୁ ଯାଇଥିଲେ।
ହେଲେ ମହିଳା ନେଇଥିବା ସ୍ଥାନରେ ପହଞ୍ଚିବା କ୍ଷଣି ଅବସରପ୍ରାପ୍ତ କର୍ଣ୍ଣେଲଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲେ। ମହିଳା ଜଣଙ୍କ ତାଙ୍କୁ ଗୋଟିଏ ଏସୟୁଭିରେ ବସିବାକୁ କହିଥିଲେ। ଉକ୍ତ ଗାଡ଼ିରେ ପୂର୍ବରୁ କିଛି ଲୋକ ରହିଥିଲେ। ସେମାନଙ୍କୁ ଦେଖି ଅବସରପ୍ରାପ୍ତ କର୍ଣ୍ଣେଲ ସାମାନ୍ୟ ସଙ୍କୋଚ କରିଥିଲେ। ହେଲେ ସେମାନେ ବଳପୂର୍ବକ ତାଙ୍କୁ ଗାଡ଼ିରେ ବସାଇଥିଲେ। ମହିଳା ଜଣଙ୍କ ମଧ୍ୟ ଉକ୍ତ ଗାଡ଼ିରେ ବସିଥିଲେ।
ଅବସରପ୍ରାପ୍ତ କର୍ଣ୍ଣେଲ କହିଛନ୍ତି, “ମୋତେ ପ୍ରାୟ ୨ ଘଣ୍ଟା କାଳ ଅଟକ ରଖାଯାଇଥିଲା। ଗାଡ଼ିରେ ମୋତେ ୧୧ରୁ ୧୨ ଜଣ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ମୋତେ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ଉଲଗ୍ନ କରିଥିଲେ। ଏହାପରେ ମୋର ଗୋଟିଏ ଆପତ୍ତିଜନକ ଭିଡିଓ କରିଥିଲେ। ଯଦି ମୁଁ ଟଙ୍କା ନ ଦେବି, ତା’ହେଲେ ଆପତ୍ତିଜନକ ଭିଡିଓକୁ ସେମାନେ ଭାଇରାଲ କରିଦେବାର ଧମକ ଦେଇଥିଲେ। ସେମାନେ ମୋ ସମ୍ପର୍କୀୟମାନଙ୍କ ସହ ଯୋଗାଯୋଗ କରି ଟଙ୍କା ଲୁଟ କରିଛନ୍ତି। ମୋବାଇଲ ଫୋନ, ସୁନା ଚେନ, ଡେବିଟ କାର୍ଡ ଓ ମୋ ପାଖରେ ଥିବା ନଗଦ ୧୨ ହଜାର ଟଙ୍କା ମଧ୍ୟ ସେମାନେ ନେଇ ଯାଇଛନ୍ତି।”
ବିବାହ ପାଇଁ ଏହା ଅବସରପ୍ରାପ୍ତ କର୍ଣ୍ଣେଲ ଜଣଙ୍କ ଦ୍ୱିତୀୟ ପ୍ରୟାସ ଥିଲା। କିନ୍ତୁ ତାଙ୍କୁ ଅନଲାଇନରେ ମହିଳା ଜଣଙ୍କ ପ୍ରେମ ଜାଲରେ ଫସାଇ ୧.୯୫ ଲକ୍ଷ ଟଙ୍କା ଲୁଟ କରିଛନ୍ତି। ଜୀବନ ସାଥୀ ଖୋଜିବା ସମୟରେ ଏପରି ଘଟଣା ଘଟିବ ବୋଲି ୧୮ ବର୍ଷ ଧରି ଭାରତୀୟ ସେନାରେ କାମ କରିଥିବା ଅବସରପ୍ରାପ୍ତ କର୍ଣ୍ଣେଲ ଏପରି ସ୍ଥିତିର ସମ୍ମୁଖୀନ ହେବେ ବୋଲି କେବେ ହେଲେ ବି ସ୍ୱପ୍ନରେ ସୁଧା ଭାବି ନଥିଲେ। ଅଭିଯୋଗ ପରେ ମଥୁରାରେ ଥିବା ବାରସାନା ପୁଲିସ୍ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ଜାନୁଆରୀ ୧୧ରେ ଘଟିଥିବା ବେଳେ ଅବସରପ୍ରାପ୍ତ କର୍ଣ୍ଣେଲ ଜଣଙ୍କ ଗୁରୁବାର ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।