Advertisment

ସୀମାଙ୍କ ପରି ଅଞ୍ଜୁଙ୍କ କାହାଣୀ; ପାକିସ୍ତାନ ପ୍ରେମିକ ପାଇଁ ଭାରତ ଛାଡ଼ିଲେ

ଏଥର ନିଜ ପ୍ରେମିକକୁ ପାଖରେ ପାଇବାକୁ ଜଣେ ଭାରତୀୟ ମହିଳା ପାକିସ୍ତାନ ସୀମାରେ ପ୍ରବେଶ କରିଥିବା ଜଣାଯାଇଛି। ଏହି ମହିଳାଜଣକ ଭାରତର ଅଞ୍ଜୁ ବୋଲି ଜଣାଯାଇଛି।

Anju & Seema

Anju & Seema

Advertisment

ପ୍ରେମରେ ଉବୁଟୁବୁ ମଣିଷ ନିଜ ମନର ମଣିଷକୁ ପାଇବାକୁ କିଛି ବି କରିପାରେ। କେତେବେଳେ ନିଜ ଘର, ପରିବାର ଛାଡ଼ି ମାଇଲ ମାଇଲ ବାଟ ଯାଇ ଶତ୍ରୁ ସୀମା ବି ଡେଇଁବାକୁ ପଛାଏ ନାହିଁ। କିଛି ଦିନ ପୂର୍ବେ ନିଜ ପ୍ରେମିକ ସଚିନ ପାଇଁ ପାକିସ୍ତାନର ସୀମା ହୈଦର ଭାରତ ସୀମାରେ ପ୍ରବେଶ କରିଥିବା ଖବର ପ୍ରଚାରିତ ହୋଇଥିଲା। ଏବେ ପୁଣି ଥରେ ସମାନ କାହାଣୀର ପୁନରାବୃତ୍ତି ହୋଇଛି। ହେଲେ ଏଥର ନିଜ ପ୍ରେମିକକୁ ପାଖରେ ପାଇବାକୁ ଜଣେ ଭାରତୀୟ ମହିଳା ପାକିସ୍ତାନ ସୀମାରେ ପ୍ରବେଶ କରିଥିବା ଜଣାଯାଇଛି। ଏହି ମହିଳାଜଣକ ଭାରତର ଅଞ୍ଜୁ ବୋଲି ଜଣାଯାଇଛି।

Advertisment

ଅଞ୍ଜୁ ଉତ୍ତରପ୍ରଦେଶର ବଲିୟା ଜିଲ୍ଲାର ଖରପୁରା ଗାଁ ବାସିନ୍ଦା ବୋଲି ଜଣାଯାଇଛି। ଅଞ୍ଜୁ ବିବାହିତା ହୋଇଥିବା ବେଳେ ତାଙ୍କର ଏକ ୧୫ ବର୍ଷୀୟା ଝିଅ ଓ ୫ ବର୍ଷୀୟ ପୁଅ ଥିବା ଜଣାଯାଇଛି। ଫେସବୁକ୍‌ରୁ ନସରୁଲ୍ଲା ନାମକ ପାକିସ୍ତାନ ଯୁବକଙ୍କ ପ୍ରେମରେ ପାଗଳ ହୋଇ ଯାଇଥିବା ଅଞ୍ଜୁ ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ପାକିସ୍ତାନ ପଳାଇବା ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି।

୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦ ନାମକ ଯୁବକଙ୍କୁ ବିବାହ କରିଥିଲ। ଉଭୟଙ୍କ ବିବାହକୁ ଇତି ମଧ୍ୟରେ ୧୬ ବର୍ଷ ଅତିକ୍ରମ କରି ସାରିଲାଣି। ଉଭୟଙ୍କ ହସଖୁସିର ସଂସାରରେ ଏବେ କଳା ବାଦଲ ଘୋଟି ଯାଇଛି। ନିଜ ଜୀବନରେ କେବେ ବି ଏକୁଟିଆ କୁଆଡ଼େ ଯାଇ ନ ଥିବା ଅଞ୍ଜୁଙ୍କ ପାକିସ୍ତାନ ଯିବା ଘଟଣାକୁ ତାଙ୍କ ପରିବାର ଲୋକେ ସହଜେ ବିଶ୍ୱାସ କରି ପାରୁ ନାହାନ୍ତି।

Advertisment

ଅଞ୍ଜୁଙ୍କ ସ୍ୱାମୀଙ୍କ କହିବାନୁଯାୟୀ, କିଛି ଦିନ ପାଇଁ ଜୟପୁର ଯିବ ବୋଲି ଅଞ୍ଜୁ କହିଥିଲା। ଏହାପରେ ଗତ ରବିବାର ନିଜ ଭଉଣୀକୁ ଫୋନ କରି ପାକିସ୍ତାନର ଲାହୋର ଯାଇଥିବା ଓ ୩ ଦିନରେ ଫେରି ଆସିବ ବୋଲି ବି କହିଥିଲା। କିନ୍ତୁ ସେ ନିଜ ପ୍ରେମିକ ନିକଟକୁ ଯାଇଥିବା ଏବେ ମିଡିଆରୁ ଜାଣିବାକୁ ପାଉଛୁ।

ତେବେ କେବେଠୁ ଅଞ୍ଜୁଙ୍କର ଉକ୍ତ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ସେ ନେଇ ପରିବାର ଲୋକେ କେହି ଜାଣି ପାରିଲେନି। ଏପରିକି ତାଙ୍କ ଭିସା ସମ୍ପର୍କରେ ବି କାହାକୁ କିଛି ଖବର ନାହିଁ। ଏଥିନିମନ୍ତେ ଅଞ୍ଜୁ ନିଜ ପୁରୁଣା ଘର ଠିକଣା ଦେଇ ଭିସା କରାଇଥିବା ଜଣାଯାଇଛି।

ତେବେ ପାକିସ୍ତାନ ପଳାଇଥିବା ନିଜ ମା’କୁ ପାଖରେ ନ ପାଇ ଅଝଟ ହେଉଥିବା ପିଲାଙ୍କୁ ବୁଝାଇବା କାଠିକର ପାଠ ହୋଇ ପଡ଼ୁଛି। ତେଣୁ ତୁରନ୍ତ ଘରକୁ ଫେରି ଆସିବାକୁ ଅଞ୍ଜୁଙ୍କ ସ୍ୱାମୀ ତାଙ୍କୁ ନିବେଦନ କରିଛନ୍ତି। ୩,୪ ଦିନରେ ଘରୁ ପଳାଇ ଆସିବେ ବୋଲି ନିଜ ପିଲାଙ୍କୁ କହିଥିବା ଅଞ୍ଜୁ ବାସ୍ତବରେ ପୁଣି ଥରେ ନିଜ ଦେଶକୁ ଫେରୁଛନ୍ତି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।

ଉଭୟ ସୀମା ଓ ଅଞ୍ଜୁଙ୍କ କାହାଣୀରେ ବହୁ ସମାନତା ରହିଛି। ଉଭୟ ସୋଶାଲ ମିଡିଆ ମାଧ୍ୟମରେ ପ୍ରେମରେ ପଡ଼ିଥିଲେ। ସୀମା ପବଜୀ ଖେଳି ସଚିନଙ୍କୁ ଭେଟିଥିବା ବେଳେ ଅଞ୍ଜୁ କିନ୍ତୁ ଫେସବୁକ୍‌ରେ ନିଜ ପ୍ରେମିକଙ୍କୁ ଭେଟିଥିଲେ। ନିଜ ପ୍ରେମ ପାଇଁ ଉଭୟ ଦେଶର ସୀମା ଡେଇଁବାକୁ ପଛାଇ ନାହାନ୍ତି। ଉଭୟ ବିବାହିତା ହୋଇଥିବା ବେଳେ ଛୁଆ ପିଲା ବି ଅଛନ୍ତି। ସୀମାଙ୍କର ୪ଟି ପିଲା ଥିବା ବେଳେ ସେ ନିଜର ସମସ୍ତ ପିଲାଙ୍କୁ ଧରି ଭାରତ ଆସିଛନ୍ତି। ହେଲେ ଅଞ୍ଜୁ ୨ ପିଲାଙ୍କ ମା’ ହୋଇଥିବା ବେଳେ ସେମାନଙ୍କୁ ଛାଡ଼ି ନିଜ ପ୍ରେମିକ ପାଖକୁ ପଳାଇ ଛନ୍ତି।

ଏଥିସହ ଉଭୟ ସୀମା ଓ ଅଞ୍ଜୁ ନିଜ ପ୍ରେମିକଙ୍କଠାରୁ ବୟସରେ ବଡ଼ ବୋଲି ଜଣାଯାଇଛି। ସୀମାଙ୍କ ବୟସ ୩୦ ହୋଇଥିବା ବେଳେ ତାଙ୍କ ପ୍ରେମିକ ସଚିନଙ୍କ ବୟସ ୨୨ । ସେହିପରି ଅଞ୍ଜୁଙ୍କ ବୟସ ୩୫ ହୋଇଥିବା ବେଳେ ତାଙ୍କ ପ୍ରେମିକଙ୍କ ବୟସ ୨୯। ସୀମାଙ୍କୁ ଭାରତ ପୁଲିସ୍‌ ପଚରାଉଚରା କରି ସାରିଥିବା ବେଳେ ପାକିସ୍ତାନରେ ନିଜ ପ୍ରେମିକ ଘରେ ଥିବା ଅଞ୍ଜୁଙ୍କୁ ମଧ୍ୟ ପଚରାଉଚରା ସରିଥିବା ଜଣାଯାଇଛି। ଏଥିସହ ତାଙ୍କ ପ୍ରେମିକଙ୍କ ଘର ବାହାରେ ପାକିସ୍ତାନ ପୁଲିସ୍‌ ପଇଁତରା ମାରୁଥିବା ଜଣାଯାଇଛି।

Pakistan India Love Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe