ନୀରଜ ସିଂହ
କଠିନ ପରିଶ୍ରମ। ଦୃଢ଼ ଇଚ୍ଛା ଶକ୍ତି ଓ କିଛି କରି ଦେଖାଇବାର ମନୋବୃତ୍ତି। ଏହି ନୀତି ଜଣଙ୍କୁ ନିଶ୍ଚିତ ଭାବେ ସଫଳତାର ଶୀର୍ଷରେ ପହଞ୍ଚାଏ। ପ୍ରତିକୂଳ ପରିସ୍ଥିତି ସହ ଲଢ଼େଇ କରିପାରିଲେ ଜଣଙ୍କୁ ସଫବଳତା ମିଳେ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ଏକଦା ଦେଶର ରାଜଧାନୀ ଦିଲ୍ଲୀରେ ସିକ୍ୟୁରିଟୀ ଗାର୍ଡ କାମ କରୁଥିଲେ। ପରେ ଘରୋଇ ଅଫିସରେ ପିଓନ ସାଜିଥିଲେ। ଏବେ କିନ୍ତୁ ସେ ୪୦୦ କୋଟି ଆୟ କରୁଥିବା ବିରାଟକାୟ କମ୍ପାନୀର ମାଲିକ।
ବିହାରର ଶିଳ୍ପପତି ନୀରଜ ସିଂହଙ୍କ ସଫଳତାର ଯାତ୍ରା କୌଣସି ହିନ୍ଦୀ ସିନେମା ସ୍କ୍ରିପ୍ଟ ଠାରୁ କମ ନୁହେଁ। ତାଙ୍କୁ ଏବେ ମାତ୍ର ୩୮ ବର୍ଷ। ଏତେ କମ ବୟସରେ ସେ ଶହଶହ କୋଟି ଟଙ୍କାର ଆୟ କରୁଥିବା କମ୍ପାନୀର ମାଲିକ। ତାଙ୍କ କମ୍ପାନୀରେ ହଜାର ହଜାର ଲୋକ କାମ କରୁଛନ୍ତି।
କ୍ୟାରିୟରରେ ସଫଳତା ହାସଲ କରିବା ପରେ ୩୮ ବର୍ଷୀୟ ନୀରଜ ସିଂହ ନୂଆ ଇନିଂସ ଆରମ୍ଭ କରିବାକୁ ପ୍ରୟାସ ଆମ୍ଭ କରିଛନ୍ତି। ନିଜର ପ୍ରେରଣାଦାୟୀ ସଂଘର୍ଷର କାହାଣୀରେ ସେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଚାହୁଁଛନ୍ତି। ଖାସ ଏଥିପାଇଁ ସେ ବିହାର ବିଧାନସଭା ନିର୍ବାଚନ(Bihar Election) ମୈଦାନକୁ ଓହ୍ଲାଇଛନ୍ତି। ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିରୁ ସେ ନିର୍ବାଚନ ଲଢ଼ିବେ। ଦଳ ତାଙ୍କୁ ବିହାରର ଶେଓହର ଆସନରୁ ପ୍ରାର୍ଥୀ କରିଛି।
ନୀରଜ ସିଂହଙ୍କ ସଂଘର୍ଷ ଓ ସଫଳତାର କାହାଣୀ
ବିହାର(Bihar)ର ଶେଓହର ଜିଲ୍ଲା ମଥୁରାପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ ନୀରଜ ସିଂହ। ମଧ୍ୟବିତ୍ତ ପରିବାରରୁ ଆସିଥିବା ନୀରଜ ୧୩ ବର୍ଷ ବୟସରେ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପାସ୍ ହୋଇଥିଲେ। ପରିବାର ଲୋକଙ୍କ ଆୟରେ ଭାଗିଦାରୀ ହେବାକୁ ସେ ଚାକିରି ଅନ୍ୱେଷଣରେ ଲାଗି ପଡ଼ିଥିଲେ। ଏଥିପାଇଁ ସେ ଝାରଖଣ୍ଡ ଚାଲି ଯାଇଥିଲେ। ହେଲେ ଏତେ କମ ବୟସରେ ତାଙ୍କୁ କେହି ବି କାମରେ ରଖି ନଥିଲେ।
ସବୁ ଆଡ଼ୁ ନିରାଶ ହେବା ପରେ ସେ ଗାଁକୁ ଫେରି ବୋତଲ ଦ୍ୱାରା ପେଟ୍ରୋଲ ଓ ଡିଜେଲ ବିକ୍ରି କରିବା ଆରମ୍ଭ କରିଥିଲେ। ପ୍ରାୟ ୩ ବର୍ଷ ଧରି ସେ ଏପରି କାମ କରିବା ପରେ ୨୦୦୩ରେ ଅଧିକ ଆୟ ଆଶାରେ ଦିଲ୍ଲୀ ଚାଲି ଯାଇଥିଲେ। ସେଠାରେ ପ୍ରଥମେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରିଥିଲେ।
ଗୋଟିଏ ବର୍ଷ ସିକ୍ୟୁରିଟୀ ଭାବେ କାମ କରିବା ପରେ ସେ ପୁଣେ ଚାଲି ଯାଇଥିଲେ। ସେଠାରେ ଗୋଟିଏ ଘରୋଇ କମ୍ପାନୀରେ ଅଫିସ ଆସିସଷ୍ଟାଣ୍ଟ ବା ପିଓନ ଭାବେ କାମ କରିଥିଲେ। ଏସବୁ ଭିତରେ ସେ ପାଠପଢ଼ିବା ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ସେ ମାନବ ସମ୍ବଳ ପ୍ରଫେସନାଲ ବନି ଯାଇଥିଲେ। ମାନବ ସମ୍ବଳ କର୍ମଚାରୀ ଭାବେ କାମ କରୁଥିବା ବେଳେ ଗାଁରେ ନୀରଜ ସିଂହଙ୍କ ଜେଜେ ମା’ଙ୍କ ଦେହାନ୍ତ ହୋଇ ଯାଇଥିଲା। ତେଣୁ ସେ ବିହାର ଫେରିଥିଲେ।
୨୦୧୦ରେ ସେ ମୋତିହାରିରେ ଥିବା ଗୋଟିଏ ମାଇକ୍ରୋ ଫାଇନାନ୍ସ କମ୍ପାନୀରେ ମାସିକ ୩,୩୦୦ ଟଙ୍କା ଦରମାରେ ଚାକିରି କରିଥିଲେ। ଏଠାରେ କାମ କରିବା ସମୟରେ ସେ ବ୍ୟବସାୟ ଓ ମାର୍କେଟ ସ୍ଥିତି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହି ସମୟରେ ତାଙ୍କ ଭିତରେ ଥିବା ଉଦ୍ୟୋଗୀ ବନିବାର ଇଚ୍ଛା ଶକ୍ତି ବାହାରକୁ ଆସିଥିଲା।
ଜଣେ ସମ୍ପର୍କୀୟଙ୍କୁ ଜମି କିଣିବାରେ ସହାୟତା କରିଥିବାରୁ ନୀରଜଙ୍କୁ ୨୫ ହଜାର ଟଙ୍କା ମିଳିଥିଲା। ଏହି ଟଙ୍କାରେ ସେ ଖାଦ୍ୟ ଶସ୍ୟ ବ୍ୟବସାୟ ଆରମ୍ଭ କରିଥିଲେ। ୨୫ ହଜାର ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିବା ନୀରଜ ଏହାକୁ ୨୦ରୁ ୩୦ କୋଟି ଟଙ୍କାରେ ପହଞ୍ଚାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ନିଜର ବ୍ୟବସାୟକୁ ବିସ୍ତାର କରିଥିଲେ। ଟାଇଲ୍ସ, ଫାଇବର ବ୍ଲକ, ଇଟା, ପାଉଁଶରୁ ତିଆରି ଇଟା, ସିମେଣ୍ଟ, ରାସ୍ତା ନିର୍ମାଣ ଓ ଅଟା କଳ ଆଦି କ୍ଷେତ୍ରରେ ସେ ନିବେଶ କରିଥିଲେ।
କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ତାଙ୍କ ବ୍ୟବସାୟ ରାତିରାତି ଲୋକପ୍ରିୟତା ହାସଲ କରିଥିଲା। ବ୍ୟବସାୟିକ ସଫଳତା ପରେ ସେ ନିଜର ବ୍ୟବସାୟକୁ ବିସ୍ତାର କରିବାକୁ ଚାହିଁଥିଲେ। ଏଥିପାଇଁ ସେ ଉଷା ଇଣ୍ଡଷ୍ଟ୍ରୀ ପ୍ରତିଷ୍ଠା କରିଥିଲେ।
କମ୍ପାନୀ ପ୍ରସ୍ତୁତ କରୁଥିବା ଜିନିଷ ବିଭିନ୍ନ ସରକାରୀ ପ୍ରକଳ୍ପରେ ବ୍ୟବହାର କରାଯାଉଛି। ୨୦୨୫ରେ ନୀରଜ ଶେଓହର ଓ ମୋତିହାତି ରାସ୍ତାରେ ନିଜସ୍ୱ ପେଟ୍ରୋଲ ପମ୍ପ ଖୋଲିଛନ୍ତି। ଏକଦା ରାସ୍ତା କଡ଼ରେ ତେଲ ବିକ୍ରି କରୁଥିବା ନୀରଜ ଏବେ ପେଟ୍ରୋଲ ପମ୍ପର ମାଲିକ ହୋଇପାରିଛନ୍ତି। ବିହାରର ମୋତିହାରି ଭିତ୍ତିକ ଶ୍ରୀ ସିଂହଙ୍କ କମ୍ପାନୀ ବାର୍ଷିକ ୪୦୦ କୋଟି ଟଙ୍କାର ଆୟ କରୁଛି। କମ୍ପାନୀ ଅଧୀନରେ ୨ ହଜାରରୁ ଅଧିକ ଲୋକ କାମ କରୁଛନ୍ତି।
ଦିନ ସାଇକେଲ ନଥିଲା, ଏବେ ଦାମୀ କାରର ମାଲିକ
ଦିନ ଥିଲା ନୀରଜ ସିଂହଙ୍କ ପାଖରେ ଯିବା ଆସିବା କରିବାକୁ ସାଇକେଲଟିଏ ନଥିଲା। ସେ ନିଜର କାମ ପାଇଁ ବେଳେବେଳେ ପଡ଼ୋଶୀଙ୍କୁ ସାଇକେଲ ମାଗନ୍ତି। କିନ୍ତୁ ଏବେ ତାଙ୍କ ପାଖରେ ୬ରୁ ଅଧିକ ଦାମୀ ଓ ବିଳାସପୂର୍ଣ୍ଣ କାର ରହିଛି। ଏହା ମଧ୍ୟରେ ଗୋଟିଏ ରେଞ୍ଜ ରୋଭର ମଧ୍ୟ ଅଛି। ଶ୍ରୀ ସିଂହ ନିଜର ଦୁଇ ଭାଇ, ପତ୍ନୀ, ଦୁଇ ପୁଅ ଓ ବାପା ମା’ଙ୍କ ସହ ରହୁଛନ୍ତି। ତାଙ୍କ ପାଖରେ ଆଇନ ପାଠ୍ୟକ୍ରମର ଡିଗ୍ରୀ ମଧ୍ୟ ରହିଛି।
କ’ଣ କହନ୍ତି ସମର୍ଥକ
ଶ୍ରୀ ସିଂହଙ୍କ ସମର୍ଥକଙ୍କ କହିବା କଥା ଯେ ସେ ସବୁବେଳେ ସମାଜିକ କାମରେ ନିଜକୁ ନିୟୋଜିତ କରନ୍ତି। ବଞ୍ଚିତ ବର୍ଗର ମହିଳାଙ୍କ ବାହାଘର ଠାରୁ ଆରମ୍ଭ କରି ମାଗଣା ସ୍ୱାସ୍ଥ୍ୟ କ୍ୟାମ୍ପର ଆୟୋଜନ ନୀରଜ ନିୟମିତ କରନ୍ତି। ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କୁ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ସେ ତୀର୍ଥ ଯାତ୍ରାରେ ପଠାଉଛନ୍ତି। ନୀରଜ କହିଛନ୍ତି, “ସ୍ୱଚ୍ଛ ଓ ପ୍ରକୃତ ରାଜନୀତି ଲୋକଙ୍କ ଜୀବନ ବଦଳାଇ ଦିଏ। ବିହାର ପାଖରେ ସବୁ କିଛି ଅଛି। ସବୁ କାମ ପାଇଁ ଆମର ଇଚ୍ଛା ଶକ୍ତି ରହିବା ଦରକାର।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/16/bihar-2025-10-16-14-36-49.jpg)