Manipur
ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁର ସ୍ଥିତି ସୁଧୁରିବାର ନାଁ ଧରୁନି। କାଙ୍ଗପୋକପିରେ ବିଦ୍ରୋହକାରୀ ଓ ପୁଲିସ୍ ମଧ୍ୟରେ ବ୍ୟାପକ ସଂଘର୍ଷ ଦେଖିବାକୁ ମିଳିଛି। ପୁଲିସ୍ ଗୁଳିରେ ୨ ଜଣ ଦଙ୍ଗକାରୀଙ୍କ ମୃତ୍ୟୁ ଘଟିବା ପରେ ଏହାର ପ୍ରଭାବ ରାଜ୍ୟର ରାଜଧାନୀ ଇମ୍ଫାଲରେ ମଧ୍ୟ ଦେଖି ଯାଇଛି।
ଗୁରୁବାର ବିଳମ୍ବିତ ରାତିରେ ଶତାଧିକ ମହିଳା ପୁଲିସ ଗୁଳିରେ ପ୍ରାଣ ହରାଇଥିବା ୨ ଜଣଙ୍କ ମୃତଦେହକୁ ଧରି ଇମ୍ଫାଲରେ ଥିବା ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ବାସଭବନ ଅଭିମୁଖେ ଶୋଭାଯାତ୍ରା ବାହାର କରିଥିଲେ। ସେମାନଙ୍କୁ ରୋକିବା ପାଇଁ ସୁରକ୍ଷାକର୍ମୀ ଚେଷ୍ଟା କରିବାରୁ ସଂଘର୍ଷ ଘଟିଛି। ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସ୍ ଲୁହବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଛି।
ଗୁରୁବାର ପ୍ରଥମେ କାଙ୍ଗପୋକପିରେ ହୋଇଥିବା ଗୁଳି ବିନିମୟରେ ମରଚାଣ୍ଟ ନାଭିର ପୂର୍ବତନ ଅଫିସରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିଲେ। ପୂର୍ବତନ ଅଫିସରଙ୍କୁ ଶବକୁ କଫିନରେ ଧରି ତାଙ୍କ ସଂପ୍ରଦାୟର ଲୋକମାନେ ଇମ୍ଫାଲରେ ଥିବା କେ ବଜାରକୁ ଆସିଥିଲେ।
ସେଠାରୁ ମହିଳାମାନେ କଫିନକୁ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ବାସଭବନ ଅଭିମୁଖେ ନେବାକୁ ଶୋଭାଯାତ୍ରା ଆରମ୍ଭ କରିଥିଲେ। ପୁଲିସ୍ର ଗିରଫଦାରୀରୁ ବର୍ତ୍ତିବା ପାଇଁ ସେମାନେ ରାସ୍ତା ମଝିରେ ଟାୟର ଜାଳିଥିଲେ। ସ୍ଥିତି ବିଗିଡ଼ିବା ଆରମ୍ଭ ହେବାରୁ ପୁଲିସ୍ ସହ ରାପିଡ ଆକ୍ସନ ଫୋର୍ସ ସେମାନଙ୍କୁ ପଛକୁ ଫେରି ଯିବାକୁ କହିଥିଲା।
ହେଲେ ସେମାନେ କିଛି ବି ଶୁଣି ନଥିଲେ। ଫଳରେ ଲୋକଙ୍କୁ ହଟାଇବା ପାଇଁ ସୁରକ୍ଷାକର୍ମୀମାନେ ଲୁହ ବୁହା ଗ୍ୟାସ୍ ମାଡ଼ କରିଥିଲେ। ବେଶ କିଛି ସମୟର ଛକାପଞ୍ଝା ପରେ କଫିନ ଛାଡ଼ି ବିକ୍ଷୋଭକାରୀମାନେ ନିଜ ନିଜ ଘରକୁ ଫେରି ଯାଇଥିଲେ।
ଉତ୍ତେଜନା ହ୍ରାସ କରିବା ପାଇଁ ପୂର୍ବତନ ଅଧିକାରୀଙ୍କ ମୃତଦେହକୁ ଜବାହରଲାଲ ନେହରୁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଶବାଗାରରେ ରଖାଯାଇଛି। ଏବେ ବି ବିଭିନ୍ନ ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସୁରକ୍ଷାକର୍ମୀମାନେ ଆଲର୍ଟରେ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Manipur_1688094551.jpg)